Sambad
ଭଞ୍ଜନଗର: ରାଜ୍ୟ ନିର୍ବାଚନ କମିସନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି। କମିସନଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଜିଲ୍ଲାର ପଦପଦବୀ ପାଇଁ ସ୍ଥାନ ସଂରକ୍ଷଣ, ଏଥି ସମ୍ବନ୍ଧିୟ ସ୍ଥାନ ସଂରକ୍ଷଣ ସଂପର୍କିତ ଅଭିଯୋଗ ଶୁଣାଣୀ ପ୍ରକ୍ରିୟା ମଧ୍ୟ ଜାରି ରହିଛି। ନିର୍ବାଚନକୁ ଆହୁରି ୪-୫ ମାସରୁ ଅଧିକ ସମୟ ବାକି ରହିଥିବା ବେଳେ ଏଥିପାଇଁ ଗାଁଗାଁରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଥିବା ଲକ୍ଷ୍ୟ କରାଯାଇଛି। ଭଞ୍ଜନଗରର ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ସକ୍ରିୟତା ଦେଖା ଦେଇଛି। ଗତ ପଞ୍ଚାୟତ ନିର୍ବାଚନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଭଞ୍ଜନଗର ଏବଂ ଜଗନ୍ନାଥପ୍ରସାଦ ବ୍ଳକ୍କୁ ଶାସକ ବିଜେଡି ଦଳ ବାଜି ମାରିଥିଲା। ଚଳିତବର୍ଷ ବିଜେଡିକୁ ମାତ୍ ଦେବା ପାଇଁ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ସଜବାଜ ହେଉଥିବା ଦଳୀୟ କର୍ମୀ ମାନେ ପ୍ରକାଶ କରୁଛନ୍ତି। ଅନ୍ୟପଟେ ବାହାରୁ କିଛି ଜଣାପଡୁ ନଥିଲେ ମଧ୍ୟ ଗଡ ବଜାୟ ରଖିବା ପାଇଁ ବିଜେଡି ଫୁଲ୍ ଦମ୍ରେ ଲାଗିପଡିଥିବା ଜଣାପଡିଛି।
ବର୍ତ୍ତମାନ ତାଲିକା ଚୁଡାନ୍ତ ହୋଇନଥିଲେ ମଧ୍ୟ ରାଜନୀତି କ୍ଷେତ୍ରରେ ପାରିଦର୍ଶିତା ଥିବା ବ୍ୟକ୍ତିଙ୍କ ମହଲରେ ପଞ୍ଚାୟତ ନିର୍ବାଚନକୁ ନେଇ ଉଷ୍ମତା ଦେଖା ଦେଇଛି। ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତି ମାନେ ବିଭିନ୍ନ ଖଟିରେ ପୂର୍ବ ରାଜନୀତିର ଫଳାଫଳ ଓ ବର୍ତ୍ତମାନର ସ୍ଥିତିକୁ ନେଇ ଆଲୋଚନା ସରଗରମ ହେଉଥିବା ଲକ୍ଷ୍ୟ କରାଯାଇଛି। ଚଳିତ ମାସ ୧୬ ତାରିଖରୁ ସଂରକ୍ଷଣ ତାଲିକା ଉପରେ ଆପତ୍ତି ଅଭିଯୋଗ ପକ୍ରିୟା ଆରମ୍ଭ ହୋଇ ୨୧ ତାରିଖ ଦିନ ଶେଷ ହୋଇଥିବା ବେଳେ ୨୬ ତାରିଖ ସୁଦ୍ଧା ତାଲିକା ଚୁଡାନ୍ତ ହୋଇ ନିର୍ବାଚନ କମିସନକୁ ପଠାଯିବା ନେଇ ସୁଚନା ମିଳିଛି। ଚୁଡାନ୍ତ ତାଲିକା ପ୍ରକାଶ ପାଇନଥିଲେ ମଧ୍ୟ କିଛି ପଞ୍ଚାୟତରେ ନିର୍ବାଚନକୁ ଓହ୍ଲାଇବା ପ୍ରସ୍ତୁତ ହେଉଥିବା କିଛି ସ୍ଥାନ ସଂରକ୍ଷଣ ହୋଇ ଯାଇଥିବାରୁ ସଂପୃକ୍ତ ବ୍ୟକ୍ତି ମାନେ ନିରାଶ ହୋଇଥିବା ଜଣାପଡିଛି। ସେହିପରି କିଛି ଆଶାୟୀ ନେତାଙ୍କ ଶରଣ ପଶି ରଣନୀତି ଉପରେ ଆଲୋଚନା ମଧ୍ୟ କରିଛନ୍ତି।
ଭଞ୍ଜନଗର ବ୍ଳକ୍ ଅଧ୍ୟକ୍ଷ ପଦବୀ ଅଣ ସଂରକ୍ଷିତ ରହିଥିବା ବେଳେ ଯଦି ଚୁଡାନ୍ତ ତାଲିକାରେ ମଧ୍ୟ ଏହା କାଏମ୍ ରହେ ତେବେ ଏଥି ନିମନ୍ତେ କଡା ଟକ୍କର ହେବ ବୋଲି କିଛି ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଭଞ୍ଜନଗର ରାଜ୍ୟ ବରିଷ୍ଠ କ୍ୟବିନେଟ୍ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନିଜସ୍ବ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଦଳକୁ ନିର୍ବାଚନୀ ବୈତରଣୀ ପାର କରିବା ଗୁରୁ ଦାୟିତ୍ବ ତାଙ୍କ ଉପରେ ରହିଛି। ସେ କ୍ରମାଗତ ଭାବେ ଦଳକୁ ସମସ୍ତ ନିର୍ବାଚନୀରେ ବିଜୟ ସ୍ବାଦ ଚଖାଇଥିବା ବେଳେ ଚଳିତ ନିର୍ବାଚନରେ ଦଳ କ୍ଳିନ୍ ସୁଇପ କରିବ ବୋଲି ବରିଷ୍ଠ ନେତା ମାନେ ପ୍ରକାଶ କରିଛନ୍ତି। ବ୍ଳକ୍ର ବିଭିନ୍ନ ପଦବି ପାଇଁ ଦଳୟୀ ସହଯୋଗରେ କିଏ କିଏ ନିର୍ବଚନକୁ ମଇଦାନକୁ ଓହ୍ଲାଇବେ ତାହା ମନ୍ତ୍ରୀଙ୍କ ସମ୍ମତି ଉପରେ ନିର୍ଭର କରୁଛି।
ଅନ୍ୟପକ୍ଷରେ ଗତ ସାଧାରଣ ନିର୍ବାଚନରେ ବିଜେପିର ଭୋଟ ହାର ବୃଦ୍ଧି ପାଇଥିବା ବେଳେ ବିଜେପି ନେତା ମାନେ ତାକୁ ନେଇ ଉତ୍ସାହିତ ହୋଇପଡିଥିବା ଜଣାପଡିଛି। ବିଧାୟକ ପ୍ରାର୍ଥୀ ରହିଥିବା ପ୍ରଦ୍ୟୁମ୍ନ ନାୟକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଇଲାକା ବୁଲି ସଙ୍ଗଠନିକ ଆଲୋଚନା ମାଧ୍ୟମରେ ଦଳୟୀ ସର୍ମର୍ଥୀତ ପ୍ରାର୍ଥୀ ଖୋଜିବାରେ ଲାଗିପଡିଛନ୍ତି। ନେତୃତ୍ବ ତଥା ପ୍ରାର୍ଥୀ ଚୟନ ନିଷ୍ପତି ଶ୍ରୀ ନାୟକଙ୍କ ସମେତ ବରିଷ୍ଠ ନେତା ବିନାୟକ ତ୍ରିପାଠୀଙ୍କ ଉପରେ ନ୍ୟସ୍ତ ରହିବା ସମ୍ଭାବନା ରହିଛି। ସେହିପରି କଂଗ୍ରେସ ଜିଲ୍ଲା ସଭାପତି ଭାବେ ରମେଶ ଜେନା ଦାୟିତ୍ବ ନେବା ପରେ ଭଞ୍ଜନଗରରେ ଯୁବନେତା ପ୍ରଶାନ୍ତ ବିଷୋୟୀଙ୍କ କଂଗ୍ରେସ ଦଳରେ ଗୁରତ୍ବ ବଢିଛି। ତାଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ପଦବୀ ମିଳିବା ପରେ ଦଳ ପୂର୍ବ ଅପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି କିଛି ଯୁବନେତା ଦୃଢୋକ୍ତି ପ୍ରକାଶ କରିଛନ୍ତି।
Follow Us