ଅନ୍ତଃଜାତି ବିବାହ ପ୍ରୋତ୍ସାହନ ଆଶୀର୍ବାଦ ପାଲଟିଛି

Advertisment
ଅନ୍ତଃଜାତି ବିବାହ ପ୍ରୋତ୍ସାହନ ଆଶୀର୍ବାଦ ପାଲଟିଛି

ବ୍ରହ୍ମପୁର: ସମାଜରେ କାହିଁ କେଉଁ କାଳରୁ ରହି ଆସିଥିବା ଜାତିପ୍ରଥା ହଟାଇବା କ୍ଷେତ୍ରରେ ଅନ୍ତଃଜାତି ବିବାହ ପ୍ରୋତ୍ସାହନ ଯୋଜନା ପ୍ରତି ଏବେ ଅଗ୍ରହ ବଢ଼ିଛି। ବିଶେଷ କରି ଦଳିତ ବର୍ଗର ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଭିତରୁ ଅନ୍ତଃଜାତି ବିବାହ ଯୋଜନା ଗ୍ରହଣୀୟ ହେବାରେ ଲାଗିଛି। ଏହି ଯୋଜନାରେ ମିଳୁଥିବା ଅଢ଼େଇ ଲକ୍ଷ ଟଙ୍କା ସହାୟତା ରାଶି ନବଦମ୍ପତିଙ୍କ ପାଇଁ ଏକ ଆଶୀର୍ବାଦ ପାଲଟିଛି। ଏହି ଯୋଜନା ଦ୍ବାରା ସମାଜରେ ଜାତିଭେଦ ଦୂର କରାଯାଇ ପାରୁଛି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାରେ ଗତ ୫ବର୍ଷ ମଧ୍ୟରେ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୫୫ ଦମ୍ପତି ପଞ୍ଜୀକରଣ କରି ସାରିଛନ୍ତି। ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ବୋଲି ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ତଃଜାତି ବିବାହ ପରେ ଯେଉଁ ଦମ୍ପତି ତାଙ୍କର ନାମ ପଞ୍ଜୀକରଣ କରୁଛନ୍ତି ସେମାନଙ୍କୁ ଅଢ଼େଇ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି।

ଆଗ୍ରହ ବଢୁଛି, ୫ ବର୍ଷରେ ୨୫୫ ପଞ୍ଜୀକରଣ
ନବଦମ୍ପତିଙ୍କୁ ମିଳୁଛି ଅଢ଼େଇ ଲକ୍ଷ

ଏହି ଯୋଜନାର ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରୋତ୍ସାହନ ରାଶି କମ ରହିଥିଲା। ପରବର୍ତ୍ତୀ ସମୟରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବୋର୍ଡର ବୈଠକରେ ଏହି ରାଶିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଅନୁସାରେ ପ୍ରୋତ୍ସାହନ ରାଶିକୁ ୫୦ହଜାର ଟଙ୍କା କରାଯାଇଥିଲା। ଏହା ପରେ ମଧ୍ୟ ଏବଂ ସଚେତନତା ଅଭାବରୁ ଉତ୍ସାହ ବଢୁ ନଥିଲା। ଏବେ ପ୍ରୋତ୍ସାହନ ରାଶି ବଢ଼ିବା ସହ ଲୋକେ ଏଥିପ୍ରତି ଆକୃଷ୍ଟ ହେଉଛନ୍ତି। ଏହି ଯୋଜନାରେ ପ୍ରୋତ୍ସାହନ ରାଶି ପାଇବା ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ସାଧାରଣ ବର୍ଗର ପୁଅ-ଝିଅ ସହିତ ଅନୁସୂଚିତ ଜାତିର ପୁଅ-ଝିଅଙ୍କ ବାହାଘର ହେଲେ, ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିବେ। ଏହା ସହିତ ବିବାହ ସରକାରୀ ଭାବେ ପଞ୍ଜୀକୃତ ହୋଇଥିବ। ସେହିପରି ଜାତିଗତ ପ୍ରମାଣପତ୍ର ଓ ବାସିନ୍ଦା ପ୍ରମାଣପତ୍ର ମଧୢ ଦାଖଲ କରିବାକୁ ପଡ଼ିବ। କାଗଜପତ୍ର ଯାଞ୍ଚ ପରେ ନବଦମ୍ପତିଙ୍କୁ ପ୍ରୋତ୍ସାହନ ରାଶି ମିଳିବା ନିୟମ ରହିଛି। ପୂର୍ବରୁ ଅନ୍ତଃଜାତି ବିବାହ କଲେ କୁଳ ଲୋକେ ତାହାକୁ ସ୍ବୀକୃତି ପ୍ରଦାନ କରୁ ନଥିଲେ। ଜାତିଭେଦକୁ ନେଇ ଜିଲ୍ଲା‌ରେ ବିଭିନ୍ନ ସମୟରେ ନାନା କାଣ୍ଡ ଘଟିଛି। ଫଳରେ ଅନ୍ତଃଜାତି ବିବାହ ପ୍ରତି ଲୋକଙ୍କ ଆଗ୍ରହ ପ୍ରକାଶ ପାଉନଥିଲା। ଏହି ଯୋଜନା ପ୍ରତି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ୨୦୧୭ରେ ପ୍ରୋତ୍ସାହନ ରାଶିକୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ। ପର୍ଯ୍ୟାୟ କ୍ରମେ ସହାୟତା ରାଶି ବୃଦ୍ଧି ହୋଇ ଏବେ ଅଢ଼େଇ ଲକ୍ଷ ଟଙ୍କା ହୋଇଛି। ଫଳରେ ଏଭଳି ବିବାହ ପ୍ରତି ଲୋକଙ୍କ ଆଗ୍ରହ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି।

ଗଞ୍ଜାମ ଜିଲ୍ଲାରେ ୨୦୧୮-୧୯ ଆର୍ଥିକ ବର୍ଷରେ ୨୯ଟି ଅନ୍ତଃଜାତି ବିବାହ ହୋଇଥିବା ବେଳେ ୨୦୧୯-୨୦ରେ ୫୮, ୨୦୨୦-୨୧ରେ ୪୫, ୨୦୨୧-୨୨ରେ ୬୫ ଓ ୨୦୨୨-୨୩ରେ ୫୮ଟି ବିବାହ ପଞ୍ଜୀକୃତ ହୋଇଛି। ବର୍ଷକୁ ବର୍ଷ ସଂଖ୍ୟା ବଢ଼ୁଥିବା ରେକର୍ଡ଼ କହୁଛି। ଏଥିରୁ ସ୍ପଷ୍ଟ ଯେ, ଅନ୍ତଃଜାତି ବିବାହକୁ ଲୋକେ ଧୀରେ ଧୀରେ ଗ୍ରହଣ କରୁଛନ୍ତି। ଏହି ଯୋଜନା ଦ୍ବାରା ସମାଜରୁ ଜାତିଭେଦ ଦୂର ହୋଇ ପାରିବ ବୋଲି ବିଭିନ୍ନ ମହଲରେ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe