ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ, ୨୦୨୭ଟି ପେନ୍‌ସନ ମାମଲାର ଶୁଣାଣି

ସେପ୍ଟମ୍ବର ୨୦ ତାରିଖ ସୁଦ୍ଧା ପେନ୍‌ସନ ନଥି ଏଜି କାର୍ଯ୍ୟାଳୟକୁ ପଠାଇବାକୁ ନିର୍ଦ୍ଦେଶ

ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ, ୨୦୨୭ଟି ପେନ୍‌ସନ ମାମଲାର ଶୁଣାଣି

Sambad

ଖୋର୍ଦ୍ଧା: ରାଜ୍ୟ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ, ପ୍ରଧାନ ମହାଲେଖାଗାର (ଲେଖା ଓ ହକଦାରୀ) ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗୁରୁବାର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଅଦାଲତାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଜି କାର୍ଯ୍ୟାଳୟର ଉପମହାଲୋଖାଗାର (ପେନ୍‌ସନ) ଏସ୍‌ ଅରୁଣା, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ, ଅନୁସଚିବ ସୁବୋଧ କୁମାର ଦାସ, ବରିଷ୍ଠ ଲେଖାଧିକାରୀ ସରୋଜ କୁମାର ବେହେରା ‌ଯୋଗ ଦେଇଥିଲେ। ଯେଉଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଭିନ୍ନ କାରଣରୁ ପେନ୍‌ସନ ମିଳିବାରେ ବିଳମ୍ବ ହୋଇଛି ସେମାନଙ୍କ ନଥିପତ୍ର ଯାଞ୍ଚ କରିଥିଲେ। ଯାଞ୍ଚରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍‌ସନ ନଥି ଠିକଣା ସମୟରେ ଏଜି କାର୍ଯ୍ୟାଳୟକୁ ପଠାଉନଥିବାରୁ ନିର୍ଦ୍ଦେଶକ ଶ୍ରୀ ଦାଶ ଅସନ୍ତୋଷ ପ୍ରକାଶ କରିଥିଲେ। ବିଭିନ୍ନ ଆବେଦନକର୍ତାଙ୍କ ପେନ୍‌ସନ ନଥି ଯାଞ୍ଚ କରିବା ପରେ ସେପ୍ଟମ୍ବର ୨୦ ତାରିଖ ସୁଦ୍ଧା ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟାଳୟରେ ଅଟକି ରହିଥିବା ପେନ୍‌ସନ ନଥିକୁ ପ୍ରସ୍ତୁତ କରି ଏଜି କାର୍ଯ୍ୟାଳୟକୁ ପଠାଇବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ନିର୍ଦ୍ଦେଶ ଦେଇଥିଲେ।

ପେନ୍‌ସନ ଅଦାଲତ ସମ୍ପର୍କରେ ସୂଚନା ଦେଇ ଏଜି କାର୍ଯ୍ୟାଳୟର ଉପମହାଲେଖାଗାର ଏସ୍‌ ଅରୁଣା କହିଛନ୍ତି ଯେ, ଆଜି ଗୁରୁବାର ୨୦୨୭ଟି ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ ସମସ୍ୟା ସମ୍ପର୍କରେ ବିଚାର କରାଯାଇ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ଅବସରପ୍ରାପ୍ତ କର୍ମଚାରୀମାନେ ଅବସରଦିନ ଯେଭଳି ପେନ୍‌ସନ, ଗ୍ରାଚୁଏଟି ଆଦି ପାଇବେ ସେଇ ଲକ୍ଷ୍ୟ ପୂରଣ କରିବାକୁ ଏଭଳି ପେନ୍‌ସନ ଅଦାଲତ ଆୟୋଜନ ହୋଇଛି। ଅକ୍ଟୋବର ୧ ତାରିଖରୁ ପୁରୁଣା ପେନ୍‌ସନ ନଥି ନେଣଦେଣ ବ୍ୟବସ୍ଥା ବଦଳରେ ଅନ୍‌ଲାଇନ୍‌ରେ ପେନ୍‌ସନ ଆବେଦନ ଦାଖଲ ହେବ। ଆସନ୍ତା ଅଦାଲତ କଟକ ଠାରେ ଅଗଷ୍ଟ ୨୯ ତାରିଖରେ ଅନୁଷ୍ଠିତ ହେବ ବୋଲି ସେ କହିଥିଲେ। ଏହି ଅଦାଲତକୁ ଡେପୁଟି ଜିଲ୍ଲାପାଳ ସୁବ୍ରତ ରଞ୍ଜନ ଶତପଥୀ, ବରିଷ୍ଠଲେଖାଦିକାରୀ ଦୁଃଶାସନ ନାୟକ, ପୁରୁଷୋତ୍ତମ ବଳ, ସହକାରୀ ଲେଖାଧିକାରୀ ସୁଦର୍ଶନ ସାହୁ, ଆଶୁତୋଷ ଦାଶ, ଶିବ ପ୍ରସାଦ ପଣ୍ଡା, ଚନ୍ଦ୍ର ଶେଖର ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ସୂଚନା ‌ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe