ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି: ଘର ପାଇବାକୁ ହେଲେ ଲାଞ୍ଚ ଦେବାକୁ ପଡୁଛି ମଦ-କୁକୁଡ଼ା!

Advertisment
ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି: ଘର ପାଇବାକୁ ହେଲେ ଲାଞ୍ଚ ଦେବାକୁ ପଡୁଛି ମଦ-କୁକୁଡ଼ା!

ଖଡ଼ିଆଳ: ନୂଆପଡା ଜିଲ୍ଲା କୋଟାମାଲ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବାଣ୍ଟିବା ନେଇ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। ଆବାସ ପାଇଁ ଗ୍ରାମପଞ୍ଚୟତ ଅଧିକାରୀମାନେ ଗରିବ ଲୋକମାନଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଗରିବ ଲୋକଙ୍କ ଠାରୁ ଅଧିକାରୀମାନେ ଦେଶୀ କୁକୁଡ଼ା ଓ ମଦ ଲାଞ୍ଚ ନେଇ ଘର ଦେଉଛନ୍ତି। ୨୦୧୧ ଜନ ଗଣନା ତାଲିକାର ପ୍ରଥମରେ ଥିଲେ ମଧ୍ୟ କିଛି ହିତାଧିକାରୀଙ୍କୁ ଗୃହ ମିଳିପାରି ନାହିଁ। ଫଳରେ ଗରିବ ଲୋକମାନେ ବାସ ଗୃହ ପାଇଁ ଆକୁଳ ନିବେଦନ କରିଛନ୍ତି।

ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତସ୍ଥିତ କୋଟାମାଲ ଗାଁର ଗରିବ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ ବଞ୍ଚିତ ହୋଇଛନ୍ତି। ତାଲିକାର କ୍ରମିକ ନମ୍ବର ଅନୁସାରେ ଜଣକ ପରେ ଜଣେ ବାସ ଗୃହ ପାଇବାର ନିୟମ ରହିଛି। ହେଲେ କୋଟାମାଲ ଗାଁରେ ଏହା ବ୍ୟତିକ୍ରମ ଦେଖାଯାଇଛି। ଗ୍ରାମ ପଞ୍ଚାୟତର ଅଧିକାରୀମାନେ ଲାଞ୍ଚ କାରବାରରେ ଲିପ୍ତ ରହି ଉପରୁ ତଳକୁ କରି ଦେଇଛନ୍ତି।

ବାସଗୃହ ପାଇବାକୁ ହେଲେ ଟଙ୍କା, କୁକୁଡ଼ା ଦେବାକୁ ପଡିବ ବୋଲି ଖୁଲମଖୁଲା କହୁଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ବାସହରା ଗରିବ ଲୋକମାନଙ୍କ ମୁଣ୍ଡ ଉପରେ ଛାଇ ଟିକେ ଦେବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ଯାହାକି ଗରିବ ଲୋକମାନଙ୍କ ପାଇଁ ଆଶାବାଦୀ ସଦୃଶ।

ଗରିବ ଲୋକମାନଙ୍କ ପାଇଁ ହୋଇଥିବା ଯୋଜନାରେ ବ୍ୟପକ ଦୁର୍ନୀତିର ବାସ୍ନା ଦେଖାଦେଇଛି। ରାଜ୍ୟ ସରକାର ‘ମୋ ସରକାର’ ସ୍ଲୋଗାନ ଦେଇ ୫-ଟିକୁ ଡିଣ୍ଡିମ ଦେଉଛନ୍ତି କିନ୍ତୁ ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମ ପଂଚାୟତରେ ଖାତିର ନାହିଁ। ଟଙ୍କା ଦିଅ ଘର ନିଅ ସ୍ଲୋଗାନ ଚାଲିଥିବା ଜଣାପଡିଛି।

ଘଟଣାର ସତ୍ୟତା ଜାଣିବା ବିଷୟରେ ‘ସମ୍ବାଦ’ ପ୍ରତିନିଧି ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗଙ୍କୁ ଭେଟିଥିଲେ। ଶ୍ରୀ ବାଗ କହିଛନ୍ତି , ମୋ ଜାଣତରେ କୌଣସି ଲାଞ୍ଚ କାରବାର ହେଉ ନାହିଁ। ଯେଉଁମାନେ ଏହି କାରବାର କରୁଛନ୍ତି ବୋଲି ଅଭିଯୋଗ ହେଉଛି, ଏହାର ତଦନ୍ତ ହେବ। ଦୋଷୀ ସାବ୍ୟସ୍ତ ହେଲେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗରିବ ହିତାଧିକାରୀମାନେ ହେଲେ କଇଁ ଫୁଲ ସାହୁ, ସଜ ନାଗ ଓ ଯୋଶବନ୍ତ ସାହୁ । ଏମାନଙ୍କ ଅଭିଯୋଗ ଅନୁସାରେ ଗ୍ରାମ ପଞ୍ଚାୟତ ଅଧିକାରୀମାନେ ଟଙ୍କା ଓ କୁକୁଡ଼ା ପାଇ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସରେ କିଛି ଲୋକଙ୍କୁ ଆଗୁଆ ଘର ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe