ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ କାରସାଦି; ଜାଲ୍‌ କାଗଜପତ୍ର କରି ଟଙ୍କା ହଡ଼ପ

Advertisment
ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ କାରସାଦି; ଜାଲ୍‌ କାଗଜପତ୍ର କରି ଟଙ୍କା ହଡ଼ପ

Aaj Tak

ବରଗଡ଼: ବରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ନୂଆ ନୂଆ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ମିଳୁନାହିଁ। ଅଥଚ, ଜାଲ୍‌ କାଗଜପତ୍ର କରି ବୀମା ଟଙ୍କା ହଡପ୍‌ ପାଇଁ କାରସାଦି ଚାଲିଛି। ଗୁରୁବାର ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତ‌ାରେ ବୀମା ଅସଂଗତି ଦୂର କରିବା ପାଇଁ ତ୍ରିପାକ୍ଷିକ ବୈଠକ ବସିଛି। ଏଥିରେ ପ୍ରଶାସନ, କମ୍ପାନି ପ୍ରତିନିଧି ଏବଂ ଚାଷୀ ସଂଗଠନ ସାମିଲ ଥିଲେ। ବୈଠକରେ ଉଦ୍‌ବେଗ ଚିତ୍ର ସାମନାକୁ ଆସିଛି। କମ୍ପାନିର ହିସାବ କହୁଛି, ଜିଲ୍ଲାରେ ୪୫୮ ଆବେଦନକାରୀ ସରକାରୀ ଜମିରେ ଫସଲ ବୀମା କରିଛନ୍ତି, ୬୫୫୩୫ଟି ଆବେଦନ ଚାଷ ହୋଇନଥିବା ଜମିରେ ହୋଇଛି। ୫୭୭୨ ଜଣ ଅସାଧୁ ଭାବେ ବୀମା କରିଛନ୍ତି। ସେମାନଙ୍କ ଭିତରୁ ୬୫୬ ଜଣ ଆବେଦନକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବେ ଅସାଧୁ ଭାବେ ବୀମା କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀ ସଂଗଠନମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ବୀମା କମ୍ପାନି ପୂର୍ବରୁ ୨୩୬୩୨ଟି ଆବେଦନରେ ଆବଶ୍ୟକୀୟ କାଗଜପତ୍ର ନଥିବା କହି ତାକୁ ଫେରାଇ ଦେଇଥିଲା। ବିଶେଷ କରି ଜମି ସମ୍ପର୍କିତ ପ୍ରମାଣପତ୍ର ଦେଇ ନ ଥିବା କାରଣରୁ ବହୁ ଆବେଦନ ଖାରଜ ହୋଇଥିଲା। ରାଜସ୍ବ ନିରୀକ୍ଷକ ଘରଘର ବୁଲି ତଥ୍ୟ ଯୋଗାଡ଼ କରିବା ପରେ ବର୍ତ୍ତମାନ ସୁଦ୍ଧା ୧୪୨୭୮ଟି ଆବେଦନ ପୁନଃ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ବଳକା ଚାଷୀଙ୍କ ଆବେଦନ ଉପରେ ମଧ୍ୟ ବିହିତ ପଦକ୍ଷେପ ନେବାକୁ ଚାଷୀମାନେ ବୈଠକରେ ଦାବି କରିଛନ୍ତି। ସେହିପରି, ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା କ୍ରପ୍‌ କଟିଂକୁ ଠିକ୍‌ ପରିଚାଳନା ପାଇଁ ଏକ କମିଟି ଗଠନ କରିବାକୁ ଦାବି ହୋଇଛି। ଯେଉଁଥିରେ ରାଜସ୍ବ, ପରିସଂଖ୍ୟାନ ଓ କୃଷି ବିଭାଗ ସଦସ୍ୟ ରହିବେ। ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ ଧାନ ଅମଳକୁ ଦୃଷ୍ଟିରେ ରଖି ନଭେମ୍ବର ପହିଲାରୁ ଧାନ ମଣ୍ଡି ଖୋଲିବା ପାଇଁ ଦାବି କରିଛନ୍ତି। ବୈଠକରେ ଏଡିଏମ୍ ଲଲାଟ ଲୁହା, ଉପଜିଲ୍ଲାପାଳ ଆଲୋକ ପଟେଲ, ରାଜବୋଡାସମ୍ବର କୃଷକ ସଙ୍ଗଠନରୁ ଲିଙ୍ଗରାଜ ପଧାନ, ରୋହିତ ପଧାନ, କୈଳାସ ବାରିକ, ପ୍ରଭାତ ସାହୁ, ବବ୍ରୁବାହନ ସାହୁ, ନିରଞ୍ଜନ ପଧାନ, ଶାନ୍ତନୁ ପଧାନ, ପ୍ରକାଶ ପଧାନ, ରାଜେନ୍ଦ୍ର ଦେହେରୀ, ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନର ବୃଷଭାନୁ ସାହୁ, ବସନ୍ତ ବାରିକ, ବରଗଡ଼ ଜିଲ୍ଲା କୃଷକ ସଙ୍ଗଠନର ରବୀନ୍ଦ୍ର ବିଶି, ସୌକିଲାଲ ମେହେର, ସୁରେଶ ଚାନ୍ଦ, କିଶୋର ଦେବତା ଏବଂ ରମେଶ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe