ବ୍ଲକ୍‌ ଅଫିସ ଆଗରେ ଦଳିତ ଅଧିକାର ମଞ୍ଚ କର୍ମକର୍ତ୍ତାଙ୍କ ଧାରଣା

Advertisment

ଲର୍କି ଗ୍ରାମବାସୀଙ୍କ ୪ ମାସର ପିଡିଏସ୍‌ ଚାଉଳ ଗାଏବ ଘଟଣା

ଲର୍କି ଗ୍ରାମବାସୀଙ୍କ ୪ ମାସର ପିଡିଏସ୍‌ ଚାଉଳ ଗାଏବ ଘଟଣା

ବ୍ଲକ୍‌ ଅଫିସ ଆଗରେ ଦଳିତ ଅଧିକାର ମଞ୍ଚ କର୍ମକର୍ତ୍ତାଙ୍କ ଧାରଣା

କୋମନା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ଗଣ୍ଡାମେର ପଞ୍ଚାୟତ ଲର୍କି ଗ୍ରାମବାସୀଙ୍କ ୪ ମାସର ପିଡିଏସ୍‌ ଚାଉଳ ଘଟଣାରେ ସୋମବାର ଗ୍ରାମବାସୀଙ୍କ ସହ ଦଳିତ ଅଧିକାରୀ ମଞ୍ଚର କର୍ମକର୍ତ୍ତା ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣାରେ ବସିଥିଲେ। ବିଡିଓ ଧାରଣାସ୍ଥଳରେ ପହଞ୍ଚି ଆସନ୍ତା ୫ ତାରିଖ ଭିତରେ ଚାଉଳ ଦେବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ପରେ ଆନ୍ଦୋଳନକାରୀ ଧାରଣାରୁ ଉଠିଥିଲେ। ସୂଚନାନୁସାରେ ଲର୍କି ଗ୍ରାମର ଶତାଧିକ ହିତାଧିକାରୀ ୪ ମାସ ହେଲା ପିଡିଏସ୍‌ ଚାଉଳ ପାଉନାହାନ୍ତି। ପଞ୍ଚାୟତ ଅଫିସ୍‌କୁ ଚାଉଳ ପାଇଁ ଗଲେ ଯୋଗାଣ ସହାୟକ ଲୋକଙ୍କୁ ହରାଇଣ କରୁଥିବା ନେଇ ପଞ୍ଚାୟତରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ଗ୍ରାମବାସୀ ବିଡିଓଙ୍କୁ ଅଭିଯୋଗ କରିଥିଲେ।

ବିଡିଓ ଏ ବିଷୟରେ ଯୋଗାଣ ସହାୟକଙ୍କୁ ତାଗିଦ କରିବାରୁ ରଥଯାତ୍ରା ଦିନ ସକାଳୁ ଗ୍ରାମବାସୀଙ୍କୁ ଚାଉଳ ଦେବାକୁ ଯୋଗାଣ ସହାୟକ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଅନୁସାରେ ଗ୍ରାମବାସୀ ରଥଯାତ୍ରା ଦିନ ପଞ୍ଚାୟତକୁ ଚାଉଳ ଆଣିବାକୁ ଯାଉଥିବା ବେଳେ ଯୋଗାଣ ସହାୟକ ଗ୍ରାମବାସୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ୨୧ ତାରିଖରେ କୋମନା ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରିବା ସହ ବିଡିଓଙ୍କ ଅନୁପସ୍ଥିତିରେ ସହକାରୀ ଯନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ପରେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଦୁଇଦିନ ଭିତରେ ଚାଉଳ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ପ୍ରଶାସନର ପ୍ରତିଶ୍ରୁତି ଅନୁସାରେ ଦୁଇଦିନ ବିତିଯାଇଥିଲେ ମଧ୍ୟ ଚାଉଳ ନପାଇବାରୁ ସୋମବାର ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଲୋଚନ ତାଣ୍ଡିଙ୍କ ନେତୃତ୍ବରେ ଶତାଧିକ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଆସି ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

publive-image

ପରେ ବିଡିଓଙ୍କୁ ସାକ୍ଷାତ କରି ଆଲୋଚନା କରିବାକୁ ଚାହିଥିଲେ। ମାତ୍ର ବିଡିଓ ଅଭିଯୋଗ ଶୁଣାଣି ଶିବିରକୁ ଯାଇଥିବାରୁ ବିକ୍ଷୋଭକାରୀମାନେ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପୁଲିସ ଓ ବ୍ଲକ୍‌ ପ୍ରଶାସନ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନକାରୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଖବର ପାଇ ବିଡିଓ ସୁଶାନ୍ତ ରଣା ଅପରାହ୍ଣ ୩ଟାରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଆସନ୍ତା ଜୁଲାଇ ୫ ତାରିଖ ଭିତରେ ଚାଉଳ ଦେବାକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନକାରୀ ଧାରଣାର ଉଠିଥିଲେ। ଆସନ୍ତା ୫ ତାରିଖ ଭିତରେ ଚାଉଳ ଦିଆନଗଲେ ୬ ତାରିଖ ଜାତୀୟ ରାଜପଥ ଅବରୋଧ କରି ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଧାରଣାରେ ରାଜ୍ୟ ଦଳିତ ଅଧିକାରୀ ମଞ୍ଚର ରାଜ୍ୟ ସଭାପତି ଶ୍ରୀ ତାଣ୍ଡିଙ୍କ ସହ ଜିଲ୍ଲା ସଭାପତି ରଂଜନ ସେନାପତି, ମହେନ୍ଦ୍ର ନାଗ, ଲକ୍ଷପତି ସୁନା, ବେଦବର ହରପାଲ, ସୁରେଶ କୁମାର, ମୁଖ ସୁନା, ସଂକୀର୍ତ୍ତନ ସୁନା, ଦେବଦାସ ନିଆଲ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe