ଭଟଲି: ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭଟଲି ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ତିଆରି କାର୍ଯ୍ୟ ଜୋରସୋରରେ ଚାଲିଛି। ଆସନ୍ତା ୨୦ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରା ଆଉ ଅଳ୍ପ ଦିନ ଥିବାରୁ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ନିର୍ମାଣ ପାଇଁ ବଢ଼େଇମାନେ ରାତିଦିନ ଏକ କରି ରଥ ତିଆରି କରିବାରେ ଲାଗି ପଡ଼ିଛନ୍ତି। ନେତ୍ରୋତ୍ସବ ଆଗରୁ ରଥ ତିଆରି କାମ ଶେଷ ହେବ ବୋଲି ବଢ଼େଇମାନେ ସୂଚନା ପ୍ରଦାନ କରିଛନ୍ତି। ଏହି ନନ୍ଦିଘୋଷ ରଥ କୁମ୍ଭର ତିନୋଟି ଭାଗରେ ତିନି ରଙ୍ଗର କପଡ଼ା କଳା, ନାଲି ଏବଂ ହଳଦିଆ ଦ୍ବାରା ଆଚ୍ଛାଦିତ କରାଯାଇଥାଏ।
ରଙ୍ଗର କୁମ୍ଭକୁ ଧରିଥିବା ଚାରୋଟି କାଠକୁ ନାୟିକା କୁହାଯାଏ। ଯାହାକି ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧକଳାରେ ପରିପୁଷ୍ଟ କପଡ଼ାରେ ପରିବେଷ୍ଟିତ ହୋଇଥାଏ। ସ୍ଥାନୀୟ ଶିଳ୍ପୀମାନଙ୍କ ଦ୍ବାରା ସୂକ୍ଷ୍ମ କଳାରେ ପରିପୂର୍ଣ୍ଣ ପରଭା ଖୁବ ସୁନ୍ଦର ଭାବରେ ରଥର ବାହାରେ ଓ ଭିତରେ ସଜ୍ଜିତ କରାଯାଇ ରଥର ଶୋଭାକୁ ଦ୍ବିଗୁଣିତ କରିଥାଏ। ଏହି ରଥର ଉଚ୍ଚତା ୪୧ଫୁଟ, ଦୈର୍ଘ୍ୟ ୨୫ ଫୁଟ, ପ୍ରସ୍ଥ ୨୦ଫୁଟ ରହିଥିବା ବେଳେ ୪୭୨ଖଣ୍ଡ କାଠ ଲାଗିଥାଏ। ଏଥିରେ ୮ଗୋଟି ଚକ ଲାଗିଥିବାରୁ ଏହାକୁ ଅଷ୍ଟଚକ୍ର ରଥ ବୋଲି ମଧ୍ୟ କୁହାଯାଏ। ଭଟଲି ରଥଯାତ୍ରା ଏ ଅଞ୍ଚଳର ଏକ ସ୍ୱତନ୍ତ୍ର ଓ ଅନନ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ହେତୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ରଥ ନିର୍ମାଣର ଅଗ୍ରଗତି ଓ ତାର ସମ୍ପୂର୍ଣ୍ଣକରଣ ପାଇଁ ମହାପ୍ରଭୁଙ୍କ ଅପାର କରୁଣା ରହିଥିବା ରଥ ତିଆରି କରୁଥିବା ବଢ଼େଇମାନେ ପ୍ରକାଶ କରିଛନ୍ତି। ଏପରି ଏକ ମହତ କାର୍ଯ୍ୟରେ ସେମାନେ ନିୟୋଜିତ ହୋଇଥିବାରୁ ନିଜକୁ ଧନ୍ୟ ମନେ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦରେ ଏପରି କାର୍ଯ୍ୟରେ ସୁଯୋଗ ଲାଭ କରିଥିବା ଅନ୍ତର୍ଯ୍ୟାମୀ ପଧାନ, ଶୁକଦେବ ପଧାନ, ଅଧିକାରୀ ସାହୁ, ଧୁବା ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି।
Follow Us