ବୁକ୍‌ଲେଟ୍‌ରେ ସୁସ୍ଥ ଲୋକଙ୍କୁ ରୋଗାଗ୍ରସ୍ତ ଦର୍ଶାଇବା ଘଟଣା: ପିଇଓ ନିଲମ୍ବିତ

Advertisment
ବୁକ୍‌ଲେଟ୍‌ରେ ସୁସ୍ଥ ଲୋକଙ୍କୁ ରୋଗାଗ୍ରସ୍ତ ଦର୍ଶାଇବା ଘଟଣା: ପିଇଓ ନିଲମ୍ବିତ

ରାୟଗଡ଼ା: ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ଲୋକମାନେ ସୁବିଧା ପାଉଥିବା ବେଳେ ଏହାର ଦୁରୁପଯୋଗ କରୁଛନ୍ତି କିଛି ସରକାରୀ କର୍ମଚାରୀ ଓ ଅଧିକାରୀ, ଯାହାକି ମୁନିଗୁଡା ବ୍ଳକ ପାତ୍ରଗୁଡ଼ାର ଏକ ଘଟଣାରେ ସରକାରଙ୍କୁ ଅପଦସ୍ତ ହେବାକୁ ପଡ଼ିଛି। ସୁସ୍ଥ ସବଳ ବ୍ୟକ୍ତିଙ୍କୁ କିଡ୍‌ନି ରୋଗୀ ଦର୍ଶାଇ ମିଛ ବାହାବା ନେବା ପାଇଁ ବିଜୁ ସ୍ୱାସ୍ଥ୍ୟକାର୍ଡରେ ଫଟୋ ଲଗାଇଲେ। ଆଉ ସେହି ଫଟୋକୁ ପଞ୍ଚାୟତର ସ୍ବାସ୍ଥ୍ୟକାର୍ଡ ବୁକ୍‌ଲେଟ୍‌ରେ ଛାପି ବାଣ୍ଟିଲେ। ସଂପୃକ୍ତ ବ୍ୟକ୍ତି ଜଣକ ଏ ସଂପର୍ରକରେ ଜାଣିବା ପରେ ସାମ୍ନାକୁ ଆସି ସବୁ ମିଛ ପ୍ରଚାରର ଗୁମର ଖୋଲିଥିଲେ।

ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଓ ସରକାରଙ୍କ ନିଦ ହଜିଯାଇଥିଲା। ତୁରନ୍ତ ଏନେଇ ମୁନିଗୁଡ଼ା ବିଡିଓଙ୍କୁ ତଦନ୍ତ କରିବାକୁ କୁହାଯାଇଥିଲା।ଏହାର ତଦନ୍ତ ପରେ ଆଜି ପାତ୍ରଗୁଡା ପଞ୍ଚାୟତର ପିଇଓ ପ୍ରଭାକର ନାଲ୍ଲାଙ୍କୁ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର ପିଇଓ ଶ୍ରୀ ନାଲ୍ଲାଙ୍କୁ ନିଳମ୍ବିତ କରିଛନ୍ତି।

ପ୍ରକାଶ ଥାଉକି ପାତ୍ରଗୁଡାର ସହଦେବ ପ୍ରାସକାଙ୍କୁ ବିକେଏସଵାଇ କାର୍ଡ ଧରାଇ ଏକ ଫଟୋ ପଞ୍ଚାୟତ ତରଫରୁ ନିଆଯାଇଥିଲା। ପରେ ସେହି ଫଟୋକୁ ସ୍ବାସ୍ଥ୍ୟକାର୍ଡ ବୁକଲେଟରେ ସହଦେବକୁ କିଡ୍‌ନି ରୋଗ ହୋଇଥିଲା ଏବଂ ସେ ବିଏସ୍‌କେୱାଇ କାର୍ଡରେ ସୁସ୍ଥ ହୋଇଛନ୍ତି। ସହଦେବ ଏହା ଜାଣିବା ପରେ ଅଭିଯୋଗ କରିଥିଲେ ଯେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କିଡ୍‌ନି ରୋଗର ଚିକିତ୍ସା କରାଯାଇଥିବା ପୋଷ୍ଟରରେ ଦର୍ଶାଯାଇଛି। କିନ୍ତୁ ନା ସେ କୌଣସି କିଡ୍‌ନି ରୋଗୀ, ନା ସେ କେବେ ସଂପୃକ୍ତ ଘରୋଇ ହସ୍ପିଟାଲକୁ ଯାଇ ଚିକିତ୍ସିତ ହୋଇଛନ୍ତି। ପାଲଟା ତାଙ୍କୁ ବିଏସ୍‌କେୱାଇ କାର୍ଡରେ ମିଛରେ କିଡ୍‌ନି ରୋଗୀ ସଜାଇ ପୋଷ୍ଟର ଲଗାଯାଇଛି ବୋଲି ଅଭିଯୋଗ କରିଛନ୍ତି ସହଦେବ। ଫଳରେ ଲୋକଙ୍କ ଦ୍ୱାରା ସମାଲୋଚନାର ଶିକାର ହେଉଥିବା ସହଦେବ କହିଛନ୍ତି।

ଏନେଇ ଥାନାର ଦ୍ୱାରସ୍ଥ ହେବି ବୋଲି ସହଦେବ କହିଛନ୍ତି। କେବଳ ଏତିକି ନୁହେଁ। ଆମ ଓଡ଼ିଶା ନବୀନ ଓଡ଼ିଶା ବୁକଲେଟରେ ସରକାରଙ୍କ ଯୋଜନା ଲୋକେ ପାଇଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛନ୍ତି ବୋଲି ଦର୍ଶାଇ ପଞ୍ଚାୟତ ଶିବିରରେ ବଡ଼ ବଡ଼ ପୋଷ୍ଟର ହୋଡିଂ ଲଗାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହି ଘଟଣା ଯେତେବେଳେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ତାକୁ ନେଇ ସଜାଗ ହୋଇଛି ଜିଲ୍ଲା ପ୍ରଶାସନ। ଏହି ଭଳି ତ୍ରୁଟି ପାଇଁ ଉକ୍ତ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହାର ତଦନ୍ତ ଶେଷ ନହେବ ଯାଏଁ ମୁନିଗୁଡା ବ୍ଲକ୍ କାର୍ଯ୍ୟଳୟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ଘଟଣାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଚାଲିଥିବା ବେଳେ ଆଗକୁ ଦେଖିବାର ଅଛି ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe