ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପ୍ରତିବାଦରେ ରାସ୍ତାରୋକ ; ବିଜେପି ନେତା, କର୍ମୀଙ୍କୁ ଉଠାଇନେଲା ପୁଲିସ୍

Advertisment
ବସ୍ତି ବାସିନ୍ଦାଙ୍କୁ ଉଚ୍ଛେଦ ପ୍ରତିବାଦରେ ରାସ୍ତାରୋକ ; ବିଜେପି ନେତା, କର୍ମୀଙ୍କୁ ଉଠାଇନେଲା ପୁଲିସ୍

ରାୟଗଡ଼ା : ବସ୍ତି ବାସିନ୍ଦାଙ୍କୁ ରେଲୱେ ଅଞ୍ଚଳରୁ ଉଚ୍ଛେଦର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି। ସହରର ୩ ପ୍ରବେଶ ପଥରେ ଦଳର ନେତା, କର୍ମୀ ଧାରଣାରେ ବସି ରହିଥିବା ବେଳେ ସମସ୍ତଙ୍କୁ ପୁଲିସ୍ ଉଠାଇ ନେଇଛି। ୧୩ ଜଣଙ୍କ ନାଁରେ ମାମଲା ରୁଜୁ ପରେ ଉତ୍ତ୍ୟକ୍ତ ବସ୍ତି ବାସିନ୍ଦା, ଦଳୀୟ କର୍ମୀ ଥାନା ଘେରାଉ କରି ୨ ଘଣ୍ଟା ଧରି ଧାରଣାରେ ବସି ରହିଥିଲେ। ଅତିରିକ୍ତ ତହସିଲଦାର ସୁନୀଲ ଖରା, ପୌର ନିର୍ବାହୀ ଅଧିକାରୀ ୟାସିର୍ ବିଲାଲ ଅହମ୍ମଦ ପହଞ୍ଚି ତୁରନ୍ତ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି  ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ରାୟଗଡ଼ା ସହରର ଭୀମା ସାହି, କାମିନି ସାହି, କୁକୁଡ଼ାଫାର୍ମ, କୋଇଲାପଡ଼ା, ନୂଆ ସାହି, ଦୈନିକ ବଜାର ସମେତ ଅନ୍ୟ କିଛି ଅଞ୍ଚଳରେ ୩ ହଜାରରୁ ଉର୍ଧ୍ବ ବସ୍ତି ବାସିନ୍ଦା ବସବାସ କରି ଆସୁଛନ୍ତି। ଦୀର୍ଘ ୪୦/୫୦ ବର୍ଷ ହେଲା ବସ୍ତି ବାସିନ୍ଦା ରହି ଆସୁଥବା ବେଳେ ଗତ ୨ ବର୍ଷ ହେଲା ଉଚ୍ଛେଦ ପାଇଁ ରେଳ ବିଭାଗ ନୋଟିସ୍ ଜାରି କରି ଆସୁଛି। ରାୟଗଡ଼ାରେ ନୂତନ ରେଳ ଡିଭିଜନ୍ ପ୍ରତିଷ୍ଠା ପାଇଁ ଜାଗାର ଆବଶ୍ୟକତା ଥିବାରୁ ରେଳ ବିଭାଗ ନୋଟିସ୍ ଜାରି କରି ୨/୩ଟି ବସ୍ତିରୁ ଉଚ୍ଛେଦ ପ୍ରକ୍ରିୟା ସାରିଲାଣି। ଉଚ୍ଛେଦ ପୂର୍ବରୁ ଥଇଥାନ ପାଇଁ ବସ୍ତି ବାସିନ୍ଦା ଦାବି କରୁଥିବାରୁ  ପ୍ରଶାସନ ପକ୍ଷରୁ ଜନସ୍ବାସ୍ଥ୍ୟ ବିଭାଗ ଅଫିସ୍ ପାର୍ଶ୍ବ ନାଗାବଳୀ ନଦୀକୂଳରେ ୧୪.୧ ଏକର, ସରକାରୀ ତାଲିମ୍ ପ୍ରତିଷ୍ଠାନ ଓ ଝୁଲା ପୋଲ ନିକଟରେ ୫.୫ ଏକର ଲେଖାଁଏ ୧୧ ଏକର ଜମି ଚିହ୍ନଟ ହୋଇଛି। ହେଲେ ଆଜି ସୁଦ୍ଧା ଉକ୍ତ ଜମି ବସ୍ତି ବାସିନ୍ଦାଙ୍କୁ ହସ୍ତାନ୍ତର ହୋଇନି। ଫଳରେ ବିଜେପି ପକ୍ଷରୁ ଆଜି ରାସ୍ତାରୋକ କରାଯାଇଥିଲା। ବିଜେପି ନେତା ବସନ୍ତ ଉଲାକା, ନଗର ସଭାପତି ଶ୍ୟାମ ଦାଶ, ନଗର ସାଧାରଣ ସଂପାଦକ ପ୍ରଶାନ୍ତ ପଟ୍ଟନାୟକ, ବିଦ୍ୟା ପଣ୍ଡା, ଅଜୟ ଚୁଲେଟ୍, ସନ୍ତୋଷ ମିଶ୍ର, ପି. ମୁରଲି, ମଞ୍ଜୁଳା ମିଣିଆକା, ଝରଣା ମହାନ୍ତି, ହଳଧର ମିଶ୍ର, ଏମ୍. ଜଗଦୀଶଙ୍କ ସମେତ ବହୁ କର୍ମୀ ଧାରଣାରେ ବସିଥିବା ବେଳେ ପୁଲିସ୍ ଉଠାଇ ନେଇଥିଲା। ପୁଲିସର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନକୁ ବିରୋଧ କରି ବିଜେପି କର୍ମୀ ଥାନା ଆଗରେ ଧାରଣାରେ ବସି ରହିଥିଲେ। ବୁଝାଶୁଝା ଓ ପ୍ରତିଶ୍ରୁତି ପରେ ବିଜେପି ଧାରଣା ପ୍ରତ୍ୟାହୃତ କରି ନେବା ସହ ବସ୍ତି ବାସିନ୍ଦାଙ୍କ ଥଇଥାନ ଦିଗରେ ପ୍ରଶାସନ ବିଳମ୍ବ କଲେ ପୁଣି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ନଗର ବିଜେପି ସଭାପତି ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe