କଟକ: ଖ୍ୟାତନାମା ସାହିତ୍ୟିକ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମହାନ୍ତି ୨୦୨୧ ମସିହାର ମର୍ଯ୍ୟାଦାଜନକ ‘ସାରଳା ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ଏପ୍ରିଲ ୨୩ ତାରିଖ ସନ୍ଧ୍ୟା ୬ଟାରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ସଂସଦର ୪୧ତମ ବାର୍ଷିକ ଉତ୍ସବରେ ପ୍ରଫେସର ମହାନ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେବେ। ପୁରସ୍କାର ସ୍ୱରୂପ ୧ ଲକ୍ଷ ୫ ହଜାର ଟଙ୍କା ଅର୍ଥରାଶି, ମାନପତ୍ର ଓ ଉପଢୌକନ ଦିଆଯିବ ବୋଲି ସଂସଦର ପ୍ରତିଷ୍ଠାତା ଓ ସଭାପତି ଡ. ଇଂ ପ୍ରଭାକର ସ୍ବାଇଁ ଏବଂ ସଂପାଦକ ଡା. ନିରଞ୍ଜନ ତ୍ରିପାଠୀ ମିଳିତ ପ୍ରେସ ବିବୃତିରେ ଜଣାଇଛନ୍ତି।
ପ୍ରଫେସର ମହାନ୍ତିଙ୍କ କୃତି ମଧ୍ୟରେ କଳାଜହ୍ନ, ସରଗ ସନ୍ନ୍ୟାସୀ, ମଲା ଆକାଶ, ଶେଷ ଅପେକ୍ଷା, ଭାରତୀୟ ସଂସ୍କୃତି ଓ ଭଗବତ ଗୀତା, ଇଚ୍ଛାର ପୃଥିବୀ, କିଛି ମାଟି କିଛି ଆକାଶ, ନିଦାଘରେ କବି, ସାହିତ୍ୟରେ ଜୀବନ ରାଗ, ଶୂନ୍ୟର ବୟସ, ଫେଷ୍ଟିଭାଲ ଅଫ ଓଡ଼ିଶା, ଷ୍ଟୋରିଜ ଫ୍ରମ ସାରଳା ମହାଭାରତ, ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ (ଇଂରାଜୀ) ପ୍ରଭୃତି ଉଲ୍ଲେଖନୀୟ। ସେ ଖଲ୍ଲିକୋଟ କଲେଜ ଏବଂ ରେଭେନ୍ସା କଲେଜର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ପ୍ରଫେସର ମହାନ୍ତି କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର, ଉପେନ୍ଦ୍ର ଭଞ୍ଜ ସମ୍ମାନ ଭଳି ବହୁ ମର୍ଯ୍ୟାଦାଜନକ ପୁରସ୍କାର ଲାଭ କରିଛନ୍ତି।
ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ପାଇବେ ସାରଳା ସମ୍ମାନ
Advertisment
Follow Us