ଆବାସ ଯୋଜନା ସାତ ସପନ, ୧୮ ଜଣିଆ ତାଲିକାରେ ନାହିଁ ପ୍ରଫୁଲ୍ଲଙ୍କ ନାଁ

Advertisment
ଆବାସ ଯୋଜନା ସାତ ସପନ, ୧୮ ଜଣିଆ ତାଲିକାରେ ନାହିଁ ପ୍ରଫୁଲ୍ଲଙ୍କ ନାଁ

Sambad

ବାଲିକୁଦା: ବାଲିକୁଦା ବ୍ଲକ ଅଧୀନ ଇଚ୍ଛାପୁର ପଞ୍ଚାୟତ ନରଣପୁର ଗ୍ରାମର ଗରିବ ପରିବାରର ପ୍ରଫୁଲ୍ଲ କୁମାର ବାରିକ ଦୀର୍ଘ ଦିନ ହେବ ଆବାସ ଯୋଜନାରୁ ବଞ୍ଚିତ। ମୁଣ୍ଡ ଗୁଞ୍ଜିବା ପାଇଁ ବଖୁରିକିଆ ଚାଳ ଛପର ଘର ଭରସା। ଜରାଜୀର୍ଣ୍ଣ ଥିବାରୁ ବର୍ଷା ଦିନରେ ଘରେ ପାଣି ଗଳେ। ଏହି ଘର ଭିତରେ ବୃଦ୍ଧ ଦମ୍ପତି ଅସହାୟ ଅବସ୍ଥାରେ ଥିଲେ ହେଁ ପ୍ରଶାସନ ସେମାନଙ୍କ ପାଇଁ ସମ୍ବେଦନଶୂନ୍ୟ ଆଚରଣ କରୁଛି। ପ୍ରଫୁଲ୍ଲ ଘରଟିଏ ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟ, ସରପଞ୍ଚଙ୍କ ନିକଟରେ ଗୁହାରି କରିଥିଲେ ସୁଦ୍ଧା ସଦ୍ୟ ପ୍ରକାଶିତ ୧୮ ଜଣିଆ ତାଲିକାରେ ତାଙ୍କ ନାମ ପ୍ରକାଶ ପାଇ ନାହିଁ। ଯାହାକୁ ନେଇ ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ପରିବାର ରହିବା ପାଇଁ ଆବାସ ଯୋଜନାର ସୁନେଲି ସ୍ବପ୍ନ ଦେଖାଉଥିବା ବେଳେ ଏହି ପରିବାର ପାଇଁ  ଦୀର୍ଘ ଦିନ ହେବ ପକା ଘରଟିଏ ସାତ ସପନ ପାଲଟିଛି।

ଅନ୍ୟପକ୍ଷରେ ଏହି ଗରିବ ପରିବାର ଉପରେ କିଭଳି ପ୍ରଶାସନର ଶୁଭ ନଜର ପଡ଼ିନାହିଁ ତାକୁ ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ।ଗତ ୩ ବର୍ଷ ହେବ କୌଣସି ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ନଥିବା ବେଳେ ଚଳିତ ବର୍ଷ ଇଚ୍ଛାପୁର ପଞ୍ଚାୟତରୁ ଆବାସ ଯୋଜନାରେ ମାତ୍ର ୧୮ ଜଣଙ୍କ ତାଲିକା ପ୍ରକାଶ ପାଇଛି। ତେବେ ଏହି ଦମ୍ପତି ପୁନର୍ବାର ଆଜି ବାଲିକୁଦା ବ୍ଲକ ବିଡିଓ ଜିତେନ୍ଦ୍ର ନାୟକଙ୍କୁ ଭେଟି ସେ ଘର ପାଇବା ପାଇଁ ଯୋଗ୍ୟ କି ନାହିଁ ତାର ତଦନ୍ତ କରିବାକୁ ଅନୁରୋଧ କରିବା ସହ ଏକ ଘର ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏନେଇ ବିଡିଓ କିମ୍ବା ସରପଞ୍ଚଙ୍କ ପତିକ୍ରିୟା ମିଳି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe