ଜ୍ବର ପରେ ଅଚାନକ ଚାଲି ଯାଉଛି ଅନେକ ଜୀବନ, ଘରୋଇ ଉପଚାର ସାଜୁଛି କାଳ

Advertisment

ଭଞ୍ଜନଗର ଡାକ୍ତରଖାନାରେ ସପ୍ତାହକରେ ଆଖି ବୁଜିଲେଣି ୧୦

ଭଞ୍ଜନଗର ଡାକ୍ତରଖାନାରେ ସପ୍ତାହକରେ ଆଖି ବୁଜିଲେଣି ୧୦

ଜ୍ବର ପରେ ଅଚାନକ ଚାଲି ଯାଉଛି ଅନେକ ଜୀବନ, ଘରୋଇ ଉପଚାର ସାଜୁଛି କାଳ

The Indian Express

ଭଞ୍ଜନଗର: କରୋନାର ଦ୍ବିତୀୟ ଲହର ପାଇଁ ଅନେକ ସର୍ତ୍ତକତା ମୂଳକ ପଦକ୍ଷେପ ନେବା ସହ ପ୍ରଶାସନିକ କଟକଣା ଜାରି କରାଯାଉଛି। ଏଥିରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଆସନ୍ତା ୫ ତାରିଖରୁ ଲକଡାଉନ୍ ଘୋଷଣା କରିଛନ୍ତି। କିନ୍ତୁ ଏଭଳି ବିପଦ ସମୟରେ ଆଉ ଏକ ବିପର୍ଯ୍ୟୟର ଚିତ୍ର ସାମ୍ନାକୁ ଆସୁଛି। ଡାକ୍ତରଖାନା ଆସିବା ମାତ୍ରେ ରୋଗୀ ମାନଙ୍କ ମୃତ୍ୟୁ ହୋଇଯାଉଥିବା ବେଳେ ଅନେକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟୁଛି। ଭଞ୍ଜନଗର ତଥା ଏହାର ଆଖପାଖ ଇଲାକାରେ ବିଭିନ୍ନ କାରଣରୁ ବର୍ତ୍ତମାନ ମୃତକଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି। ଜ୍ବର ହେବା ପରେ ଅସ୍ବଭାବିକ ଭାବେ ବହୁତ ଲୋକ ମୃତ୍ୟୁ ବରଣ କରୁଥିବା ବେଳେ ଅନେକ କରୋନା ଭୟରେ ଡାକ୍ତରଖାନା ନଆସି ଘରୋଇ ଉପଚାର କରି ଶେଷରେ ଡାକ୍ତରଖାନା ଅସିବା ବେଳକୁ ବହୁତ ବିଳମ୍ବ ହୋଇଯାଉଛି। ଅନେକଙ୍କ କ୍ଷେତ୍ରରେ ହଠାତ୍ ଜ୍ବର ହୋଇ ଦିନେ ଦୁଇଦିନ ଭିତରେ ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ସରକାରୀ ହିସାବରେ କରୋନାକୁ ନେଇ ଆକ୍ରାନ୍ତଙ୍କ ମଧ୍ୟରେ ଭଞ୍ଜନଗର ଉପଖଣ୍ଡରେ ମାତ୍ର ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେିଳେ ଏଭଳି ଅସ୍ବଭାବିକ ଭାବେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ହିସାବ କାହାରି ପାଖରେ ନାହିଁ। ଗତ କିଛି ଦିନ ହେଲା ଡାକ୍ତରଖାନାରେ ପ୍ରତିଦିନ ଲୋକ ମୃତ୍ୟୁ ବରଣ କରୁଥିବା ଖବର ସାମ୍ନାକୁ ଆସୁଛି।

ଗତ ଏକ ସପ୍ତାହ ମଧ୍ୟରେ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚିବା ମାତ୍ରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ ରହିଛି। କିନ୍ତୁ ବେସରକାରୀ ଭାବେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଅନେକ ଜ୍ବର ପାଇଁ ଆସି ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି। ମୃ୍ତ୍ୟୁ ବରଣ କରୁଥିବା ବ୍ୟକ୍ତି ମାନଙ୍କ ଭିତରେ ଅନେକ ଯୁବକ ରହିଛନ୍ତି। ଭଞ୍ଜନଗର ବ୍ଳକ୍ ଅଧୀନ ଜିଲୁଣ୍ଡି ପଞ୍ଚାୟତରେ ଜଣେ ବ୍ୟକ୍ତି ବଡ଼ କୋଦଣ୍ଡା ଛକରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଗତମାସ ୨୮ ତାରିଖ ଦିନ ତାଙ୍କର ଜ୍ବର ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ନେଇଥିଲେ। ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିଦିନ ରାୟଗଡ଼ା ଜିଲ୍ଲାରେ ବିବାହିତ ତାଙ୍କ ଭଉଣୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏଭଳି ଦୁଃଖଦ ପରିସ୍ଥିତି ମଧ୍ୟରେ ତାଙ୍କର ମୃତ୍ୟୁର ୫ ଦିନ ପରେ ଅର୍ଥାତ ଗତକାଲି ରାତିରେ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଛି। ମାଆର ମୃତ୍ୟୁ ସାଙ୍ଗକୁ ବାପା ମଧ୍ୟ ଗୁରୁତର ହୋଇ ବ୍ରହ୍ମପରର ଏକ ମେଡ଼ିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଗୋଟିଏ ପରିବାରର ତିନି ସଦସ୍ୟଙ୍କ ଅଳ୍ପ ଦିନ ମଧ୍ୟରେ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସେହିପରି ଭଞ୍ଜନଗର ଓଏସ୍ଆର୍ଟିସି ବସ୍‌ ଚାଳକ ଭାବେ କାର୍ଯ୍ୟରତ ଶିବରାମ ମଲ୍ଲିକଙ୍କ(୪୩) ମଧ୍ୟ ଅସ୍ବଭାବିକ ଭାବେ ମୃତ୍ୟୁ ଘଟିଛି। ଶିବରାମଙ୍କ ଘର ବେଲଗୁଣ୍ଠା ବ୍ଳକ୍ ବିରିପୁରରେ। ସେ ଗତ ୨୩ ତାରିଖ ଦିନ ଇନ୍ଦ୍ରାବତୀ ଡ୍ୟୁଟିରେ ଯାଇଥିଲେ। ସେଠାରେ ସୋମବାର ଦିନ ଜ୍ବର ହେବାରୁ କିଛି ମେଡ଼ିସିନ୍ ଖାଇଥିଲେ।

ଏହାପରେ ୨୮ ତାରିଖ ଦିନ ଭଞ୍ଜନଗର ଫେରି ଘରକୁ ଯାଇଥିଲେ। ଘରେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ମେଡ଼ିକାଲ୍ ଆଣିଥିଲେ। ସେଠାରେ ତାଙ୍କର ଅମ୍ଳଜାନ ସ୍ତର କମ୍ ରହିଥିବାରୁ ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ। ବାଟ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ପୂର୍ତ୍ତ ବିଭାଗ ବିଦ୍ୟୁତ୍ କାର୍ଯ୍ୟ କରୁଥିବା ଖଦାଳ ବେହେରା(୫୨) ଗତକାଲି ଆକସ୍ମିକ ମୃତ୍ୟୁ ଘଟିଛି। ଖଦାଳଙ୍କ ଭାଇ ଭରତଙ୍କ କହିବାନୁଯାୟୀ ସକାଳ ୯ ଟା ସମୟରେ ଦେହ ଅସୁସ୍ଥ ହେବାରୁ ତୁରନ୍ତ ଡାକ୍ତରଖାନାକୁ ଆଣୁଥିଲେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ବେଲଗୁଣ୍ଠା ପଞ୍ଚାୟତର ଇଙ୍ଗିନାଠି ଗ୍ରାମର ଜଣେ ୩୫ ବର୍ଷିୟ ଯୁବକଙ୍କ ୨ ଦିନ ଧରି ଜ୍ବର ହେଉଥିବା ବେଳେ ହଠାତ୍ ଶୁକ୍ରବାର ରାତିରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା ଆଣିଥିଲେ। ସେଠାରେ କିଛି ସମୟ ଚିକିତ୍ସା ହେବା ପରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

ପ୍ରତି ଗ୍ରାମାଞ୍ଚଳରେ ମୃତ୍ୟୁର ତାଣ୍ଡବା ଜାରି ରହିଛି। ଜ୍ବର, ଥଣ୍ଡା ହେଲେ ଲୋକ ମାନେ ପ୍ରାଥମିକ ସ୍ତରରେ ଡ଼ାକ୍ତରଙ୍କୁ ଦେଖାଇବା ବଦଳରେ ଔଷଧ ଦୋକନୀ, କ୍ବାକ୍ କିମ୍ବା ବୈ୍ଦ୍ୟ ଠାରୁ ଔଷଧ ଖାଇ ସୁସ୍ଥ ହେବାକୁ ଚେଷ୍ଟା କରୁଛନ୍ତି। ଉପଶମ ହେବା ବଦଳରେ ତାହା ଆହୁରି ବଢିବାକୁ ଲାଗୁଛି। ଯାହାର ପରିଣାମ ପରବର୍ତ୍ତି ସମୟରେ ତାହା ଉଗ୍ରରୂପ ନେଉଛି। ଜ୍ବର ହେବା ସହ ଶରୀରରେ ଅମ୍ଳଜାନ ସ୍ତର ବହୁତ କମିଗଲେ ବାଧ୍ୟ ହେଲେ ଡାକ୍ତରଖାନା ଆସୁଛନ୍ତି। ନିଶ୍ବାସପ୍ରଶ୍ବାସ ସମସ୍ୟା ଯୋଗୁ ବହୁତ ଲୋକଙ୍କ ଜୀବନ ଚାଲିଯିବାରେ ଲାଗିଛି। ଯାହାଦ୍ବାରା ଗୋଟିଏ ପରେ ଗୋଟିଏ ଜୀବନ ଦୀପ ଲିଭିବାରେ ଲାଗିଛି। ଏଭଳି ଭାବେ କେତେ ଜଣଙ୍କର ମୃତ୍ୟୁ ଘଟିଲାଣି ତାର ହିସାବ କାହାରି ପାଖରେ ନାହିଁ। ଏହି ସବୁ ରୋଗୀ ମାନଙ୍କର କୋଭିଡ ପରୀକ୍ଷା ହୋଇନଥିବାରୁ କୋଭିଡ଼ ମୃତ୍ୟୁ ତାଲିକା କିମ୍ବା ସନ୍ଦିଗ୍ଧ ତାଲିକାରେ ଏମାନଙ୍କ ନାମ ରହୁନି। ଏଭଳି ସ୍ଥିତିରେ ପ୍ରଶାସନର ଯେତିକି ଦାୟିତ୍ବ ରହିଛି ତା‘ଠାରୁ ଲୋକ ମାନେ ଅଧିକ ଯତ୍ନବାନ ଓ ସର୍ତ୍ତକତା ଅବଲମ୍ବନ କରିବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe