Sambad
ଜୟପୁର: ଜବରଦଖଲକାରୀଙ୍କ କବଜାରେ ରହିଛି ଜୟପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମାତ୍ର ୫୦୦ମିଟର ମଧ୍ୟରେ ରହିଥିବା ପୋନାଙ୍ଗୀ ‘ଏ’ ସ˚ରକ୍ଷିତ ଜଙ୍ଗଲ। ଏତେ ବଡ ସଂରକ୍ଷିତ ଜଙ୍ଗଲର ସୁରକ୍ଷା ଏବଂ ପାଚେରୀ କହିଲେ କିଛି ସୁଖିଲା ବାଉଁଶ ବାଡ଼ି। ଜଙ୍ଗଲର ଗୋଟିଏ ପାର୍ଶ୍ବକୁ ପାରାବେଢ଼ା ଏବଂ ଅନ୍ୟପାର୍ଶ୍ବକୁ ଖ୍ରୀଷ୍ଠୀୟାନ ସାହି ଓ ସ୍ବୟଂଶାସିତ ବିକ୍ରମ ଦେବ ମହାବିଦ୍ୟାଳୟକୁ ଲାଗିକି ରହିଛି। ଏହାର ପରିଧି ୨୪.୪୫ଏକର ମଧ୍ୟରେ ୨୪ଟି ପିଲର ମଧ୍ୟରେ ସୀମିତ ରହିଛି। ଛୋଟ ପାହାଡ଼କୁ ୧୯୮୫ମସିହା ନଭେମ୍ବର ୭ତାରିଖ ଦିନ ଏହାକୁ ସଂରକ୍ଷିତ ଜଙ୍ଗଲ ଭାବେ କରାଯିବା ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସହର ମଧ୍ୟରେ ଏବଂ ଦୁଇ ପ୍ରମୁଖ ସାହିକୁ ଲାଗିକି ରହିଥିବାରୁ ଲୋକେ ଏହାକୁ ଜବରଦଖଲ କରି ସଂଖ୍ୟାଧିକ ଘର ନିର୍ମାଣ କରିଛନ୍ତି।
ଅନ୍ୟପକ୍ଷରେ ବିଭାଗ ପକ୍ଷରୁ ଏହାର ସୁରକ୍ଷା ଯେଭଳି କରି ବାରବେଡ଼୍ କିମ୍ବା ଅନ୍ୟ କିଛି ବ୍ୟବସ୍ଥା କରିବା କଥା କରି ନାହାଁନ୍ତି। ନାମକୁ ମାତ୍ର ବାଉଁଶର ବାଡ଼ ଚାରିପଟେ ଲଗାଯାଇଛି। ଏହି ବାଉଁଶ ବାଡ଼ିକୁ ହଟାଇ ଉଭୟ ଅଂଚଳବାସୀ ଏହି ପରିସରକୁ ଶୌଚାଳୟ ଭାବେ ବ୍ୟବହାର କରିବା ସହ ଜମିବି ନିଜ ଅକ୍ତିଆରରେ ରଖି ଘର ଉପରେ ଘର ନିର୍ମାଣ କରି ଚାଳିଛନ୍ତି। ଦିନ ତମାମ ଏଠାରେ ପ୍ରେମିକ, ପ୍ରେମିକଙ୍କ ଆଡ୍ଡା ଜମୁଥିବା ବେଳେ ସଂଧ୍ୟା ନଇଁବା ମାତ୍ରକେ ଅସାମାଜିକ, ମଦ୍ୟପ, ନିଶାଡି, ଅପରାଧୀ ମାନଙ୍କର ଆଡ୍ଡା ସ୍ଥଳୀ ପାଲଟୁଛି।
Sambadଏସବୁକୁ ଦୃଷ୍ଟିରେ ରଖି ଗତ ୧୨ବର୍ଷ ତଳେ ଏହାର ସୁରକ୍ଷା ଦେବା ଏବଂ ଲୋକଙ୍କ ମନୋରଂଜନ ପାଇଁ ଏଠାରେ ଗୁପ୍ତେଶ୍ବର ଇକୋପାର୍କ କରିବାକୁ ଯୋଜନା କରାଯାଇଥିଲା। ତେବେ ଏହା କେବଳ ଭିତ୍ତିପ୍ରସ୍ତର ସ୍ଥାପନ ଓ ବ୍ଲୁପ୍ରିଣ୍ଟର କାଗଜକଲମ ମଧ୍ୟରେ ସୀମିତ ହୋଇ ରହିଛି। ରାଜ୍ୟ ମୁଖ୍ୟ ବନସଂରକ୍ଷକଙ୍କ ନିକଟକୁ ପାର୍କ ନିର୍ମାଣ ପାଇଁ ଯାଇଥିବା ବଜେଟ ଓ ଡିଟେଲ ପ୍ଲାନିଂ ୧୨ବର୍ଷ ପରେ ବି କିଛି ପ୍ରତିଉତ୍ତର ଆସି ନାହିଁ।
ଅନ୍ୟପକ୍ଷରେ ପାର୍କ ନ ହେବା ଏବଂ ବିଭାଗର ଉଦାସୀନତା ଯୋଗୁଁ ଦିନକୁ ଦିନ ସଂରକ୍ଷିତ ଜଙ୍ଗଲ ଜମିରେ ଜବରଦଖଲ ବୃଦ୍ଦି ପାଇଛି। ସହର ମଧ୍ୟରେ ଏହି ଜଙ୍ଗଲଟି ରହିଥିବାରୁ କିଛି ନ୍ୟାସ୍ତ ସ୍ବାର୍ଥ ଜବରଦଖଲକାରୀ ପ୍ରଥମେ ଜମିକୁ ମାଡ଼ି ବସି ପରେ ଅମୁଲମୂଲରେ ଏହି ଜମିକୁ ଅନ୍ୟ ମାନଙ୍କୁ ବି ବିକ୍ରି କରୁଥିବା ବି ନଜିର ରହିଛି। ଜମି ଜବରଦଖଲ ସଂପର୍କରେ ଡ୍ରୋନସର୍ଭେ ବେଳେ ଜାଣି ପାରିଥିଲୁ ବୋଲି କହିଛନ୍ତି ଜୟପୁର ରେଂଜର ରଶ୍ମିରଂଜନ ସ୍ବାଇଁ। ଗୋଟିଏ ପାର୍ଶ୍ବରେ ୫ହଜାର ବୃକ୍ଷରୋପଣ କରାଯାଇଛି। ବାଉଁଶବାଡ଼ ହିଁ କରାଯାଇଛି ବୋଲି କହିଛନ୍ତି ରେଂଜର। ଇକୋ ପାର୍କ ହେବା କଥା ଶୁଣିଥିଲି କିନ୍ତୁ କେତେ ଦୁର କଣ ଅଗ୍ରଗତି ହୋଇଛି ମୁଁ ଜାଣିନି ବୋଲି କହିଛନ୍ତି ରେଂଜର ସ୍ବାଇଁ।
Follow Us