ଆସାମୀଙ୍କୁ ଗିରଫ କରିବାକୁ ଯାଇ ଆକ୍ରମଣର ଶିକାର ହେଲା ତିର୍ତ୍ତୋଲ ପୁଲିସ

Advertisment

ମହିଳା ଏସଆଇ ଗୁରୁତର; ୫ ଗିରଫ

ମହିଳା ଏସଆଇ ଗୁରୁତର; ୫ ଗିରଫ

ଆସାମୀଙ୍କୁ ଗିରଫ କରିବାକୁ ଯାଇ ଆକ୍ରମଣର ଶିକାର ହେଲା ତିର୍ତ୍ତୋଲ ପୁଲିସ

ଜଗତସିଂହପୁର: ତିର୍ତ୍ତୋଲ ଥାନା ପୁଲିସକୁ ଏକ ବଡ଼ଧରଣର ଆକ୍ରମଣ ହୋଇଛି। ଏକ ମାମଲାରେ ସମ୍ପୃକ୍ତ ଆସାମୀମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଯାଇଥିବା ଆକ୍ରମଣର ଶିକାର ହୋଇଛି। ଗତକାଲି ବିଳମ୍ବିତ ରାତିରେ ଶିରୋଳ ଗାଁରେ ଏହି ଅଘଟଣ ଘଟିଛି। ଫଳରେ ମହିଳା ସବ୍-ଇନସପେକ୍ଟର ନିଲମ ସୋରେନ ଓ ଆସିଷ୍ଟାଣ୍ଟ ସବ୍-ଇନସପେକ୍ଟର ସୁଷମା ମୁଦୁଲିଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ସୁଷମାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ମଣିଜଙ୍ଗା ହସ୍ପିଟାଲରୁ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି।

ଅନ୍ୟପଟେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଦୀପକ ବାରିକ, ଦେବାଶିଷ ବାରିକ, ଅଲେଖ ଚନ୍ଦ୍ର ବାହାଲିଆ, ପ୍ରଶାନ୍ତ ବାରିକ ଓ ଭାଗିରଥୀ ବାରିକ। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଏବେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ବୋଲି ଏସଡିପିଓ ପ୍ରଶାନ୍ତ ମାଝୀ ସୂଚନା ପ୍ରଦାନ କରିଛନ୍ତି।

ଏସଡିପିଓ ଶ୍ରୀ ମାଝୀଙ୍କ ସୂଚନା ମୁତାବକ, ଶି‌ରୋଳ ଗାଁର ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏକ ବଡ଼ ଧରଣର ଗଣ୍ଡଗୋଳ ଘଟିଥିଲା। ଏହି ଗାଁର ପ୍ରସନ୍ନ କୁମାର ଲେଙ୍କାଙ୍କ ଘରେ ଗାଁର କିଛି ଲୋକ ରାତିରେ ପଶି ସେମାନଙ୍କୁ ଆକ୍ରମଣ କରିଥିଲେ। ସମସ୍ତ ଆସବାବପତ୍ର ଭାଙ୍ଗିବା ସହ ଟଙ୍କା ସୁନା ଲୁଟି ନେବା ପରେ ପ୍ରସନ୍ନଙ୍କ ଘ‌ରେ ସେମାନେ ନିଆଁ ଲଗାଇ ଦେଇଥିଲେ। ଏ ନେଇ ପ୍ରସନ୍ନଙ୍କ ପତ୍ନୀ ଭାରତୀ ଲେଙ୍କା ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ୨୦ରୁ ଊର୍ଦ୍ଧ୍ବ ଲୋକଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ଜଣକୁ ଗିରଫ କରିଥିଲା।

publive-image Sambad

ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଆସାମୀମାନେ ଗାଁରେ ଥିବା ଖବର ପାଇ ଥାନା ଇନସପେକ୍ଟର ଯୁଗଳ କିଶୋର ଦାସଙ୍କ ନେତୃତ୍ବରେ ଦୁଇଟି ଟିମ୍ ଗଠନ କରାଯାଇଥିଲା। ସବ୍-ଇନସପେକ୍ଟର ନିଲମ ନେତୃତ୍ବ ନେଉଥିବା ଟିମର ସଦସ୍ୟମାନେ ପ୍ରଥମେ ଭାଗିରଥୀକୁ କାବୁ କରି ନେଇଥିଲେ। ଭାଗିରଥୀ ପାଟି କରିବାରୁ ନିକଟରେ ଥିବା ଦେବାଶୀଷ ଏକ କାଠ ଫାଳିଆରେ ଆସିଷ୍ଟାଣ୍ଟ ସବ୍-ଇନସପେକ୍ଟର ସୁଷମାଙ୍କ ମୁଣ୍ଡକୁ ଶକ୍ତ ପାହାର ପକାଇଥିଲେ। କେବଳ ସେତିକି ନୁହେଁ ପାଖରେ ଥିବା ସବ୍-ଇନସପେକ୍ଟର ନିଲମଙ୍କ ମୁଣ୍ଡରେ ମଧ୍ୟ ଏହି କାଠ ଫାଳିଆଟି ବାଜିଥିଲା। ଫଳରେ ତାଙ୍କ ମୁଣ୍ଡ ମଧ୍ୟ ଫାଟି ଯାଇଥିଲା। ପରେ ଖବର ପାଇଁ ଇନସପେକ୍ଟର ଶ୍ରୀ ଦାସ ଓ ଅନ୍ୟମାନେ ପହଞ୍ଚି ଏହି ଦୁଇ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇବା ସହ ଆକ୍ରମଣକାରୀଙ୍କୁ କାବୁ କରିବାକୁ ସକ୍ଷମ ହୋଇଥିଲା। ପାଞ୍ଚ ଜଣଙ୍କୁ ଉଠାଇ ଆଣି ପୁଲିସ ତୁରନ୍ତ ଥାନାକୁ ଆସିବା ସହ ଏହି ଦୁଇ ଜଣ ମହିଳା ପୁଲିସ କର୍ମଚାରୀଙ୍କୁ ମଣିଜଙ୍ଗା ହସ୍ପିଟାଲରେ ଭର୍ତ୍ତି କରିଥିଲା। ସୁଷମାଙ୍କ ମୁଣ୍ଡରେ ଅଧିକ ଆଘାତ ଲାଗିଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ନିଲମଙ୍କର ମଣିଜଙ୍ଗା ହସ୍ପିଟାଲରେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ବର୍ତ୍ତମାନ ଏହି ମାମଲାରେ ସମ୍ପୃକ୍ତ ସମସ୍ତ ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe