Advertisment

ନିର୍ମାଣର ଗୋଟିଏ ଦିନ ପରେ ପୂର୍ତ୍ତରାସ୍ତାରୁ ଉଠିଲା ପିଚୁ, ନିମ୍ନ ମାନର କାମ ପ୍ରତିବାଦରେ ନିର୍ମାଣ କାର୍ଯ୍ୟ ରୋକିଲେ ଜନତା

Advertisment
ନିର୍ମାଣର ଗୋଟିଏ ଦିନ ପରେ ପୂର୍ତ୍ତରାସ୍ତାରୁ ଉଠିଲା ପିଚୁ, ନିମ୍ନ ମାନର କାମ ପ୍ରତିବାଦରେ ନିର୍ମାଣ କାର୍ଯ୍ୟ ରୋକିଲେ ଜନତା

Sambad

ହରଭଙ୍ଗା: କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ପୁରୁଣାକଟକ-ଧଳପୁର ୧୩ କିମି ପୂର୍ତ୍ତରାସ୍ତା ପ୍ରକଳ୍ପର ଧଳପୁର ବଜାରରେ ନିର୍ମାଣର ଗୋଟିଏ ଦିନ ପରେ ରାସ୍ତାରୁ ପିଚୁ ଉଠିବା ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନିମ୍ନ ମାନର କାମ ଓ ଯନ୍ତ୍ରୀ ଓ ଠିକାଦାରଙ୍କ ମନୋମୁଖୀକୁ ଦାୟୀ କରି ପ୍ରତିବାଦରେ ସ୍ଥାନୀୟ ଲୋକେ ସଂସ୍ଥାର ନିର୍ମାଣକାର୍ଯ୍ୟକୁ ରୋକି ଦେଇଥିବା ଜଣାପଡିଛି। ଅପର ପକ୍ଷରେ ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଚୈତନ୍ୟ ଦେହୁରୀଙ୍କୁ ପଚାରିବାରୁ ସେ ଗତକାଲି ଗୋଟିଏ ଗାଡି ସେଠାରେ ବ୍ରେକଡାଉନ ହୋଇଯାଇଥିଲା। ସେଥରୁ ଡିଜେଲ ପଡିଯିବା ହେତୁ ସେଠାରୁ ପିଚୁ ଉଠିଗଲା ବୋଲି କହିଥିଲେ। ରାସ୍ତା ନିର୍ମାଣ ସମୟରେ ସେ ଅନୁପସ୍ଥିତ ଥିବା ଲୋକେ ଅଭିଯୋଗ କରୁଥିବା ପ୍ରଶ୍ନ କରିବାରୁ ମୁଁ ପ୍ରସ୍ତାବିତ ବୌଦ୍ଧ ଜିଲ୍ଲା ହରଭଙ୍ଗାରୁ କୁଶଙ୍ଗ ରାସ୍ତା ନିର୍ମାଣ ପ୍ରକଳ୍ପ ପାଇଁ ସାଇଡ ସିଲେକ୍ସନ କାମ ଯୋଗୁଁ ସେଠାକୁ ଯାଇଥିଲି ବୋଲି ସଫେଇ ଦେଇଥିଲେ।

ସ୍ଥାନୀୟ ଲୋକଙ୍କ କହିବାନୁମତେ ଉକ୍ତ ପ୍ରକଳ୍ପ ନିର୍ମାଣକାରୀ ଠିକାସଂସ୍ଥା ଗତକାଲି ଧଳପୁର ଆରଆଇ ଅଫିସରୁ ଧଳପୁର ବଜାର ପର୍ଯ୍ୟନ୍ତ ପ୍ରାୟ ୨ଶହ ମିଟର ପିଚୁ କାମ କରିଥିଲେ। ହେଲେ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ସେଗୁଡିକ ଅତ୍ୟନ୍ତ ନିମ୍ନ ମାନର କାମ କରିବା ଫଳରେ ଏହାର ଗୋଟିଏ ଦିନ ପରେ ନବ ନିର୍ମିତ ରାସ୍ତାର ଅଧିକାଂଶ ସ୍ଥାନରେ ପିଚୁ ଉଠିଯାଉଥିବା ଦେଖାଯାଇଛି। ତେଣୁ କାର୍ଯ୍ୟର ମାନ ଓ ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠାଇବା ସହ ପରବର୍ତ୍ତୀ ସମୟରେ ଯାନବାହନ ଓ ଭାରିଯାନ ଚଳାଚଳ କରିବା ପରେ ଏହି ରାସ୍ତାର ଅବସ୍ଥା କିପରି ହେବ ବୋଲି ଗ୍ରାମବାସୀ ନାରାୟଣ ଭୋକ୍ତା ପ୍ରଶ୍ନ କରିଛନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ ଏହି ନିର୍ମାଣଧୀନ ରାସ୍ତାରେ ନିମ୍ନ ମାନର ପିଚୁକାମ ଯୋଗୁଁ ପୂର୍ବରୁ ମଧ୍ୟ ଜବଲପୁର ଛକ ନିକଟରେ ପିଚୁ ଉଠିଯାଇଥିଲା ବେଳେ ଖଣ୍ଡହତା ଠାରେ ରାସ୍ତାର ଗୋଟିଏ ସ୍ଥାନରେ ୪ ରୁ ୫ଫୁଟ ଯାଏ ଗର୍ତ୍ତ ସୃଷ୍ଟି ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଉକ୍ତ କାମର ଭିଜିଲାନ୍ସ ତଦନ୍ତ ହେଲେ ବହୁ ଅନିୟମିତତା ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe