ସରକାରୀ ଯୋଜନା କାହା ପାଇଁ? ଆଖିବୁଜିଲେ ଅସହାୟ ବାସବ

Advertisment
ସରକାରୀ ଯୋଜନା କାହା ପାଇଁ? ଆଖିବୁଜିଲେ ଅସହାୟ ବାସବ

Sambad

ରାଜନଗର: ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ମାତ୍ର ଯୋଜନା ଅସହାୟ ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଦୀର୍ଘ ୪୦ବର୍ଷରୁ ଅଧିକ ସମୟରୁ ରାସ୍ତାକଡ଼ରେ ପଲା ମାରି ରହୁଥିବା ବାସବ ସେଠୀଙ୍କ ପରିବାରକୁ ଆଜିଯାଏ ଘରଡିହ ମିଳିପାରିନାହିଁ। ଜମିପଟ୍ଟା ନ ଥିବାରୁ ସରକାରୀ କୋଠା ଏହି ଦୁଃସ୍ଥ ପରିବାର ପାଇଁ ସାତସପନ ହୋଇଛି। ବସୁନ୍ଧରା ଯୋଜନାରେ ଘରଡିହ ପାଇଁ ଦୌଡି ଦୌଡି ନୟାନ୍ତ ହେବା ପରେ ଶେଷରେ ଆଖି ବୁଜିଛନ୍ତି ବାସବ ସେଠୀ। ଦୁଃସ୍ଥ ଓ ଅସହାୟ ହୋଇଥିବାରୁ ଗ୍ରାମବାସୀ ଟଙ୍କା ଆଦାୟ କରି ତାଙ୍କ ଶବ ସତ୍କାର କରିଛନ୍ତି। ବର୍ଷେ ତଳେ ମା’ଙ୍କୁ ହରାଇଥିଲେ। ଏବେ ବାପାଙ୍କୁ ହରାଇ ନାବାଳକ ପୁଅ, ଝିଅ ଅନାଥ ହୋଇଯାଇଛନ୍ତି। ଘରେ ଥିବା ୬୫ ବର୍ଷୀୟା ବୁଢୀ ମା’ କାନ୍ଧରେ ଏବେ ନାତିନାତୁଣୀଙ୍କ ବୋଝ। ବୁଢୀ ମା’ ପୁଅର ଦଶାହ କର୍ମ କିପରି କରିବେ, ଏଥିପାଇଁ ଟଙ୍କା କେଉଁଠୁ ଆସିବ, ସେ ନେଇ କାନ୍ଦି କାନ୍ଦି ମାଟିରେ ଲୋଟିଯାଉଛନ୍ତି। ରାଜନଗର ବ୍ଲକ ଓସ୍ତିଆ ପଂଚାୟତ ବନ୍ଧପାଟଣା ଗାଁରୁ ଆସିଛି ଏପରି ଅବଭାନୀୟ ଚିତ୍ର। ବନ୍ଧପାଟଣା ଗାଁର ବାସବ ସେଠୀ (୪୬) ସୋମବାର ରାତିରେ ଆଖି ବୁଜିଛନ୍ତି। ବାପା ଗୋପୀନାଥ ସେଠୀ ବନ୍ଧପାଟଣା ରାସ୍ତାକଡ଼ରେ ଦୀର୍ଘ ୫୦ ବର୍ଷ ହେଲା ପଲା ମାରି ରହି ଆସୁଛନ୍ତି। ଗୋପୀନାଥଙ୍କ ମୃତ୍ୟୁ ପରେ ତାଙ୍କର ଦୁଇ ପୁଅ କେଶବ ଓ ବାସବ ରାସ୍ତାକଡରେ ଭଙ୍ଗା ଚାଳଘରେ ରହୁଛନ୍ତି। କେଶବ ଭିକ ମାଗି ପରିବାର ଚଳାଉଥିବା ବେଳେ ବାସବ ମୂଲ ଲାଗି ପରିବାର ଚଳାଉଥିଲେ।

ଗତବର୍ଷ ଚିକିତ୍ସା ଅଭାବରୁ ବାସବଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା। ବାସବ ବିଭିନ୍ନ ରୋଗରେ ପୀଡିତ ଥିଲେ ଓ ଅର୍ଥାଭାବରୁ ଚିକିତ୍ସିତ ନ ହୋଇ ଘରେ ଥିଲେ। ଅତ୍ୟନ୍ତ ଗରିବ ପରିବାର ହୋଇଥିବାରୁ ବନ୍ଧପାଟଣା ଗ୍ରାମବାସୀ ଟଙ୍କା ଆଦାୟ କରି ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି। ଘରେ ତାଙ୍କର ୧୪ ବର୍ଷର ପୁଅ ଶିବ ପ୍ରସାଦ, ୧୬ ବର୍ଷର ଝିଅ ମମତା ଓ ୬୫ ବର୍ଷୀୟ ବୁଢିମା’ ମିଟିଲତା। ବାସବଙ୍କ ମୃତ୍ୟୁ ପରେ ଏହି ପରିବାର କ’ଣ ଖାଇବେ ଓ କିପରି ଚଳିବେ ସେ ନେଇ ଚିନ୍ତାରେ ପଡିଛନ୍ତି। ଅନ୍ୟପଟେ ବାସବ ରାସନକାର୍ଡ ପାଇଥିଲେ ମଧ୍ୟ ଆଜି ଯାଏ ସରକାରୀ କୋଠା ପାଇପାରିନାହାନ୍ତି। ପ୍ରଶାସନର ଯୁକ୍ତି ହେଲା ଦୁଇଭାଇଙ୍କ ଘରଡିହ ନଥିବାରୁ ସେମାନଙ୍କୁ ସରକାରୀ କୋଠା ଯୋଗାଇ ଦିଆଯାଇପାରୁନି। ଏପଟେ ବସୁନ୍ଧରା ଯୋଜନାରେ କେଶବ ଓ ବାସବ ରାଜନଗର ତହସିଲରେ ଘରଡିହ ପାଇଁ ଦୀର୍ଘବର୍ଷ ହେଲା ଆବେଦନ କରିଥିଲେ ବି କିଛି ଲାଭ ହୋଇନି। ଶେଷରେ ଗତକାଲି ରାତିରେ ସେ ଆଖି ବୁଜିଛନ୍ତି। ବାପା, ମା’ଙ୍କୁ ହରାଇ ଅନାଥ ହୋଇଯାଇଥିବା ପୁଅ, ଝିଅ କିପରି ଚଳିବେ ଓ ବାପାଙ୍କ ଶୁଦ୍ଧିକ୍ରିୟା କରିବେ, ସେ ନେଇ ଚିନ୍ତାରେ ପଡିଛନ୍ତି। ଜିଲ୍ଲା ପ୍ରଶାସନ ଏହି ସମ୍ବେଦନଶୀଳ ଘଟଣା ପ୍ରତି ଦୃଷ୍ଟି ଦେବା ସହ ବାସବର ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ସହିତ ଅନାଥ ଭାଇଭଉଣୀଙ୍କୁ ପ୍ରାଶାସନିକ ସହଯୋଗ ଯୋଗାଇ ଦେବାକୁ ବନ୍ଧପାଟଣା ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe