ପ୍ରଭୁ ଧବଳେଶ୍ବରଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି

Advertisment

ନଭେମ୍ବର ୬ରେ ବଡ଼ଓଷା, ୭ରେ ଗଜଭୋଗ ବିତରଣ

ନଭେମ୍ବର ୬ରେ ବଡ଼ଓଷା, ୭ରେ ଗଜଭୋଗ ବିତରଣ

ପ୍ରଭୁ ଧବଳେଶ୍ବରଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି

Sambad

ଆଠଗଡ଼: ଆଠଗଡ଼ର ଆରାଧ୍ୟ ଶ୍ରୀଶ୍ରୀଧବଳେଶ୍ବର ମହାପ୍ରଭୁଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା ପାଇଁ ଆଜି ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଧବଳେଶ୍ବର ମନ୍ଦିର ପରିସରରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ବାଇଁ ଯୋଗଦେଇଥିଲେ। ନଭେମ୍ବର ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପଞ୍ଚକ ଯାତ୍ରା ଅନୁଷ୍ଠିତ ହେବ। ୬ ତାରିଖରେ ବଡ଼ଓଷା, ୭ ତାରିଖରେ ଗଜଭୋଗ ବିତରଣ କରାଯିବ। ୮ ତାରିଖ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ିଥିବାରୁ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ପଞ୍ଚକ ଓ ବଡ଼ଓଷା ଯାତ୍ରା ସମୟରେ ପ୍ରତ୍ୟେକ ଦିନ ବଡ଼ସିଂହାର ବେଶ ଅନୁଷ୍ଠିତ ହେବ। ଝୁଲା ପୋଲର କ୍ଷମତା ଅନୁଯାୟୀ ଯାତ୍ରୀମାନଙ୍କୁ ଛଡ଼ାଯିବ। ପୋଲର କ୍ଷମତା ରିପୋର୍ଟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏକ ସପ୍ତାହ ମଧ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିବ। ଝୁଲା ପୋଲରେ ଆବଶ୍ୟକ ଆଲୋକ ବ୍ୟବସ୍ଥା, ଯାତ୍ରୀଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବ୍ୟାରିକେଡ୍‌ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରା ସମୟରେ ହୁଲି ଡଙ୍ଗାକୁ ନିଷେଧ କରାଯାଇଛି।

ଏହାସତ୍ତ୍ବେ ଯାତ୍ରୀ ପରିବହନ କରୁଥିବା ହୁଲି ଡଙ୍ଗାକୁ ଜବତ କରାଯାଇ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ ବଡ଼ ଡଙ୍ଗାରେ ଯାତ୍ରୀ ପାର ହୋଇପାରିବେ। ଆଠଗଡ଼ ତହସିଲଦାର ଓ ଚୌଦ୍ୱାର ଏସ୍‌ଡିପିଓ ଡଙ୍ଗାରେ ଯାତ୍ରୀଙ୍କ କ୍ଷମତା ନିର୍ଣ୍ଣୟ କରିବେ। ତେବେ ସନ୍ଧ୍ୟା ପରେ ଡଙ୍ଗା ଯାତ୍ରା ନିଷେଧ କରାଯାଇଛି। ଯାତ୍ରା ସମୟରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ ମୁତୟନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ ସୂଚନା ଦେଇଥିଲେ। କଟକ ପଟୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ନୂଆପାଟଣା ଓ ମୁଣ୍ଡଳିରେ ୨ଟି ଅସ୍ଥାୟୀ ପୁଲିସ ସହାୟତା କେନ୍ଦ୍ର ଖୋଲାଯିବ ବୋଲି କମିସନରେଟ୍‌ ପୁଲିସର ସହକାରୀ କମିସନର୍‌ କୃଷ୍ଣଚନ୍ଦ୍ର ସେଠୀ ସୂଚନା ଦେଇଥିଲେ। ଯାତ୍ରା ସମୟରେ ପୀଠ ପରିସରରେ ପରିଷ୍କାର ପରିଛନ୍ନ, ପାନୀୟଜଳ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରା ସମୟରେ ଟ୍ରାଫିକ୍‌ ନିୟନ୍ତ୍ରଣ ସହ ବ୍ୟାପକ ପୁଲିସ ସୁରକ୍ଷା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏହାଛଡ଼ା ପକେଟମାର୍‌ ଓ ଲୁଟେରାଙ୍କ ପାଇଁ ସାଦା ପୋଷାକଧାରୀ ପୁଲିସ ମୁତୟନ କରାଯିବା ଲାଗି ବୈଠକରେ ସ୍ଥିର ହୋଇଛି। ତହସିଲଦାର ପ୍ରିୟବ୍ରତ ଦାସ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମହାନ୍ତି, ଚୌଦ୍ୱାର ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା, ପୂଜକ ସମିତି ସଭାପତି ବିଷ୍ଣୁଚରଣ ପତ୍ରୀ ପ୍ରମୁଖ ବୈଠକରେ ଯୋଗଦେଇଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଲେଖଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe