ପାଣି ଘେରରେ ଥିବା ଲୋକଙ୍କୁ ଦେଶୀ ଡଙ୍ଗା ହିଁ ଭରସା; ପାରଂପାରିକ କୌଶଳରେ ଡଙ୍ଗା ନିର୍ମାଣ କରୁଛନ୍ତି ଗ୍ରାମବାସୀ

Advertisment
ପାଣି ଘେରରେ ଥିବା ଲୋକଙ୍କୁ ଦେଶୀ ଡଙ୍ଗା ହିଁ ଭରସା; ପାରଂପାରିକ କୌଶଳରେ ଡଙ୍ଗା ନିର୍ମାଣ କରୁଛନ୍ତି ଗ୍ରାମବାସୀ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ୯ଟି ପଞ୍ଚାୟତ ପାଣି ଘେରରେ ରହିଛି। ଏମାନେ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ଏମାନଙ୍କ ପାଖକୁ ପ୍ରଶାସନ ପହଞ୍ଚିବାକୁ ଚେଷ୍ଟା କରି କେତେକାଂଶରେ ସଫଳ ହୋଇଥିବା ବେଳେ ବିଫଳତା ତା’ଠାରୁ ଅଧିକା। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଇତ୍ୟାଦିରେ ଏମାନେ ବହୁ ପଛରେ। ତେବେ ବାଲିମେଳା ଜଳଭଣ୍ଡାର ହେବା ପର ଠାରୁ ଏମାନେ ସରକାରୀ ଯୋଜନା କଣ ଜାଣିପାରି ନଥିଲେ। ତେବେ ଏହାର ଫାଇଦା ନେଇଥିଲେ ନକ୍ସଲ। ୧୫୨ଟି ଗ୍ରାମର ଲୋକେ ଜଳ ଘେରରେ ରହିଥିବା ବେଳେ ଏମାନେ ପ୍ରାୟତଃ ଆନ୍ଧ୍ର ଉପରେ ହିଁ ନିର୍ଭର କରୁଛନ୍ତି। ତେବେ ବିଶାଳ ଜଳଭଣ୍ଡାରକୁ ପାର କରିବାକୁ ପ୍ରଶାସନ ତରଫରୁ ଯେଉଁସବୁ ବ୍ୟବସ୍ଥା କରାଯାଇଛି ତାହା ଏମାନଙ୍କ ପାଇଁ ଏବେ ବି ସ୍ବପ୍ନ। ତେଣୁ ଏମାନେ ନିଜର ପାରଂପାରିକ କୌଶଳରେ ଦେଶୀ ଡଂଗା ତିଆରି କରି ନଦୀରେ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ସହ ମାଛ ମାରିବା ଏବଂ ବେପାର ବଣିଜରେ କାମରେ ଲଗାଉଛନ୍ତି। ତେବେ ଏହା ବିପଦପୂର୍ଣ୍ଣ ଅଟେ। ଦେଶୀ ଡଂଗା ସବୁବେଳେ ବିଶ୍ବାସଯୋଗ୍ୟ ନୁହେଁ। ବିଶେଷ କରି ବର୍ଷା ଦିନେ ଦେଶୀ ଡଂଗା ଦୁର୍ଘଟଣା ହେବାର ବହୁ ନଜିର ରହିଥିଲେ ମଧ୍ୟ ପ୍ରଶାସନ ତରଫରୁ ସେଭଳି କୌଣସି ସୁବିଧା ନଥିବାରୁ ଏମାନେ ବିପଦପୂର୍ଣ୍ଣ ଜଳଯାତ୍ରା କରିଥାନ୍ତି।

ବିଛିନ୍ନାଞ୍ଚଳର ଗାଜଲମାମୁଡି ପଞ୍ଚାୟତର ତୋଟାପାଲି ଗ୍ରାମ ନିକଟରେ ଲୋକେ ପାରଂପାରିକ କୌଶଳରେ ଦେଶୀ କାଠ ଡଂଗା ତିଆରି କରୁଥିବା ଦେଖିବାକୁ ମିଳିଥିଲା। ତେବେ ସେମାନେ ଏହା ହିଁ ଆମର ଜୀବନ ବୋଲି କହିଥିଲେ। ସରକାରଙ୍କ ତରଫରୁ ସେଭଳି କୌଣସି ସୁବିଧା ଯୋଗାଇ ଦିଆଯାଉ ନଥିବାରୁ ବାଧ୍ୟ ହୋଇ ଆମେ ନିଜର ବୁଦ୍ଧି ବଳରେ ଦେଶୀ ଡଂଗା ତିଆରକରି ନଦୀ ପାର ହେବା ସହ ଅନ୍ୟାନ୍ୟ କାମ କରୁଛୁ। ଏମାନଙ୍କୁ ଗୋଟିଏ ଡଂଗା ତିଆରି କରିବାକୁ ପ୍ରାୟତଃ ମାସେ ସମୟ ଲାଗୁଛି। କାଠଗୁଡିକ ଶୁଖିବା ପରେ ହିଁ ଏହାକୁ ଡଂଗା ପାଇଁ ବ୍ୟବହାର କରାଯାଇଥାଏ। ବିଭିନ୍ନ ପ୍ରକାର ଗଛର ଓଠାକୁ ଏମାନେ ବ୍ୟବହାର କରିବା ସହ ତାରୁକୁ ମଧ୍ୟ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ତେବେ ଏହା କେତେ ସୁରକ୍ଷିତ ବୋଲି ଏମାନଙ୍କୁ ପଚରାଯିବାରୁ ସୁରକ୍ଷିତ ନଥିଲେ ମଧ୍ୟ ଏହାହିଁ ଆମର ଜୀବନ ବୋଲି କହିଥିଲେ।

publive-image Sambad

ପୁରୁଷ ପୁରୁଷ ଧରି ଆମେ ଏହି ଦେଶୀ ଡଂଗା ଉପରେ ହିଁ ନିର୍ଭର କରିଆସୁଛୁ। ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ସେବା କେବଳ କିଛି ଦିନ ପାଇଁ। ଏହି ଡଂଗାରେ ହିଁ ମାଛ ମାରି ବେପାର କରୁଛୁ ବୋଲି କହିଥିଲେ। ବର୍ତ୍ତମାନ ଗୁରୁପ୍ରିୟା ସେତୁ ହେବା ପରେ ବିଛିନ୍ନାଞ୍ଚଳର ସ୍ବାଭିମାନ ଅଂଚଳରେ ପରିଣତ ହେବା ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପରେ ସ୍ବାଭିମାନ ଅଂଚଳକୁ ରାସ୍ତା ଫିଟିଛି। ବର୍ତ୍ତମାନ ରାସ୍ତାକାମ ଜୋରସୋରରେ ଚାଲିଥିବା ବେଳେ ଯଡାମ୍ବ ଠାରେ ନୂତନ ଥାନା ପ୍ରତିଷ୍ଠା କରାଯାଇଛି। ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିଛି। ଲୋକଙ୍କୁ ପାନୀୟ ଜଳ, ରାସ୍ତାଘାଟ, ସ୍ବାସ୍ଥ୍ୟ ସେବା ସହ ଶିକ୍ଷା ମଧ୍ୟ ତୁରନ୍ତ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି।

ଏପରିକି କୃଷି କ୍ଷେତ୍ରରେ ମଧ୍ୟ ପ୍ରଶାସନ ତରଫରୁ ସହଯୋଗ ଆରମ୍ଭ ହୋଇଛି। ଏହି ଅଂଚଳରେ ଉତ୍ପାଦନ ହେଉଥିବା ହଳଦୀ, ଧାନ, ମାଣ୍ଡିଆକୁ ମଣ୍ଡିରେ ବିକ୍ରି କରି ଦି’ପଇସା ରୋଜଗାର କରାଇବାର ବାଟ ଦେଖାଇଛି ପ୍ରଶାସନ। ତେବେ ଲୋକଙ୍କ ପାଇଁ ଦିଆଯାଇଥିବା ଲଞ୍ଚର ବ୍ୟବସ୍ଥା ଠିକ ରୂପେ ଚାଲୁ ନଥିବାରୁ ଲୋକେ ବହୁ ହଇରାଣ ହେଉଥିବା କହିଛନ୍ତି। ତେଣୁ ଏମାନେ ନିଜର ହାତ ତିଆରି ଦେଶୀ ଡଂଗାରେ ବିଭିନ୍ନ ଗ୍ରାମକୁ ଯିବାକୁ ହେଲେ ଏହାକୁ ବ୍ୟବହାର କରୁଛନ୍ତି। ଏପରିକି ୩୦ କିଲୋମିଟର ଉର୍ଦ୍ଧ୍ବ ବାଟ ମଧ୍ୟ ଏହି ଡଂଗାରେ ହିଁ ଯିବା ଆସିବା କରୁଥିବା କହିଛନ୍ତି। ପ୍ରଶାସନ ତରଫରୁ ଯଦି ଉନ୍ନତମାନର ଡଂଗା ଏମାନଙ୍କୁ ଯୋଗାଇ ଦିଆଯାଇଥାନ୍ତା ତେବେ ସେମାନେ ଉପକୃତ ହୋଇପାରନ୍ତେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe