ଧଉଳି: ସ୍ଥାୟୀ ନିଯୁକ୍ତି ଦାବିରେ ନବୀନ ନିବାସ ଅଭିମୁଖେ ଦାବି ଉପସ୍ଥାପନ କରିବାକୁ ଯାଉଥିବା କୋଭିଡ଼ -୧୯ ପାରା ମେଡ଼ିକାଲ ସ୍ବାସ୍ଥ୍ୟକର୍ମୀ ସଂଘ ଶୋଭାଯାତ୍ରାକୁ ଆଜି ପୁଲିସ ଉତରା ଛକରେ ଅଟକାଇ ଦେଇଥିଲା। ଫଳରେ ସଂଘର ୫୦ରୁ ଅଧିକ କର୍ମଚାରୀ ଦାବି ପୂରଣ ପାଇଁ ଏଠାରେ ଦୀର୍ଘ ସମୟ ଧରି ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହେଲେ ସ୍ବାସ୍ଥ୍ୟ ବିଭାଗର କୌଣସି ପଦସ୍ଥ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କ ସହ ଏନେଇ ଆଲୋଚନା ନକରିବା ନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ସଂଘର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟମାନେ ପୁରୀରୁ ଏକ ଶୋଭାଯାତ୍ରାରେ ବାହାରି ମଧ୍ୟାହ୍ନରେ ଉତ୍ତରା ଛକ ନିକଟରେ ପହଞ୍ଚିଥିଲେ।
ପାରାମେଡ଼ିକାଲ କର୍ମଚାରୀ ସଂଘ ନବୀନ ନିବାସ ଅଭିମୁଖେ ଯାଉଥିବା ସଂପର୍କରେ ଖବର ପାଇ ପ୍ରସ୍ତୁତ ହୋଇ ଥିବା ଧଉଳି ଥାନା ପୁଲିସ ଓ ବାଳକାଟି ଫାଣ୍ଡି ପୁଲିସ ସମେତ ପୁଲିସ ଫୋର୍ସ ସେମାନଙ୍କୁ ଘେରି ଉତରା ଛକରେ ଅଟକାଇ ଥିଲେ। ଫଳରେ କର୍ମଚାରୀ ସଂଘ ଶୋଭାଯାତ୍ରା ଆଉ ନବୀନ ନିବାସ ଯାଇପାରି ନଥିଲା। ଏନେଇ ଘଟଣାସ୍ଥଳରେ କର୍ମଚାରୀ ସଂଘ ଏହାର ଦୃଢ଼ ପ୍ରତିବାଦ କରିଥିଲା। ସ୍ଥାନୀୟ ମାର୍କେଟ କଂପ୍ଲେକ୍ସ ସମ୍ମୁଖରେ ସେମାନେ ଧାରଣାରେ ବସି ରହିଥିଲେ।
ସେମାନଙ୍କର ନାର୍ଯ୍ୟ ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଂଘ ଧାରଣାରୁ ହଟିବ ନାହିଁ ବୋଲି ବିଭିନ୍ନ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ସଂଘର ଏକ ୧୧ ଜଣିଆ ପ୍ରତିନିଧି କମିସିନରେଟ ପୁଲିସ ତତ୍ବାବଧାନରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଅଭିମୁଖେ ଯାଇଥିବା ଜଣାପଡ଼ିଛି। ହେଲେ ରିପୋର୍ଟ ଲେଖା ହେବା ବେଳକୁ ସଂଧ୍ୟା ୭ଟା ସୁଦ୍ଧା କର୍ମଚାରୀମାନେ ଧାରଣାରୁ ହଟିନଥିବା ସୂଚନା ମିଳିଛି।
Follow Us