ଶହେ ବର୍ଷର କଲଭର୍ଟ ଭାଙ୍ଗି ପାଇପ୍‌ ବିଛାଇଲେ: ତାତିଲେ ଲୋକେ, କାମ ବନ୍ଦ କଲେ

Advertisment
ଶହେ ବର୍ଷର କଲଭର୍ଟ ଭାଙ୍ଗି ପାଇପ୍‌ ବିଛାଇଲେ: ତାତିଲେ ଲୋକେ, କାମ ବନ୍ଦ କଲେ

Sambad

ରାଜକନିକା: ରାଜକନିକା ଭାରିଗଦାଠାରେ ଖରସ୍ରୋତା ନଦୀରୁ ଭଦ୍ରକ ଜିଲ୍ଲାକୁ ପାନୀୟ ଜଳ ପ୍ରକଳ୍ପ ପାଇଁ ଜୋର ଜବରଦସ୍ତ ପାଇପ୍ ବିଛା ଚାଲିଛି। ପ୍ରକଳ୍ପକୁ ନେଇ ବିରୋଧ ଜାରି ରହିଛି। ଏହାସତ୍ତ୍ବେ କାମ ଜାରି ରହିଛି। କମ୍ପାନିର ମନମାନୀ ସୀମା ଟପିଛି। ପାଇପ୍‌ ବିଛାଇବାକୁ ଆଜି ରାଜକନିକାର ଐତିହ୍ୟ କନିକା ରାଜପ୍ରସାଦ ସହିତ ସଂଯୁକ୍ତ ହୋଇଥିବା ଶହେ ତେର ବର୍ଷର ଜଳ ନିଷ୍କାସନ କଲଭର୍ଟକୁ ଜୋରଜବରଦସ୍ତ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ଭୀଷଣ ଉତ୍ତେଜନା ଦେଖାଦେଇଛି। ଶତାଧିକ ଲୋକେ ଏକାଠି ହୋଇ ପ୍ରକଳ୍ପ କାମକୁ ତୀବ୍ର ବିରୋଧ କରିଛନ୍ତି। ପାଇପ୍ ବିଛା କାମ ବନ୍ଦ କରିଛନ୍ତି। ଯେ ପର୍ଯ୍ୟନ୍ତ କଳଭର୍ଟ ନିର୍ମାଣ କରା ନ ଯାଇଛି ସେ ପର୍ଯ୍ୟନ୍ତ ପାଇପ୍ ବିଛା କାମ କରାଇ ଦିଆଯିବ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି। କମ୍ପାନିର କୌଣସି ଅଧିକାରୀ ଏଠାକୁ ନ ଆସି ଶ୍ରମିକ ଏବଂ ଅନଭିଜ୍ଞ କର୍ମଚାରୀମାନଙ୍କ ଦ୍ୱାରା ଭୟ ଦେଖାଇ ଜୋର ଜବରଦସ୍ତ ପାଇପ୍ ବିଛାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୂର୍ବରୁ କମ୍ପାନିର ମନମାନୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଆରସା ମୌଜାର ଘରବାଡ଼ି ଜାଗାରେ ପାଇପ୍ ବିଛାଇ ଦେଇଥିବା ଅଭିଯୋଗ ହୋଇଥିଲା। ଅଚ୍ୟୁତ୍‌ପୁରଠାରେ ମାସକ ତଳେ ଦୁଇ ମହଲା ଘର ନିକଟରେ ପାଇପ୍ ବିଛାଇବାରୁ ଘର କାନ୍ଥ ଫାଟି ଯାଇଥିଲା। ସଂପୃକ୍ତ ଜମିର ମାଲିକ ପାଟିତୁଣ୍ଡ କରିବା ଫଳରେ ୫ଟି ପାଇପ୍‌କୁ ଉଠାଇବାକୁ କମ୍ପାନି ବାଧ୍ୟ ହୋଇଥିଲା।

ଏଥିସହିତ ଆରସାଠାରେ ଜଳ ନିଷ୍କାସନ ପାଇଁ ହୋଇଥିବା ଏକ କୋଟି ଟଙ୍କାର ଡ୍ରେନେଜ୍‌କୁ ଭାଙ୍ଗିବାକୁ କମ୍ପାନି ମସୁଧା କରୁଥିବା ଜଣାପଡ଼ିଛି। ଆଜି ରାଜପ୍ରସାଦ ସହିତ ସଂଯୁକ୍ତ ହୋଇଥିବା ୧୧୩ ବର୍ଷର ଜଳ ନିଷ୍କାସନ କଲଭର୍ଟକୁ ଭାଙ୍ଗି ଦିଆଯିବାରୁ କନିକା ରାଜପ୍ରାସାଦକୁ ବିପଦ ଦେଖାଦେଇଛି। କନିକା ରାଜପ୍ରାସାଦ ପରିସରରୁ ବର୍ଷା ଜଳ ନିଷ୍କାସନ ହୋଇପାରିବ ନାହିଁ । ଫଳରେ ବର୍ଷା ଦିନେ ରାଜପ୍ରାସାଦ ପାଣିରେ ବୁଡ଼ି ରହିବାର ଆଶଙ୍କା ପ୍ରକାଶ ପାଇଛି। ଏହି ଖବର ଜଣାପଡ଼ିବା ପରେ ଶତାଧିକ ଲୋକେ ଏହାକୁ ବିରୋଧ କରିଥିଲେ। ସେହିଭଳି କଣ୍ଟପଡ଼ା ବଜାରରେ ପାଇପ୍ ବିଛାକୁ ବ୍ୟବସାୟୀ ତୀବ୍ର ବିରୋଧ କରିଛନ୍ତି। ଏହାକୁ ନେଇ ଲୋକେ ବୈଠକ କରି ରାସ୍ତାରୋକ୍ କରିବା ସହିତ ପାଇପ୍ ବିଛାକୁ ବନ୍ଦ କରିବାକୁ ଦାବି କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ପ୍ରକାଶଥାଉକି, ଖରସ୍ରୋତା ନଦୀରୁ ଭଦ୍ରକ ଜିଲ୍ଲାକୁ ଜଳ ଦେବା ପାଇଁ ବୃହତ୍ତ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏହି ପ୍ରକଳ୍ପ କାର୍ଯ୍ୟକୁ ଆଳି କନିକାବାସୀ ଦୁଇ ବର୍ଷ ହେବ ବିରୋଧ କରି ଆନ୍ଦୋଳନ ଚଳାଇଛନ୍ତି । ହେଲେ ପୁଲିସ, ପ୍ରଶାସନ ଲୋକମାନଙ୍କୁ ଦମନ କରି କମ୍ପାନିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe