ସମସ୍ୟାଘେରରେ ୧୦୮ ବର୍ଷର ବିଦ୍ୟାଳୟ

ସମସ୍ୟାଘେରରେ ୧୦୮ ବର୍ଷର ବିଦ୍ୟାଳୟ

କବାଟବନ୍ଧ : ଧର୍ମଶାଳା ବ୍ଲକ୍‌ ତାଳଜଙ୍ଗ ପଞ୍ଚାୟତର ବଳରାମପୁର ତଳଗଡ଼ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଯାଇଛି। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀରେ ୬୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏଠାରେ ଜଣେ ପ୍ରଧାନଶିକ୍ଷକଙ୍କ ସହିତ ଦୁଇଜଣ ସହକାରୀ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି। ଶ୍ରେଣୀଗୃହ ଅଭାବରୁ ପାଞ୍ଚଟି ଶ୍ରେଣୀର ଛାତ୍ରଛାତ୍ରୀ ୩ଟି କୋଠରିରେ ପାଠ ପଢ଼ୁଛନ୍ତି। ଫଳରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ହେଉଛି। ପୁରୁଣା ଶ୍ରେଣୀଗୃହରେ ପାଠପଢ଼ା ହେଉଛି।

ସାମାନ୍ୟ ବର୍ଷାରେ ଶ୍ରେଣୀଗୃହ ସମେତ ରୋଷେଇ ଘରେ ମଧ୍ୟ ପାଣି ପଶିଯାଉଛି। ୧୩ ବର୍ଷ ପୂର୍ବେ ନିର୍ମିତ ଏହି ବିଦ୍ୟାଳୟର ଏକମାତ୍ର ଶୌଚାଳୟଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଦୁଇଜଣ ଶିକ୍ଷୟିତ୍ରୀ ନାନା ହଇରାଣ ହେଉଛନ୍ତି। ଅନ୍ୟପକ୍ଷରେ ୩୦ ବର୍ଷ ତଳେ ନିର୍ମିତ ଏକ ଶ୍ରେଣୀଗୃହର ଛାତରୁ ସିମେଣ୍ଟ ପ୍ଲାଷ୍ଟର ଗଳୁଛି। ଏହି ଶ୍ରେଣୀଗୃହ ଏଯାଏ ମେଜିଆ ମଧ୍ୟ ହୋଇନି। ଝରକା ଓ କବାଟ ମଧ୍ୟ ଭାଙ୍ଗିଗଲାଣି। ପାଚେରି ଭାଙ୍ଗି ଯାଇଥିବାରୁ ବିଦ୍ୟାଳୟ ପରିସରରେ ଅସାମାଜିକଙ୍କ ଆଡ଼ା ଜମୁଛି। ବିଦ୍ୟାଳୟର ଫାଟକ ମଧ୍ୟ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ଏସଂପର୍କରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରୁଦ୍ରନାରାୟଣ ମିଶ୍ର ଯାଜପୁର ଜିଲ୍ଲାପାଳ, ଧର୍ମଶାଳା ବିଡିଓ ଏବଂ ଜିଲ୍ଲା ଓ ବ୍ଲକ୍‌ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ ଟୁଇଟ୍ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ୧୯୧୫ ମସିହାରେ ପ୍ରତିଷ୍ଠିତ ୧୦୮ ବର୍ଷର ଏହି ପୁରାତନ ବିଦ୍ୟାଳୟକୁ ରୂପାନ୍ତରୀତ କରିବା ସହ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗ୍ରାମବାସୀ ଓ ଅଭିଭାବକମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe