ଆଇଓସିଏଲ ପାଇପ୍ ଲାଇନରୁ ଛୁଟୁଛି ଡିଜେଲ ସ୍ରୋତ

Advertisment
ଆଇଓସିଏଲ ପାଇପ୍ ଲାଇନରୁ ଛୁଟୁଛି ଡିଜେଲ ସ୍ରୋତ

ଆଳି: ଓଡ଼ିଶାର ପାରାଦୀପରୁ ଭାୟା ସୋମନାଥପୁର ଦେଇ ପଶ୍ଚିମବଙ୍ଗର ହଳଦିଆକୁ ଯାଇଥିବା ଆଇଓସିଏଲ ପାଇପ୍ ଲାଇନ୍ ଗତକାଲି ରାତିରୁ ଫାଟି ଡିଜେଲ୍ ସୁଅ ଛୁଟିଛି।ଆଳି ଥାନା ବ୍ରାହ୍ମଣୀ ନଦୀତଟବର୍ତ୍ତୀ ନରେନ୍ଦ୍ରପୁର ନିକଟସ୍ଥ ଭେଡାରେ ଯାଇଥିବା ପାଇପ୍ ଲାଇନରେ ଏହି ବିଭ୍ରାଟ ଘଟିଛି। ପାଇପ୍ ଲାଇନ୍ ଆପଣାଛାଏଁ ଫାଟିଛି କିମ୍ବା କେହି ଦୁର୍ବୃତ୍ତ ଚୋରି ପାଇଁ ଏଭଳି କାଣ୍ଡ ଘଟାଇଛନ୍ତି ତାହା ଜଣାପଡିନାହିଁ।

ଫଟା ପାଇପରୁ ବିପୁଳ ପରିମାଣର ଡିଜେଲ୍ ଲିକ୍ ହୋଇ ନରେନ୍ଦ୍ରପୁର ଭେଡା ଡିଜେଲରେ ଭାସୁଛି। ଏହି ସୂଚନା ପାଇବା ପରେ ଆଇଓସିଏଲ୍ ଅଧିକାରୀଙ୍କ ଆଖିରୁ ନିଦ ହଜିଯାଇଛି। ଆଇଓସିଏଲର ପାଟ୍ରୋଲିଂ ଟିମ୍ ନରେନ୍ଦ୍ରପୁରର ଏହି ସ୍ଥାନକୁ ଚିହ୍ନଟ କରିବା ପରେ କମ୍ପାନୀର ବୈଷୟିକ ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ଶତାଧିକ କର୍ମଚାରୀ ଘଟଣାସ୍ଥଳରେ ଅସ୍ଥାୟୀ ତମ୍ବୁ ପକାଇ ଲିକ୍ ହୋଇଥିବା ଡିଜେଲ୍ ଉଦ୍ଧାର କରିବା କାମରେ ଲାଗିଛନ୍ତି। ସନ୍ଧ୍ୟା ସୁଦ୍ଧା ନରେନ୍ଦ୍ରପୁର ଭେଡାର ଏକ ଗାଡ଼ିଆରୁ ୬ ହଜାର ଲିଟର ଲିକ୍ ଡିଜେଲ୍ ଉଦ୍ଧାର ହୋଇ ଗୋଟିଏ ଟ୍ୟାଙ୍କର ଭର୍ତ୍ତି ହୋଇଥିବା ବେଳେ ତେଲ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।

publive-image

ପାଇପ୍ ଲାଇନର ତୈଳ ସରବରାହ ନିୟନ୍ତ୍ରଣ କେନ୍ଦ୍ର ଗୁଡିକୁ ବନ୍ଦ କରାଯାଇଥିବା ବିଭାଗୀୟ ଅଧିକାରୀ ଅବୋଧ କିଶୋର ସୂଚନା ଦେଇଥିବା ବେଳେ ରାତି ପର୍ଯ୍ୟନ୍ତ ତେଲ ଲିକ୍ ଜାରି ରହିଛି। ନରେନ୍ଦ୍ରପୁର ଭେଡା ଅଞ୍ଚଳରେ ଫଟା ପାଇପ୍ ଲାଇନରୁ ବାହାରୁଥିବା ଡିଜେଲ୍ ଗନ୍ଧରେ ନାକ ଫାଟି ପଡୁଛି। ରାତିରେ ଆଇଓସିଏଲ ଅଧିକାରୀମାନେ ବିଭିନ୍ନ ଯନ୍ତ୍ରପାତି ଲଗାଇ ତେଲ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ପାଇପ୍ ଫାଟିଛି କିମ୍ବା ଚୋରୀ ଉଦ୍ଦେଶ୍ୟରେ ପାଇପ୍ ଫୁଟା ଯାଇଛି ତାହା ସଂପୃକ୍ତ ସ୍ଥାନରେ ପାଇପ୍ ଖୋଳା ହେବାପରେ ଜଣାପଡିବ ଓ ତେଲ ଉଦ୍ଧାର ପରେ ମରାମତି କାର୍ଯ୍ୟ ହେବ ବୋଲି ବିଭାଗୀୟ ଅଧିକାରୀ ମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe