ସାମ୍ଭାବ୍ୟ ଅଦିନିଆ ବର୍ଷାକୁ ନେଇ ଜିଲ୍ଲା କୃଷି ବିଭାଗ ତତ୍ପର; ଚାଷୀଙ୍କ ଫସଲ ସୁରକ୍ଷା ନେଇ ଦେଲା ଚେତାବନୀ

Advertisment
ସାମ୍ଭାବ୍ୟ ଅଦିନିଆ ବର୍ଷାକୁ ନେଇ ଜିଲ୍ଲା କୃଷି ବିଭାଗ ତତ୍ପର; ଚାଷୀଙ୍କ ଫସଲ ସୁରକ୍ଷା ନେଇ ଦେଲା ଚେତାବନୀ

ରାୟଗଡା: ଭାରତୀୟ ପାଣିପାଗ ବିଭାଗର ସ୍ୱତନ୍ତ୍ର ବାର୍ତ୍ତା ଗତ ଡିସେମ୍ବର ୧ ତାରିଖ ଅନୁଯାୟୀ ଆସନ୍ତା ଡିସେମ୍ବର ୫ ତାରିଖରୁ ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ ଓ ଗଜପତି ଆଦି ଜିଲ୍ଳାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଳାଗୁଡିକୁ ଅରେଂଜ ଆଲର୍ଟ କରାଯାଇଛି। ଏହି ପରିପ୍ରେକ୍ଷୀରେ ସମ୍ଭାବ୍ୟ ଅଦିନିଆ ବର୍ଷା ପରିପ୍ରେକ୍ଷୀରେ ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ରାୟଗଡା ଜିଲ୍ଳା କୃଷି ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ପରାମର୍ଶ ଦିଆଯାଉଥିବା ନେଇ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ ପ୍ରକାଶ କରିଛନ୍ତି। ବିଶେଷ କରି କଟା ହୋଇଯାଇଥିବା ଧାନକୁ ବେଙ୍ଗୁଳା କରି ଦେବା, ଅମଳ ଉପଯୋଗୀ ଧାନ ଓ ଅନ୍ୟାନ୍ୟ ଫସଲକୁ ଡିସେମ୍ବର ୪ତାରିଖ ପୂର୍ବରୁ ଅମଳ କରିବା, କଟା ଧାନକୁ ବିଲରେ ନ ଶୁଖାଇବା, ଅମଳ ଉପଯୋଗୀ କପା ଫସଲକୁ ଅତି ଶୀଘ୍ର ଅମଳ କରିବା ଏବଂ ସୁରକ୍ଷିତ ସ୍ଥାନରେ ସାଇତି ରଖିବା ନେଇ ଚେତାବନୀ ଦିଆଯାଇଛି।

ସେହିପରି ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବା ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଜଳସେଚନ, ସାର ପ୍ରୟୋଗ ଓ କୀଟନାଶକ ଔଷଧ ସିଂଚନ ସାମୟିକ ବନ୍ଦ ରଖିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଜିଲ୍ଳାର ୧୧ଗୋଟି ବ୍ଳକରେ ପ୍ରଚାର ପ୍ରସାର କରାଯାଉଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଏଥିସହ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୩ତାରିଖରୁ ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ବିଭାଗୀୟ କ୍ଷେତ୍ର ଅଧିକାରୀମାନଙ୍କ ଛୁଟି ବାତିଲ କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି।

ତେବେ ଜିଲ୍ଳାରେ ଗତ ସପ୍ତାହରେ ହୋଇଥିବା ଅଦିନିଆ ବର୍ଷା ଜିଲ୍ଳାର ଅନେକ ଚାଷୀଙ୍କ ଫସଲକୁ ନଷ୍ଟ କରି ଦେଇଥିବା ବେଳେ ଆସୁଥିବା ସମ୍ଭାବ୍ୟ ଅଦିନିଆ ବର୍ଷା ଅଧିକ ପ୍ରଭାବିତ କରିପାରେ ତାହାକୁ ନେଇ ଚିନ୍ତାରେ ଚାଷୀକୂଳ ରହିଛନ୍ତି। ଜରୁରୀ କାଳୀନ ବିଭାଗ ପକ୍ଷରୁ ଜିଲ୍ଲା ପାଇଁ କୌଣସି ସମସ୍ୟା ନଥିବା କହୁଥିଲେ ମଧ୍ୟ ସାମ୍ଭାବ୍ୟ ଅଦିନିଆ ବର୍ଷା କୃଷକଙ୍କର ବର୍ଷକର ଫସଲକୁ ନଷ୍ଟ କରିବାରେ ସଫଳ ହେବ ବୋଲି କୁହାଯାଇଛି। ତେଣୁ କୃଷକମାନେ ନିଜ ନିଜ ଫସଲକୁ ଏବେ ଠାରୁ ସୁରକ୍ଷିତ ରଖିବା ପାଇଁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe