ଗ୍ରାମୀଣ ପରିବେଶକୁ ମନଲୋଭା କରୁଛି ସରୋବର, ଉଦ୍ୟାନ

ଗ୍ରାମୀଣ ପରିବେଶକୁ ମନଲୋଭା କରୁଛି ସରୋବର, ଉଦ୍ୟାନ

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ୍‌ର ଭୂଷଣ୍ଡପୁରଠାରେ ଏକ ଅମୃତ ସରୋବର ପୋଖରୀକୁ ନେଇ ସୁନ୍ଦର ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଇଛି। ଏହାର ପାର୍ଶ୍ଵରେ ନିର୍ମାଣ କରାଯାଇଛି ଏକ ଉଦ୍ୟାନ। ଅତି ସୁନ୍ଦର ଓ ମନୋରମ ଶୈଳୀରେ ନିର୍ମିତ ଏହି ସ୍ଥାନଟିରେ ପର୍ଯ୍ୟଟକଙ୍କ ଅବସର ବିନୋଦନ ପାଇଁ ସମସ୍ତ ପ୍ରକାଶ ବ୍ୟବସ୍ଥା କରାଯାଉଛି। ଏକ ଗ୍ରାମୀଣ ପରିବେଶରେ ଜଳକ୍ରୀଡ଼ା ପରି ଭିତ୍ତିଭୂମି ପ୍ରସ୍ତୁତ କରିବାର ଯୋଜନା କରାଯାଇଥିବା ସ୍ଥାନୀୟ ସରପଞ୍ଚ ଯଯାତି କେଶରୀ ରାଉତ ପ୍ରକାଶ କରିଛନ୍ତି। ବିଶେଷକରି ସନ୍ଧ୍ୟାରେ ଏଠାରେ ଶତାଧିକ ଲୋକଙ୍କ ଆଗମ ହେଉଛି।
ସରପଞ୍ଚଙ୍କ ସୂଚନା ଅନୁସାରେ ଭୂଷଣ୍ଡପୁର ଗ୍ରାମରେ ୨୧ ଏକର ୨୩ ଡେସିମିଲ ପରିମିତ ପତିତ ଓ ଅନାବାଦୀ ଜମି ପଡ଼ିରହିଥିଲା। ଏହାର ପୁନରୁଦ୍ଧାର ପାଇଁ ସରପଞ୍ଚ ଯଯାତି କେଶରୀ ଉଦ୍ୟମ ଆରମ୍ଭ କରିଥିଲେ। ପଥରକଟା ନାମରେ ୭ ଏକର ପରିମିତ ଜମିରେ ପୂର୍ବରୁ ଥିବା ପୋଖରୀକୁ ଅମୃତ ସରୋବର ନାମରେ ନାମିତ କରି ତାହାକୁ ନବୀକରଣ କରାଯାଇଛି। ଏଥିପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ସେହିପରି ଏହାର ଚାରିକଡ଼ରେ ଲୁହାବାଡ଼ ଦିଆଯାଇଛି। ବିଭିନ୍ନ କିସମର ଫୁଲ ଗଛ ଲଗାଯାଇ ପରିବେଶକୁ ସୌନ୍ଦର୍ଯ୍ୟମୟ କରାଯାଇଛି। ଲୋକମାନଙ୍କୁ ଅଧିକ ମନୋରଂଜନ ଯୋଗାଇବା ନିମନ୍ତେ ଦୁର୍ଗାପୂଜା ପୂର୍ବରୁ ଦୁଇଟି ବୋଟ୍‌ କିଣାଯାଇ ବୋଟିଂ କରିବାର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟାରେ ଲୋକମାନେ ଏଠାରେ ବୋଟିଂର ମଜା ନେଉଛନ୍ତି। ସେହିପରି ୧୦ ଲକ୍ଷ ଟଙ୍କାର ବ୍ୟୟବରାଦରେ ଏହି ସରୋବରକୁ ଲାଗି ବାରୁଣାବନ୍ତ ପର୍ଯ୍ୟଟନସ୍ଥଳୀ ନିର୍ମାଣ କରାଯାଇଛି। ଏଠାରେ ଏକ ଯଜ୍ଞ ମଣ୍ଡପ ଓ ଅନ୍ୟାନ୍ୟ ନିର୍ମାଣ କରାଯାଇଛି। ମହାବିନାୟକ ପୀଠରୁ ଅଳ୍ପ ଦୂରରେ ସ୍ଥାନଟି ଥିବାରୁ ପର୍ଯ୍ୟଟକଙ୍କୁ ଏହା ଆକୃଷ୍ଟ କରିବ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।
ବଡ଼ଚଣା ବ୍ଲକ୍‌ର ଭୂଷଣ୍ଡପୁରଠାରେ ପ୍ରଥମ କରି ଏଭଳି ଏକ ଉଦ୍ୟାନ ନିର୍ମାଣ କରାଯାଇଥିବାରୁ ଏହି ପଞ୍ଚାୟତକୁ ଗତ ସ୍ବାଧୀନତା ଦିବସରେ ଯାଜପୁରଠାରେ ଆୟୋଜିତ ଉତ୍ସବରେ ଶ୍ରେଷ୍ଠ ଅମୃତ ସରୋବର ସମ୍ମାନ ପ୍ରଦାନ କରାଯାଇଥିଲା। ଏଭଳି ଏକ ସରୋବର ଓ ପର୍ଯ୍ୟଟନସ୍ଥଳୀ ନିର୍ମାଣ କରିଥିବାରୁ ସରପଞ୍ଚ ରାଉତଙ୍କୁ ବିଧାୟକ ଅମର ପ୍ରସାଦ ଶତପଥୀ ଉଚ୍ଚ ପ୍ରଶଂସା କରିଛନ୍ତି। ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏଠାରେ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଥିପାଇଁ ସେଡ୍‌ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏଠାରେ ମହିଳାମାନେ ଛତୁଚାଷ, ଆଚାର, ପାମ୍ପଡ଼ ଓ ଶାଳପତ୍ର ଖଲି ତିଆରି କରି ସ୍ୱାବଲମ୍ବୀ ହୋଇପାରିବେ ବୋଲି ସରପଞ୍ଚ ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe