ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବଙ୍ଗିଦା ପଞ୍ଚାୟତର କଙ୍କଣହାର ଠାରେ ଗତ ୨୧ ଦିନ ଧରି ଚାଲିଥିବା ‘ନାଗଫାଶ ବନ୍ଧନ ଓ ଇନ୍ଦ୍ରଜିତ ବଧ’ ଶୀର୍ଷକ ରାମ ନାଟକ ଆଜି ଉଦଯାପିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଆୟୋଜକ କମିଟିର ଅଧ୍ୟକ୍ଷ ମାଧବ ଚନ୍ଦ୍ର ରାଉତରାୟ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା ବିଜେଡି ରାଜ୍ୟ ମହିଳା ମୋର୍ଚ୍ଚାର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗ ଦେଇଥିଲେ। ଖୋର୍ଦ୍ଧାରେ ରାମ ନାଟକର ପରମ୍ପରା ଓ ଏହାର ଐତିହାସିକ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରିଥିଲେ। ଖୋର୍ଦ୍ଧାରେ ବିଭିନ୍ନ ସ୍ଥାନରେ ଯେଉଁ ଭଳି ଭାବେ ରାମ ନାଟକ ନିରବଚ୍ଛିନ୍ନ ଭାବେ ଶତାଧିକ ବର୍ଷ ଧରି ସଫଳତାରେ ସହକାରେ ଚାଲିଆସୁଛି ତାହା ଓଡ଼ିଶାର ଧାର୍ମିକ ସାଂସ୍କୃତିକ ପରମ୍ପରାର ଏକ ଅନବଦ୍ୟ କୃତି ବୋଲି କହିଥିଲେ।
ଏହି ଅବସରରେ ନାଟକର କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କମିଟିର ସଦସ୍ୟ ରଜନୀକାନ୍ତ ରଣବିଜୁଳି, ଶ୍ରୀଧର ବେହେରା, ସନାତନ ସାହୁ, ତାରେଶ୍ୱର ସୁନ୍ଦରାୟ, ଟୁନା ସାହୁ, ମହେଶ୍ୱର ସାହୁ, କୃଷ୍ଣଚନ୍ଦ୍ର ସାହୁ, ଲଳିତ ମୋହନ ରାଉତରାୟ ପ୍ରମୁଖ ୨୧ ଦିନ ଧରି ଚାଲିଥିବା ନାଟକ ଓ ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Follow Us