ଯାଜପୁରରେ ନିର୍ବାଚନୀ ହିଂସା: ୧୪ ଜଣଙ୍କୁ ଗିରଫ କଲା ପୁଲିସ

ଯାଜପୁରରେ ନିର୍ବାଚନୀ ହିଂସା: ୧୪ ଜଣଙ୍କୁ ଗିରଫ କଲା ପୁଲିସ

ଯାଜପୁର: ଯାଜପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଶୃଙ୍ଖଳା କରିଥିବା ୧୪ ଜଣଙ୍କୁ ଗିରଫ କରିଛି ପୁଲିସ | ଗତକାଲି ଯାଜପୁର ଓ ଧର୍ମଶାଳା ବ୍ଲକର ୧୦ଟି ବୁଥରେ ବୁଥ ଜବରଦଖଲ, ଟାମ୍ପରିଂ, ପୁଲିସକୁ ମାଡ, ପୁଲିସ ଗାଡି ଭାଙ୍ଗିବା ଅଭିଯୋଗରେ ଗିରଫ କରାଯାଇଛି | ରାତି ତମାମ ବିଭିନ୍ନ ଅଂଚଳରେ ଚଢାଉ କରି ଗିରଫ କରାଯାଇଥିବା ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଗତକାଲି ରୁଦ୍ରପୁର ପଞ୍ଚାୟତରେ ନିର୍ବାଚନୀ ହିଂସା ଘଟି ୧୧ ଆହତ ଓ ୩ ଗୁରୁତର ହୋଇଥିଲେ । ରୁଦ୍ରପୁର ଓ ସିଠାଳୋଇ ଗ୍ରାମର ୧, ୬, ୪ ଓ ୫ ନମ୍ବର ୱାର୍ଡରେ ମଧ୍ୟାହ୍ନ ୧୨ଟାରେ କିଛି ବ୍ୟକ୍ତି ବୁଥ୍‌ ଜବରଦଖଲ କରି ଭୋଟ ବାଡ଼େଇଥିଲେ। ଏହାକୁ ବିରୋଧ କରିବାରୁ ମାରପିଟ ଆରମ୍ଭ ହୋଇଥିଲା। ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା |

publive-image

ଆଉ ଜୋର ଜବରଦସ୍ତ ଭୋଟ ଦେବା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି | ଯାଜପୁର ବ୍ଲକ ରୁଦ୍ରପୁର ପଂଚାୟତ ୫ ନଂ ବୁଥରେ ଏହି ଘଟଣା ଘଟିଥିଲା | ଗତକାଲି ଘଟଣାରେ ଗିରଫ ହୋଇଥିବା ଦୁଇ ଜଣ ହେଉଛନ୍ତି କରୁଣାକର ଆଚାର୍ଯ୍ୟ ଓ ମାନିନାଥ ସାହୁ | ଗିରଫ କରୁଣାକର ଆଚାର୍ଯ୍ୟ ନିଜେ ସରପଂଚ ପ୍ରାର୍ଥୀ ଥିବାବେଳେ ଏହି ବୁଥ ରାଗିଂ ଘଟଣାରେ କରୁଣାକରଙ୍କ ସହ ତାଙ୍କର ଝିଅ ଓ ଦୁଇ ପୁଅ ବି ସାମିଲ ହୋଇଥିବା ଭିଡିଓରୁ ଜଣା ପଡିଥିଲା | ସେହିପରି ଗତକାଲି ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତ କାକୁଡ଼ିକୁଦ ନୀଳକଣ୍ଠପୁର ପ୍ରଥମିକ ବିଦ୍ୟାଳୟରେ ୧୦ ଓ ୧୧ ନମ୍ବର ବୁଥ୍‌ରେ ଜବରଦସ୍ତ କିଛି ଲୋକ ଭୋଟ ଦେଇଥିଲେ ।

୧୦ ନମ୍ବର ବୁଥ୍‌ର କିଛି ଭୋଟର ପ୍ରିଜାଇଡିଂ ଅଧିକାରୀଙ୍କୁ କାବୁ କରି ମନଇଚ୍ଛା ଭୋଟ ଦେଇଥିଲେ। ବିପକ୍ଷ ଦଳ ତରଫରୁ ଏହାକୁ ବିରୋଧ କରାଯାଇ ଯାଜପୁର ସଦର ପୁଲିସକୁ ଖବର ଦିଆଯାଇଥିଲା। ମାତ୍ର ପୁଲିସକୁ ବି ସେମାନେ ଗୋଡ଼ାଇଥିଲେ। ଟେକା ପଥର ମାଡ଼ରେ ତିନୋଟି ପୁଲିସ ଭ୍ୟାନ ଭାଙ୍ଗିଥିଲା। ଜଣେ ମହିଳା ପୁଲିସ କର୍ମଚାରୀ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe