କଳାହାଣ୍ଡି ଜିଲ୍ଲାରେ ବୃକ୍ଷରୋପଣ ନାଁରେ ବ୍ୟାପକ ଦୁର୍ନୀତି 

Advertisment

ଏଭିନ୍ୟୁ ପ୍ଲାଣ୍ଟେସନ କେବଳ କାଗଜ କଲମରେ

ଏଭିନ୍ୟୁ ପ୍ଲାଣ୍ଟେସନ କେବଳ କାଗଜ କଲମରେ

କଳାହାଣ୍ଡି ଜିଲ୍ଲାରେ ବୃକ୍ଷରୋପଣ ନାଁରେ ବ୍ୟାପକ ଦୁର୍ନୀତି 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବନାଞ୍ଚଳ ଅଧୀନରେ ବୃକ୍ଷରୋପଣ ନାଁରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସୁଛି। ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ସରକାରଙ୍କଠାରୁ ଜିଲ୍ଲାକୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଥିବା ବେଳେ ଅସାଧୁ କର୍ମାଚାରୀଙ୍କ ମିଳିତ ମେଣ୍ଟ କାରଣରୁ ଅନୁଦାନ ରାଶି ବ୍ୟାପକ ରୂପେ ବାଟବଣା ହେଉଥିବା ଅଭିଯୋଗ ହେଉଛି। ଏନେଇ ବିଭାଗୀୟ ଅଧିକାରୀଙ୍କଠାରେ ଅଭିଯୋଗ ହେଉଥିଲେ ମଧ୍ୟ ସେମାନେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହେଉଛି।

ପ୍ରକାଶ ଯେ, ୨୦୧୫-୧୬ ଆର୍ଥିକ ବର୍ଷରୁ କଳାହାଣ୍ଡି ଜିଲ୍ଲାର ଉତ୍ତର ବନଖଣ୍ଡର ମଦନପୁର ରାମପୁର ଓ ନର୍ଲା ବନାଞ୍ଚଳର ବିଭିନ୍ନ ଜାଗାରେ କାମ୍ପା, ମନରେଗା, ଆମ ଜଙ୍ଗଲ ଯୋଜନାରେ ବୃକ୍ଷରୋପଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଆସିଛି। ଏହି ଅନୁଦାନ ତୃଣମୂଳ ସ୍ତରରେ ସଦୁପଯୋଗ ହୋଇ ନଥିବା କାରଣରୁ ସାଧାରଣରେ ଉଦବେଗ ପ୍ରକାଶ ପାଉଛି। ଯାହାର ଜ୍ୱଳନ୍ତ ଉଦାହରଣ ମଦନପୁର ରାମପୁର ବନାଞ୍ଚଳ ଅଧୀନସ୍ଥ ନୁନପୁର ଛକରୁ ନୁନପୁର, ନର୍ଲା ବନାଞ୍ଚଳ ଅଧୀନସ୍ଥ ଶ୍ରୀପାଲି ଗୁମ୍ମୁ ଓ ଶ୍ରୀପାଲି ବେଲଗାଁ ରାସ୍ତା କଡ଼ର ଏଭିନ୍ୟୁ ପ୍ଲାଣ୍ଟେସନକୁ ଦେଖିଲେ ଜଣାପଡ଼େ।

୨୦୧୬-୧୭ ବର୍ଷରେ ଏହି ଏଭେନ୍ୟୁ ପ୍ଲାଣ୍ଟେସନ କାର୍ଯ୍ୟ ହୋଇଥିଲା। ରାମପୁର ମଦନପୁର ପୂର୍ତ୍ତ ବିଭାଗୀୟ ରାସ୍ତା ନୁନପୁର ଛକରୁ ନୁନପୁରକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କର ଦୁଇ ପାର୍ଶ୍ବରେ ୨ ଲକ୍ଷ ୮୩ ହଜାର ଟଙ୍କା ବ୍ୟୟରେ ବୃକ୍ଷରୋପଣ ହୋଇଥିବା ସୂଚନଫଳକରେ ଦର୍ଶାଯାଇଛି। ବାସ୍ତବ କ୍ଷେତ୍ରରେ ଏହି ରାସ୍ତାର ଦୁଇ ପାର୍ଶ୍ଵରେ ଗୋଟାଏ ବି ଗଛ ନଥିବା ଦେଖିବାକୁ ମିଳିଛି। ବୃକ୍ଷରୋପଣ ପରେ ରକ୍ଷଣାବେକ୍ଷଣ ବାବଦକୁ ତିନି ବର୍ଷ ମଧ୍ୟରେ ଲକ୍ଷାଧିକ ଟଙ୍କା ବିଲ୍‌ ହୋଇଛି। ସରକାରୀ ବାବୁମାନଙ୍କ ବେପାରୁଆ ମ‌ନୋଭାବ ଯୋଗୁଁ ଏହି ଅର୍ଥ ମଧ୍ୟ ହରିଲୁଟ କରାଯାଇଥିବା ଅଭିଯୋଗ ହେଉଛି। ସେହିଭଳି ଶ୍ରୀପାଲି ଗ୍ରାମରୁ ଗୁମ୍ମୁ ଓ ବେଲଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ଦୁଇ ପାର୍ଶ୍ଵରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି।

୨୦୧୬-୧୭ରେ ମନରେଗା ଯୋଜନାର ୧୦ ଲକ୍ଷ ଅନୁଦାନରେ ବୃକ୍ଷରୋପଣ ହୋଇଥିଲା। ବନ ବିଭାଗ କର୍ମଚାରୀଙ୍କ ବେପାରୁଆ କାର୍ଯ୍ୟକଳାପ ଯୋଗୁଁ ଏହି ରାସ୍ତାରେ ଗୋଟିଏ ବି ଗଛ ନଥିବା ଦେଖିବାକୁ ମିଳିଛି। ବୃକ୍ଷରୋପଣ ଓ ତିନି ବର୍ଷର ରକ୍ଷଣାବେକ୍ଷଣ ନାଁରେ ଦଶଲକ୍ଷ ଟଙ୍କାରୁ ଅଧିକ ବିଲ୍‌ କରି ଆତ୍ମସାତ କରିଥିବା ଅଭିଯୋଗ ଆସୁଛି। ୨୦୧୬-୧୭ ଆର୍ଥିକ ବର୍ଷରେ ବନୀକରଣ ନାଁରେ ବିଲ୍‌ ହୋଇଥିବା ବେଳେ ୨୦୨୦-୨୧ରେ ମଧ୍ୟ ଶ୍ରୀପାଲି ଠାରୁ ବେଲଗାଁ ପୁନଃ ବୃକ୍ଷରୋପଣ ହୋଇଥିବା ଦେଖିବାକୁ ମିଳିଛି।

ଏନେଇ ସୂଚନା ଅଧିକାରରେ ତଥ୍ୟ ମାଗିବାରୁ ବୃକ୍ଷରୋପଣ ହୋଇଥିଲା, କିନ୍ତୁ ଗାଈ ଗୋରୁ ଛେଳି ମେଣ୍ଢା ଖାଇ ନଷ୍ଟ କରିଦେଇଛନ୍ତି ବୋଲି ସୂଚନା ଫର୍ଦରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ସତରେ ଏଠି ବୃକ୍ଷରୋପଣ ହୋଇଥିଲା ତାହେଲେ ବନବିଭାଗ ତରଫରୁ ରକ୍ଷଣାବେକ୍ଷଣ ଅଭାବ କାରଣରୁ ଗଛଗୁଡ଼ିକ ମରି ଯାଇଥିବା ଜଣାପଡୁଛି। ଏହା ବନ ବିଭାଗର ଅସଲ ରୂପକୁ ପର୍ଦାଫାସ କରୁଥିବା ବେଳେ ବନୀକରଣ କେବଳ ଏକ ପ୍ରହସନ ବୋଲି ସ୍ପଷ୍ଟ ଅନୁମେୟ ହେଉଛି। ଏହାର ଏକ ବିଧିବଦ୍ଧ ତଦନ୍ତ କରାଗଲେ ବହୁ ଗୁମର ଫିଟିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe