Image Courtesy of Since Independence
ରାୟଗଡା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡଂଗାସିଲ ଗ୍ରାମରେ ରହିଥିବା ଆଶ୍ରମ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ବିଦ୍ୟାଳୟର ନାବାଳିକା ଛାତ୍ରୀକୁ ବିଦ୍ୟାଳୟର ହିଁ ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡିତା ଛାତ୍ରୀ ରାୟଗଡା ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପୁଲିସ ଅଭିଯୁକ୍ତ ପିଅନକୁ ଗିରଫ କରିବାକୁ ଡଂଗାସିଲ ଆଶ୍ରମ ବିଦ୍ୟାଳୟରେ ପହଞ୍ଚିବା ପରେ ଗ୍ରାମବାସୀ ପୁଲିସକୁ ରୋକିଥିଲେ। ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା।ପରେ ପୁଲିସ ଫୋର୍ସ ପହଞ୍ଚି ଲାଠିଚାର୍ଜ କରିବା ପରେ ଗ୍ରାମବାସୀ ଏଣେତେଣେ ଦୌଡିଥିଲେ।ତେବେ ପୁଲିସ ଅଭିଯୁକ୍ତ ପିଅନକୁ ଗିରଫ କରିଥିବା ଜଣାପଡିଛି।
ଏହି ଘଟଣାଟି ଦୋରାଗୁଡା ଥାନା ଅଂଚଳରେ ଘଟିଥିବାରୁ ଅଭିଯୁକ୍ତ ପିଅନକୁ ପୁଲିସ କେଉଁ ଥାନାକୁ ନେଇଛି ତାହା ଜଣାପଡିନାହିଁ। ପୁଲିସ ଏନେଇ ମୁହଁ ଖୋଲୁନାହିଁ। ଗ୍ରାମରେ ଏବେ ବି ଉତ୍ତେଜନା ଲାଗି ରହିଛି। ଡଂଗାସିଲ ଫାଣ୍ଡିକୁ ଗ୍ରାମବାସୀ ଘେରାଉ କରି ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରୁଛନ୍ତି। ଶହ ଶହ ଲୋକ ଡଂଗାସିଲ ଗ୍ରାମରେ ଏକତ୍ର ହୋଇ ପୁଲିସର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରୁଛନ୍ତି। ତେବେ ଛାତ୍ରୀ କେଉଁ ଶ୍ରେଣୀରେ ପାଠ ପଢୁଛନ୍ତି ଜଣାପଡିନଥିବା ବେଳେ ପୀଡିତା ଛାତ୍ରୀ ଏବଂ ପିଅନ ଡଂଗାସିଲ ଗ୍ରାମର ବୋଲି ଜଣାପଡିଛି। ତେବେ ଏନେଇ ଥାନାରେ ଏତଲା ହୋଇନଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଏନେଇ ଥାନାରେ ଏତଲା ଦେବେ ବୋଲି ଜଣାପଡିଛି।
Follow Us