ପ୍ରାଣୀ ଚିକିତ୍ସାଳୟରେ ଚରମ ଅବ୍ୟବସ୍ଥା, ଡାକ୍ତରଙ୍କୁ ନ ପାଇ ଫେରୁଛନ୍ତି ଲୋକ

Advertisment
ପ୍ରାଣୀ ଚିକିତ୍ସାଳୟରେ ଚରମ ଅବ୍ୟବସ୍ଥା, ଡାକ୍ତରଙ୍କୁ ନ ପାଇ ଫେରୁଛନ୍ତି ଲୋକ

Sambad

ମହାକାଳପଡା: କେୟାରବାଙ୍କସ୍ଥିତ ପ୍ରାଣୀ ଚିକିତ୍ସାଳୟ ଘୋର ଅବ୍ୟବସ୍ଥା ଦେଖାଦେଇଛି। ଡାକ୍ତର ଓ କର୍ମଚାରୀ ବିଳମ୍ବ‌ରେ ଆସୁଛନ୍ତି। ଚିକିତ୍ସା ନ କରି ପାରି ଲୋକେ ସେମାନଙ୍କ ରୋଗଗ୍ରସ୍ତ ପଶୁପକ୍ଷୀଙ୍କୁ ଧରି ଫେରୁଛନ୍ତି। ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ସକାଳ ୮ଟାରେ ସ୍ଥାନୀୟ ଅଂଚଳର କେତେକ ବ୍ୟକ୍ତି ସେମାନଙ୍କ ଗୃହପାଳିତ ପଶୁଙ୍କୁ ଧରି ସ୍ଥାନୀୟ କେୟାରବାଙ୍କ ପ୍ରାଣୀ ଚିକିତ୍ସାଳୟଠାରେ ପହଁଚିଥିଲେ। ଚିକିତ୍ସାଳୟ ଖୋଲା ଥିଲେ ବି ଡାକ୍ତର କିମ୍ବା କୈାଣସି ଟେକ୍ନିକାଲ କର୍ମଚାରୀ ନଥିଲେ। କେୟାରବାଙ୍କ ଗ୍ରାମର ଝଜି ଦାସଙ୍କ ଏକ ମେଣ୍ଢାକୁ କୁକୁର କାମୁଡି ଦେଇଥିବାରୁ ସେ ତାକୁ ଚିକିତ୍ସା କରିବାକୁ ଆସିଥିଲେ। ଝଜି ପ୍ରାୟ ୨ ଘଣ୍ଟା‌ ଧରି ଅପେକ୍ଷା କରିଥିଲେ। ଖବରପାଇ ଛପାଲି ଲାଇଫ୍‌ଷ୍ଟକ ଇନ୍‌ସପେକ୍ଟର ସତ୍ୟରଂଜନ ରାଉତ ପହଁଚି ଉକ୍ତ ମେଣ୍ଢାର ଚିକିତ୍ସା କରିଥିଲେ। ସେହିପରି ଜଅଁରା ଗ୍ରାମର ପ୍ରଫୁଲ୍ଲ ପରିଡାଙ୍କ ଏକ ଗାଈ ଗତ ୨୦ ତାରିଖରେ ଚିକିତ୍ସା ଅବହେଳା ପାଇଁ ମୃତ୍ୟୁ ବରଣ କରିଥିଲା। ତେବେ ସେ ମୃତ ଗାଈର ବୀମା ସମ୍ପର୍କିତ କାଗଜପତ୍ର ଧରି ଅନେକ ଥର ଉକ୍ତ ପଶୁ ଚିକିତ୍ସାଳୟକୁ ଆସୁଥିଲେ ହେଁ ତାଙ୍କର କୈାଣସି କାର୍ଯ୍ୟ ହେଉ ନ ଥିବା ଅଭିଯୋଗ କରିଛନ୍ତି।

ସେହିପରି ଅମିରାବାଦ ଗ୍ରାମର ପରମାନନ୍ଦ ଦାସ, ଦଧିପୁର ଗ୍ରାମର କ୍ଷୀରୋଦ ପ୍ରଧାନ, ମଙ୍ଗଳପୁର ଗ୍ରାମର ଭ୍ରମରବର ବେହେରା, ଗହ୍ମା ଗ୍ରାମର ବସନ୍ତ ସାହୁ, ଚଡାଇଗୁଆଁ ଗ୍ରାମର ଅରୁଣ କୁମାର ରାଉତ ଓ ମଙ୍ଗଳପୁର ଗ୍ରାମର କେ.ସି ବେହେରା ପ୍ରମୁଖ ଗୃହ ପାଳିତ ପଶୁଙ୍କ ମଳମୂତ୍ର ପରୀକ୍ଷା ନିମନ୍ତେ ଆସିଥିବା ବେଳେ ଦୀର୍ଘ ସମୟଧରି ପଶୁ ଡାକ୍ତରଖାନାରେ କେହି ଟେକ୍ନିସିଆନ ନଥିବା କାରଣରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି। ଏ ସମ୍ପର୍କରେ ମହାକାଳପଡା ପଶୁ ଚିକିତ୍ସାଧିକାରୀ ଡାକ୍ତର ଅମରେଶ ସ୍ବାଇଁ କହିଛନ୍ତି, ଚିକିତ୍ସାଳୟରେ କର୍ମଚାରୀ ସଂଖ୍ୟା କମ୍। ଆଜି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଥିବା କାରଣରୁ ଏପରି ଅବସ୍ଥା ହୋଇଛି। ତେବେ ଛପାଲୀରୁ ଲାଇଫଷ୍ଟକ ଇନ୍‌ସପେକ୍ଟର ଆସି ପହଁଚିବା ପରେ ସମସ୍ୟାର ସମାଧାନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe