ନିଅଣ୍ଟିଆ ବର୍ଷା ଭାଙ୍ଗିଛି ଚାଷୀର ଅଣ୍ଟା

ଆରମ୍ଭ ହୋଇ ପାରୁନି ଚାଷ କାମ, ଉତିକଣ ଭେଡାରେ ମରୁଡି ପଦଧ୍ବନୀ, କେନାଲ ପାଣି ସମୁଦ୍ରକୁ ଶଙ୍ଖେ

ନିଅଣ୍ଟିଆ ବର୍ଷା ଭାଙ୍ଗିଛି ଚାଷୀର ଅଣ୍ଟା

Sambad

ପଟ୍ଟାମୁଣ୍ତାଇ: ଅନିୟମିତ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି। ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ଉତିକଣ ଭେଡାରେ ମରୁଡିର ପଦଧ୍ବନୀ ଦେଖିବାକୁ ମିଳିଛି। ଶ୍ରାବଣ ଶେଷ ହେବାକୁ ବସିଥିବା ବେଳେ ଉତିକଣ ଭେଡାରେ ଗୋଟିଏ ବୁଦା ଧାନ ବି ରୁଆ ହୋଇ ପାରୁନି। ଅନିୟମିତ ବର୍ଷା ଯୋଗୁ ଚାଷୀମାନେ ଠିକ୍‌ ଭାବେ ତଳି ଉଠାଇ ପାରି ନ ଥିବା ବେଳେ ଏବେ ନିଅଣ୍ଟିଆ ବର୍ଷା ଚାଷ କାମରେ ବାଧା ସୃଷ୍ଟି କରିଛି। ନିଅଣ୍ଟିଆ ବର୍ଷା ଚାଷୀର ଅଣ୍ଟା ଭାଙ୍ଗିଦେଇଛି। ଉତିକଣ ଭେଡାରେ ଥିବା ହଜାର ହଜାର ଚାଷ ଜମି ପଡିଆ ପଡିବାର ଆଶଙ୍କା ଜଳଜଳ ଦିଶୁଛି। ନଦୀରେ ପାଣି ନ ଥିବା ଯୋଗୁ କେନାଲରେ ବି ଆବଶ୍ୟକ ପାଣି ଆସୁନି। ଫଳରେ ଜମିରେ ପାଣି ମାଡି ପାରୁନାହିଁ। ପଟ୍ଟାମୁଣ୍ଡାଇ ଜଳସଂପଦ ବିଭାଗ କେନାଲରେ ଯେତିକି ପାଣି ଛାଡ଼ିଛି ତାହା ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀମାନେ କହୁଛନ୍ତି। ଉତିକଣ ଭେଡାରେ ଥିବା ହଜାର ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ ପ୍ରଭାବିତ ହେଲେ ଚାଷୀମାନେ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଉପର ମୁଣ୍ଡରେ ପାଣି କମ ଆସୁଥିବାରୁ ଜଳ ସଂପଦ ବିଭାଗ ହାତବାନ୍ଧି ବସିଛି।  ଅନ୍ୟପଟେ ତଳମୁଣ୍ଡରେ ଥିବା କେନାଲରେ ପାଣି ଆସୁ ନଥିବା ଘଟଣା  ଚାଷୀକୁ ହତାଶ କରିଛି। ପଟ୍ଟାମୁଣ୍ତାଇ ଗୋବରୀ ସଂପ୍ରସାରିତ କେନାଲରେ ବାହାରିଥିବା ଦେଢ ନମ୍ବର କେନାଲ ଓ ଏହାର ଶାଖା କେନାଲଗୁଡିକରେ ଚାଷଜମିରେ ପାଣି ମାଡୁନି। ଚଳିତ ଖରିଫ ଋତୁ ଆରମ୍ଭରେ ବର୍ଷାର ଲୁଚକାଳି ଖେଳ ଏବଂ ଧାରା ଶ୍ରାବଣରେ ନାମକୁ ମାତ୍ର ବର୍ଷା ଚାଷ କାମରେ ଅନ୍ତରାୟ ସୃଷ୍ଟି କରିଛି। ଗତକାଲିଠାରୁ ବର୍ଷା ସଂପୂର୍ଣ୍ଣ ଭାବେ ଛାଡି ଯାଇଥିବାବେଳେ ମୁଣ୍ତଫଟା ଖରା ବୈଶାଖର ଭ୍ରମ ସୃଷ୍ଟି କରୁଛି। ଏଣେ ବିଲବାଡି ସବୁ ଶୁଖିଲା ପଡିଛି।

ଚାଷୀମାନେ ଚାଷଜମିକୁ ବିକଳ୍ପ ବ୍ୟବସ୍ଥାରେ ପାଣି ମଡାଇ ତଳି ପକାଇଥିଲେ ହେଁ ରୁଆପୋତା ପାଇଁ ପାଣିର ଆବଶ୍ୟକତା ରହିଛି। ଉତିକଣ ଅଚଂଳ କେନାଲ ଜଳସେଚିତ ଅଚଂଳ ହୋଇଥିବାବେଳେ କେନାଲ ପାଣି ଜମିରେ ମାଡିଲେ ରୁଆପୋତା କାମ ଆରମ୍ଭ ହେବ।  ଗୋବରୀ ସଂପ୍ରସାରିତ କେନାଲରୁ ଶାଖା କେନାଲଗୁଡିକୁ ଠିକ ଭାବେ ପାଣି ଯାଉନଥିବା କାରଣରୁ ବିଲରେ ପାଣି ମାଡି ପାରୁନାହିଁ। ଫଳରେ ଚାଷକାର୍ଯ୍ୟ ଆଗେଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଦେଢ ନମ୍ବର କେନାଲ ଉପରେ ଅରଡପଲ୍ଲୀ, ବଡମୋହନପୁର, ସାନଜରିଆ, ଗଙ୍ଗାରାମପୁର ଓ ମହାକାଳପଡା ବ୍ଲକର ବିଜୟନଗର ବଳିପାଳ, ବଢିହ ପଚାଂୟତଗୁଡିକର ଶହ ଶହ ଏକର ଚାଷଜମି ନିର୍ଭର କରିଥାଏ। ମାତ୍ର କେନାଲ ସଫେଇ ଜୁଲାଇ ମାସରେ କରା ଯାଇଥିବାବେଳେ କେନାଲ ପାଣି ବିଲରେ ପହଞ୍ଚି ପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।  ଏ ନେଇ ଚାଷୀ ସୁରେନ୍ଦ୍ର ପରିଡା, ହରିହର ବାରିକ, ବିଜୟ ଦାସ, ବାବୁ ବେହେରା, ଅକ୍ଷୟ ସାହୁ, ସଂଜୟ ମଲିକ, ଖତୁ ମଲିକ, ସୁନାକର ବାରିକ, ହଳଧର ତରାଇ ପ୍ରମୁଖ କେନାଲ ପାଣି ଦେବାକୁ ଦାବି କରିଛନ୍ତି।  ଘଟଣା ସଂପର୍କରେ ଜଳସଂପଦ ବିଭାଗ ସହନିର୍ବାହୀଯନ୍ତ୍ରୀ ପ୍ରଭାତ ସାହୁଙ୍କୁ ପଚାରିବାରୁ ଦେଢ ନମ୍ବର (କ) କେନାଲରେ ପାଣି ଦେବାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe