ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସହିଦ ଦିବସ

Advertisment

ସହିଦଙ୍କ ଚିହ୍ନଟ କରି ସ୍ମୃତି ସ୍ତମ୍ବ ନିର୍ମାଣ ପାଇଁ ଦାବି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ କାର୍ଯ୍ୟରେ ଦିଲ୍ଲୀ ଗସ୍ତ ଯୋଗୁ ବାତିଲ

ସହିଦଙ୍କ ଚିହ୍ନଟ କରି ସ୍ମୃତି ସ୍ତମ୍ବ ନିର୍ମାଣ ପାଇଁ ଦାବି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ କାର୍ଯ୍ୟରେ ଦିଲ୍ଲୀ ଗସ୍ତ ଯୋଗୁ ବାତିଲ

ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସହିଦ ଦିବସ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ଅଁଳାଯୋଡି ଗ୍ରାପର ଗୁଣ୍ଡୁରିଆ ସହିଦ ଦିବସ ପାଳିତ ହୋଇଯାଇଛି। ସହିଦ ଆଦିବାସୀମାନଙ୍କ ସ୍ମୃତିଚାରଣ କରିବା ପାଇଁ ପ୍ରତ୍ୟେକବର୍ଷ ପରି ଚଳିତବର୍ଷ ମଧ୍ୟ ଶହୀଦ ଦିବସ ପାଳନ କରାଯାଇଛି। ଏହି ଅବସରରେ ଓଡ଼ିଶା ସମେତ ପଡୋଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ମଧ୍ୟ ବହୁ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜେଏମଏମ ରାଜ୍ୟ ସଭାପତି ଅଞ୍ଜାନୀ ସୋରେନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଝାଡ଼ଖଣ୍ଡ ରାଜ୍ୟ ବହଡାଗଡା ନିର୍ବାଚନ ମଣ୍ଡଳୀର ବିଧାୟକ ସମୀର ମହାନ୍ତି, ମଝିଗାଁ ବିଧାୟକ ନିରଲ ପୁର୍ତ୍ତି, କେନ୍ଦ୍ରୀୟ କମିଟିର ପବନ କୁମାର ପ୍ରମୁଖ ଯୋଗ ଦେଇଥିଲେ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ଜରୁରୀ କାର୍ଯ୍ୟରେ ଦିଲ୍ଲୀ ଗସ୍ତ କରିବା ଯୋଗୁଁ ରାଇରଙ୍ଗପୁର ଗସ୍ତ ବାତିଲ ହୋଇଥିଲା। ତେବେ ସେ ଫୋନ ମାଧ୍ୟମରେ ଶହୀଦଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସହିଦମାନଙ୍କ ସ୍ମୃତିଚାରଣ କରିଥିଲେ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମିଶ୍ରଣକୁ ବିରୋଧ କରି ନିଜ ହକ ଓ ଅଧିକାର ପାଇଁ ଆଦିବାସୀ ମହାସଭା ତରଫରୁ ୧୯୪୯ ମସିହା ଫେବୃଆରୀ ୬ ତାରିଖରେ ଗୁଣ୍ଡୁରିଆ ଠାରେ ଏକ ବିଶାଳ ସଭାର ଆୟୋଜନ କରାଯାଇଥିଲା। ଆଦିବାସୀ ସମ୍ପ୍ରଦାୟର ଲୋକେ ଓଡ଼ିଶାରେ ମୟୂରଭଞ୍ଜର ମିଶ୍ରଣକୁ ବିରୋଧ କରି ସ୍ବତନ୍ତ୍ର ‘ ମୟୁରଭଞ୍ଜ ରାଜ୍ୟ’ ଘୋଷଣା କରିବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ଼ଃ. ହରେକୃଷ୍ଣ ମହତାବ ସରକାରଙ୍କ ନିକଟରେ ଦାବି କରିଥିଲେ। ଓଡିଶା ସହିତ ନ ମିଶିବା ନେଇ ଆଦିବାସୀ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୈପାଲ ସିଂହ ଓ ସମ୍ପାଦକ ସୁନାରାମ ସୋରେନଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାର କୋହ୍ଲ, ସାନ୍ତାଳ, ଭୂମିଜ, ଧରୁଆ, ହୋ, ବାଥୁଡି, ଭୂୟାଁ, ଲୋଧା, ଖଡିଆ ସମେତ ଅନ୍ୟାନ୍ୟ ଜନଜାତି ବର୍ଗର ଲୋକେ ଆନ୍ଦୋଳନକୁ ତୀବ୍ରତର କରିଥିଲେ। ଏନେଇ ଗୁଣ୍ଡରିଆ ଠାରେ ଏକ ସମାବେଶ ବସିଥିଲା। ସେଥିରେ ଅସଂଖ୍ୟ ଆଦିବାସୀ ସମ୍ପ୍ରଦାୟର ଲୋକ ସାମିଲ ହୋଇଥିଲେ।

publive-image Sambad

ସେହି ସମୟରେ ପୁଲିସ ପକ୍ଷରୁ ଆଦିବାସୀମାନଙ୍କୁ ଗୁଳିଚାଳନା କରାଯାଇଥିଲା। ଯେଉଁଥିରେ ଅସଂଖ୍ୟ ଆଦିବାସୀ ସହିଦ ହୋଇଥିଲେ। ଏହି ଅବସରରେ ବ୍ଲକ ପଡ଼ିଆଠାରେ ଅତିଥିମାନେ ଯୋଗଦେଇ ଗାଁର ଉନ୍ନତି, ଶହୀଦ ମାନଙ୍କୁ ଚିହ୍ନଟ କରିବା ସହିତ ଶହୀଦଙ୍କ ସ୍ମୃତି ସ୍ତମ୍ବ ନିର୍ମାଣ କରି ବିଧିବଦ୍ଧ ଭାବେ ସରକାରୀ ସ୍ତରରେ ଶହୀଦ ଦିବସ ଭାବେ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଉକ୍ତ ସଭାରେ ଅନ୍ୟ କର୍ମୀମାନେ ଯୋଗଦେଇ ଆଦିବାସୀମାନଙ୍କର ଅଧିକାର ପାଇଁ ଲଢେଇ କରିବା ପାଇଁ ଜାଗ୍ରତ ହେବା ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜେଏମଏମର ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ୍ ନାଗ, ସୁମିତ ମାଝୀ, ଶ୍ୟାମ କିସ୍କୁ, ମିନା ସୋରେନ, ଅଯମରି ଖାନ, ରାଜ୍ୟ ପ୍ରାବ୍ୟକ୍ତ ସୁନିଲ ମାଝୀ, ରାଜ୍ୟ କୋଷଧକ୍ଷ ରଣଜିତ ସିଂହ, ପଶ୍ଚିମ ମୟୁରଭଞ୍ଜ ସଭାପତି ସନାତନ ମୁଣ୍ଡା, ରାମେଶ୍ୱର କିସ୍କୁ, ଏସକେ ସାନବାର ,ଏସକେ ମାନନଙ୍କ ସମ୍ୱୟ ବହୁ କର୍ମୀମାନେ ଉପସ୍ଥିତ ଥିଲେ। ତେବେ ଶହୀଦ ପୀଠରୁ ଫେରିବା ସମୟରେ ଶତାଧିକ ଯାନ ବାହାନ ଚଳାଚଳ ଯୋଗୁଁ ପ୍ରବଳ ଭିଡ ହୋଇଥିଲା। ଯାହାଫଳରେ ରାଜ୍ୟ ସଭାପତି ଶ୍ରୀମତୀ ସୋରେନ ଦୁବୁଲାବେଡା ଠାରୁ ସଭାସ୍ଥଳୀ ପର୍ଯ୍ୟନ୍ତ ଦୀର୍ଘ ୨ କିିମି ଚାଲି ଚାଲି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe