Sambad
ଖୋର୍ଦ୍ଧା: କରୋନା କଟକଣାରେ ସହରାଞ୍ଚଳରେ ଗରିବ, ଶ୍ରମିକ, ଦିନମଜୁରିଆ, ସ୍ୱୟଂସହାୟକ ଗୋଷ୍ଠୀଙ୍କୁ କର୍ମସଂସ୍ଥାନ ଯୋଗାଇଦେବାକୁ ଆରମ୍ଭ ହୋଇଥିଲା ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନ (ମୁକ୍ତା)। ଅନ୍ୟ ପୌରାଞ୍ଚଳ ଭଳି ରାଜ୍ୟ ରାଜଧାନୀ ଜିଲ୍ଲା ସଦର ମହକୁମା ଖୋର୍ଦ୍ଧା ପୌର ପରିଷଦରେ ଏହି ଯୋଜନା କାର୍ଯ୍ୟକାରୀ ହେଲା। ଦୁଇଟି ଆର୍ଥିକ ବର୍ଷରେ ୬ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅନୁଦାନ ମିଳିଥିଲା। ଦୁଇବର୍ଷରେ ୧୮୪ଟି ପ୍ରକଳ୍ପ ସ୍ୱୟଂ ସହାୟକ ଗୋଷ୍ଠୀ ନାମରେ ନିର୍ମାଣ ହେଲା, କିନ୍ତୁ ୨୦-୩୦ଟି ପ୍ରକଳ୍ପ ବ୍ୟତୀତ ସଂଖ୍ୟାଧିକ ପ୍ରକଳ୍ପ ଫଳକ ବ୍ୟତିତ ଅନ୍ୟ କିଛି ଦେଖିବାକୁ ମିଳୁନାହିଁ। ଏହି ଯୋଜନାରେ ଯେଉଁ ଶୌଚାଳୟ, ମୁତ୍ରାଗାର ଆଦି ନିର୍ମାଣ ହୋଇଥିଲା, ସେଗୁଡ଼ିକୁ ପାଣିର ସଂଯୋଗର ବ୍ୟବସ୍ଥା ନଥିବାରୁ ପୂତିଗନ୍ଧମୟ ହୋଇ ଉଦଘାଟନର ୭ ଦିନ ମଧ୍ୟରେ ବନ୍ଦ ହୋଇଗଲା। ପୌର ପରିଷଦର ମୁକ୍ତା ଯୋଜନାର ସ୍ୱତନ୍ତ୍ର ବିଭାଗରୁ ମିଳିଥିବା ସୂଚନାନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷରେ ୧ କୋଟି ୧୭ଲକ୍ଷ ୩୧ ହଜାର ଟଙ୍କା ଅନୁଦାନ ମିଳିଥିଲା। ଏହା ମଧ୍ୟରୁ ସେହିବର୍ଷ ୫୪.୫୬ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ୪ କୋଟି ୮୮ଲକ୍ଷ ୯୨ହଜାର ଟଙ୍କା ଅନୁଦାନରୁ ୩ କୋଟି ୪୧ଲକ୍ଷ ଖର୍ଚ୍ଚ କରାଯାଇଛି।
ଖର୍ଚ୍ଚ ହୋଇଥିବା ୩ କୋଟି ୯୫ଲକ୍ଷ ୫୬ହଜାର ଟଙ୍କା ମଧ୍ୟରୁ ୧ କୋଟି ୧୩ଲକ୍ଷ ଟଙ୍କା ବ୍ୟୟରେ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ୧୪୫ଟି, ୪୧ଲକ୍ଷ ଟଙ୍କା ବ୍ୟୟରେ ୭ଟି ମିନି ପାର୍କ, ୪୦.୦୫ଲକ୍ଷ ଟଙ୍କା ବ୍ୟୟରେ ୬ଟି ମୁକ୍ତାକାଶ ବ୍ୟାୟାମଶାଳା, ୩୫ଲକ୍ଷ ଟଙ୍କା ବ୍ୟୟରେ ୫ଟି ଶିଶୁ କ୍ରୀଡ଼ା କେନ୍ଦ୍ର, ୫୬ ଲକ୍ଷ ଟଙ୍କାରେ ୪ଟି ଭେଣ୍ଡିଂ ଜୋନ୍, ୩୪ଲକ୍ଷ ଟଙ୍କା ବ୍ୟୟରେ ୪ଟି ଖେଳ ପଡ଼ିଆ, ୫ଲକ୍ଷ ଟଙ୍କା ବ୍ୟୟରେ ପାଦଚଲା ରାସ୍ତା, ୧୯ଲକ୍ଷ ଟଙ୍କା ବ୍ୟୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ୨୭ଲକ୍ଷ ୫ହଜାର ଟଙ୍କା ବ୍ୟୟରେ ୫ଟି ଖୋଲା ଜମି ବିକାଶ, ୧୪ଲକ୍ଷ ୧୦ ହଜାର ଟଙ୍କା ବ୍ୟୟରେ ୬ଟି ଶୌଚାଳୟ ଓ ମୁତ୍ରାଗାର। ବିଭାଗ ପକ୍ଷରୁ ଦିଆଯାଇଥିବା ନଥିରେ ଅନୁଦାନର ଖର୍ଚ୍ଚର ବିବରଣୀ ମୁକ୍ତା ଭଳି ସୁନ୍ଦର ଦେଖାଯାଉଥିଲେ ମଧ୍ୟ ସ୍ଥଳବିଶେଷର ଅନୁଧ୍ୟାନରେ ଏହି ସମସ୍ତ ପ୍ରକଳ୍ପ ମଧ୍ୟରୁ ଖେଳପଡ଼ିଆ, ମୁକ୍ତାକାଶ ବ୍ୟାୟାମଶାଳା, ପାଦଚଲା ରାସ୍ତା ବ୍ୟତୀତ ଅନ୍ୟ କୌଣସି ପ୍ରକଳ୍ପର ବିକାଶ ହୋଇନାହିଁ। ଚିହ୍ନଟ ସ୍ଥାନରେ ଫଳକ ଓ ମାଟି ପକାଇ କୋଟି କୋଟି ଟଙ୍କା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନାମରେ କାର୍ଯ୍ୟ ସମ୍ପାଦନ କରାଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏନେଇ ପୌର ପରିଷଦ ଅଧ୍ୟକ୍ଷ, ନିର୍ବାହୀ ଅଧିକାରୀ କେହି ନୂତନ ଭାବେ ଯୋଗ ଦେଇଥବାରୁ ଯୋଜନା ସମ୍ପର୍କରେ ବିଶେଷ ଜାଣିନଥିବା କହି ପ୍ରସଙ୍ଗକୁ ଏଡ଼ାଇକୁ ଚେଷ୍ଟା କରିଛନ୍ତି।
Sambad୧୪୫ଟି ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ଗୁଡ଼ିକ ଏଭଳି ସ୍ଥାନରେ ନିର୍ମାଣ ହୋଇଥିବା ଫଳକ ଲାଗିଛି ସହରର ଆବର୍ଜନା ଜମା ହେଉଛି। ଏଣୁ ଆବର୍ଜନା ତଳେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ କିଭଳି ରହିଛି ତାହା ଅନୁଧ୍ୟାନ କରିବା କଷ୍ଟକର। ସବୁଠାରୁ ବଡ଼ ଉଦାହରଣ ଖୋର୍ଦ୍ଧା ସଂସ୍କୃତି ଓ ସୂଚନା-ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ମଧ୍ୟରେ ନିର୍ମାଣ ହୋଇଥିବା ୧ଲକ୍ଷ ୮୩ ହଜାର ଟଙ୍କା ବ୍ୟୟରେ ନିର୍ମିତ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ସ୍ଥାନରେ ମିଶନ ଶକ୍ତ ଗୃହ ନିର୍ମାଣ ପାଇଁ ମାଟିଗୋଡ଼ି ଜମା ହୋଇଛି। ଓରମାସ କାର୍ଯ୍ୟାଳୟ ମଧ୍ୟରେ ଥିବା ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପରେ କେବଳ ଦୁଇଟି ସିମେଣ୍ଟ ନିର୍ମିତ କୁଅ ନନ୍ଦ ଓ ବାଲି ଧାର ବ୍ୟତୀତ ଅନ୍ୟ କିଛି ଦେଖିବାକୁ ମିଳୁନାହିଁ। ସେହିଭଳି ମିନି ପାର୍କ ଉନ୍ନୟନ ନାମରେ ବାଟ ମଙ୍ଗଳା ମନ୍ଦିର ପରିସର ମଧ୍ୟରେ ମିନି ପାର୍କର ଚିହ୍ନବର୍ଣ୍ଣ ନଥିବା ବେଳେ ଫଳକ ମଧ୍ୟ ଲିଭାଇ ଦିଆଯାଇଛି।
ଶୌଚାଳୟ ନାମରେ ଯେଉଁ ଯେଉଁ ସ୍ଥାନରେ ପ୍ରକଳ୍ପ ହୋଇଛି ସେଗୁଡ଼ିକ ବର୍ତ୍ତମାନ ପୂତଗନ୍ଧମୟ ଅବସ୍ଥାରେ ରହିଛି। ଶୌଚାଳୟ ଗୁଡ଼ିକ ନିର୍ମାଣ କରିବା ବେଳେ ନିୟମିତ ପାଣି ଓ ଏହାର ପରିମଳ ବ୍ୟବସ୍ଥା କିଭଳି ରକ୍ଷା କରାଯିବ ସେନେଇ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଏଭଳି ଅବସ୍ଥା ହୋଇଥିବା ଆଖପାଖର ଲୋକ ମତ ଦେଇଛନ୍ତି। ଭେଣ୍ଡିଂ ଜୋନ୍ ପ୍ରକଳ୍ପ କେବଳ ବୈଠକରେ ସୀମିତ ରହିଥିବା ବେଳେ ଟିଏଲ୍ସି ପଡ଼ିଆ ନିକଟରେ ଏକ ଭେଣ୍ଡିଂଜୋନ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ସହରର ଜବର ଦଖଲ ହୋଇଥିବା ଜମି ଗୁଡ଼ିକୁ ମୁକ୍ତ ଜମି ବିକାଶ ନାମରେ ୨୭ଳକ୍ଷ ଟଙ୍କା ଚଳୁ କରି ଦିଆଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଯୋଜନାରେ ଆସିଥିବା କୋଟି କୋଟି ଟଙ୍କାର ବିନିଯୋଗର ଏକ ନିରପେକ୍ଷ ତଦନ୍ତ କରିବା ସହ ଲୋକଙ୍କ କର ଅର୍ଥର ଏଭଳି ଯୋଜନାବିହୀନ ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।
Follow Us