ଦୁର୍ଗମ ଅଞ୍ଚଳରେ ଥମୁନି ଜନନୀ ଯନ୍ତ୍ରଣା: କାଶୀପୁରରେ ଖଟିଆରେ ୨କିମି ବୁହାହେଲେ ଗର୍ଭବତୀ

Advertisment

୩ ଦିନ ମଧ୍ୟରେ ଦ୍ଵିତୀୟ ଦୁଃଖଦ ଘଟଣା

୩ ଦିନ ମଧ୍ୟରେ ଦ୍ଵିତୀୟ ଦୁଃଖଦ ଘଟଣା

ଦୁର୍ଗମ ଅଞ୍ଚଳରେ ଥମୁନି ଜନନୀ ଯନ୍ତ୍ରଣା: କାଶୀପୁରରେ ଖଟିଆରେ ୨କିମି ବୁହାହେଲେ ଗର୍ଭବତୀ

କାଶୀପୁର: ଦୁର୍ଗମ ଅଂଚଳରେ ଗମନାଗମନର ବ୍ୟାପକ ଅସୁବିଧା ଥିବାରୁ ମହିଳାମାନଙ୍କୁ ପ୍ରସବ ବେଦନାରେ ଛଟପଟ ହେବାକୁ ପଡୁଛି। ଗାଁକୁ ପକ୍କା ରାସ୍ତା ନଥିବାରୁ ଦୁର୍ଗମ ଅଂଚଳର ମହିଳାମାନେ ପ୍ରସବ ବେଦନା ସମୟରେ ଛଟପଟ ହେଉଥିବା ବେଳେ ୧୦୨ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ଫଳରେ ପ୍ରସବ ବେଦନା ପାଉଥିବା ମହିଳାଙ୍କ ଲାଗି ଗାଁ ଲୋକ, ଆମ୍ବୁଲାନ୍ସ କର୍ମଚାରୀ ଓ ଆଶାକର୍ମୀଙ୍କୁ ହଇରାଣ ହେବାକୁ ପଡୁଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବାଙ୍କାମ୍ବ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିନ୍ଦେରପଦର ଗ୍ରାମରେ ଆଜି ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଆଜି ସକାଳୁ ଚିନ୍ଦେରପଦର ଗ୍ରାମର କୁମାର ବାଡେକାଙ୍କର ପତ୍ନୀ ଜୟନ୍ତୀ (୨୦) ପ୍ରସବ ବେଦନା ଅନୁଭବ କରିଥିଲେ। ଜୟନ୍ତୀଙ୍କୁ ଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେବା ପାଇଁ ତାଙ୍କର ସ୍ୱାମୀ କୁମାର ୧୦୨ ଆମ୍ବୁଲାନ୍‌ସ ସହ ଯୋଗାଯାଗ କରିଥିଲେ। ଖବର ପାଇବା ମାତ୍ରେ କାଶୀପୁରରେ ଥିବା ୧୦୨ ଆମ୍ବୁଲାନ୍‌ସ ଅପରାହ୍ନ ୧୨ଟାରେ ଚିନ୍ଦେରପଦର ଗ୍ରାମ ପ୍ରାୟ ୪୦ କିମି ରାସ୍ତା ଅଭିମୁଖେ ବାହାରିଥିଲା। କିନ୍ତୁ ଏହା ଅପରାହ୍ନ ପ୍ରାୟ ଗୋଟାଏରେ ଚିନ୍ଦେରପଦର ଠାରୁ ୨ କିଲୋମିଟର ଦୂର ମୁଣ୍ଡବିନ୍ଧା ଠାରେ ଅଟକି ଯାଇଥିଲା। କାରଣ ଗାଁକୁ ଆମ୍ବୁଲାନ୍ସ ଯିବା ଲାଗି ରାସ୍ତା ନଥିଲା।

ଏହା ପରେ ଆମ୍ବୁଲାନ୍‌ସ ଡ୍ରାଇଭର ପରୀକ୍ଷିତ ନାଏକ ଓ ଉକ୍ତ ଗ୍ରାମର ଆଶା କର୍ମୀ ଅପସରା କନ୍ଦପାନ ଦୀର୍ଘ ୨ କିଲୋମିଟର ଚାଲିବା ପରେ ଅପରାହ୍ନ ପ୍ରାୟ ୧ଟା ୩୦ରେ ଚିନ୍ଦେରପଦର ପହଞ୍ଚି ଥିଲେ। ସେତେବେଳକୁ ଜୟନ୍ତୀ ପ୍ରସବ ବେଦନାରେ ଛଟପଟ ହେଉଥିଲେ। ପରେ ଆମ୍ବୁଲାନ୍‌ସ ଚାଳକଙ୍କ ସମେତ ଆଶା କର୍ମୀ ଓ ସ୍ୱାମୀ ଖଟିଆରେ ବୋହି ଘାଟି ରାସ୍ତାଦେଇ ବହୁ କଷ୍ଟରେ ଆମ୍ବୁଲାନ୍‌ସ ନିକଟରେ ପହଞ୍ଚିଥିଲେ। ଶେଷରେ ଜୟନ୍ତୀଙ୍କୁ ଆମ୍ବୁଲାନ୍‌ସ ଯୋଗେ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଜୟନ୍ତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି। କୌଣସି କାରଣରୁ ପ୍ରସବକୁ କିଛି ସମୟ ବିଳମ୍ବ ରହିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କାଶୀପୁର ବ୍ଲକର ଅନେକ ଦୁର୍ଗମ ଗ୍ରାମକୁ ଅଦ୍ୟାବଧି ପକ୍କା ରାସ୍ତା ନିର୍ମାଣ ହୋଇପାରିନି। ଗାଁକୁ ଆମ୍ବୁଲାନ୍‌ସ ପହଞ୍ଚି ପାରୁ ନଥିବାରୁ ଚଳିତ ବର୍ଷ ଆଜି ସୁଦ୍ଧା କାଶୀପୁର ବ୍ଲକର ୧୫ ଜଣ ଗର୍ଭବତୀଙ୍କୁ ଖଟିଆ, ଷ୍ଟ୍ରେଚର ନଚେତ ଭାରରେ ବୋହି ନିଆଯାଇଥିବା ନଜିର ରହିଥିବା ବେଳେ ଉକ୍ତ ଖବର କ୍ରମାଗତ ପ୍ରକାଶିତ ପରେ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟଳୟ ଠାରୁ ବିଭାଗ ଜବାବ ତଲବ ମଗାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe