ଗାଜାଷ୍ଟ୍ରିପ୍ ଉପରେ ଇସ୍ରାଏଲର ଆକ୍ରମଣକୁ ବିରୋଧ: ଭଦ୍ରକରେ ପ୍ରତିବାଦ

Advertisment
ଗାଜାଷ୍ଟ୍ରିପ୍ ଉପରେ ଇସ୍ରାଏଲର ଆକ୍ରମଣକୁ ବିରୋଧ: ଭଦ୍ରକରେ ପ୍ରତିବାଦ

Sambad

ଭଦ୍ରକ: ମାର୍କିନ୍ ସାମ୍ରାଜ୍ୟବାଦର ନେତୃତ୍ବ ନେଉଥିବା ଯୁକ୍ତରାଷ୍ଟ୍ର ଆମେରିକା ନିର୍ଦ୍ଦେଶରେ ଇସ୍ରାଏଲ ସେନା ଗାଜାଷ୍ଟ୍ରିପ୍ ଉପରେ ଗତ ୬ ଦିନ ଧରି ଆକ୍ରମଣ ଜାରି ରଖିଛି। ଏହି ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ପାଲେଷ୍ଟାଇନ, ଗାଜାର ସେନା ଇସ୍ରାଏଲ ଉପରେ ପ୍ରତି ଆକ୍ରମଣ ଜାରି ରଖିଛନ୍ତି। ଏହି ଉଭୟ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଅକ୍ଟୋବର ୧୨ ତାରିଖ ସକାଳ ସୁଦ୍ଧା ୩୬୦୦ ସାଧାରଣ ଜନତା ମୃତ୍ୟୁ ବରଣ କରିଛନ୍ତି। ପାଲେଷ୍ଟାଇନ ସରକାରଙ୍କ ତଥ୍ୟରୁ ଜଣାଯାଇଛି ଯେ ଗାଜାଷ୍ଟ୍ରିପରେ ୨୬୦ ଶିଶୁ ଓ ୨୩୦ ମହିଳାଙ୍କ ମୃତ୍ୟୁ ଘଟିଛି। ଯୁଦ୍ଧ ତୀବ୍ର ହେଉଥିବାରୁ ଗାଜାଷ୍ଟ୍ରିପର ୨,୬୦,୦୦୦ ଲୋକ ସେମାନଙ୍କ ଘର ଛାଡି ଦେଇଛନ୍ତି। ଇସ୍ରାଏଲ ଯୁଦ୍ଧ ଯାହାଜ ଗୁଡିକ ଲଗାତର ଗାଜାଷ୍ଟ୍ରିପ୍ ଉପରେ ଆକ୍ରମଣ ଜାରି ରଖିଥିବାରୁ ଗାଜାଷ୍ଟ୍ରିପରେ ବିଦ୍ୟୁତ ଯୋଗାଣ ପାଇଁ ଥିବା ଏକମାତ୍ର ପାୱାର ପ୍ଲାଣ୍ଟ ଏହି ଆକ୍ରମଣରେ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ଫଳରେ ଗାଜାଷ୍ଟ୍ରିପ ଗତ ବୁଧବାର ଠାରୁ ଅନ୍ଧାରରେ ରହିଛି। ଏପରିକି ଗାଜାଷ୍ଟ୍ରିପର ହସ୍ପିଟାଲ ଗୁଡିକରେ ବିଦ୍ୟୁତ ରିଜର୍ଭେୟାରରେ ଆଉ ଦୁଇଦିନ ପରେ ସମ୍ପୂର୍ଣ୍ଣ ବିଦ୍ୟୁତ ଓ ଇନ୍ଧନ ସରିଯିବ ବୋଲି ଜଣାପଡିଛି।
ବିଶାଳ ବିଶାଳ ଅଟାଳିକା ମାନ ଇସ୍ରାଏଲର ବୋମାମାଡ ଯୋଗୁଁ  ଗାଜାଷ୍ଟ୍ରିପର ମାଟିରେ ମିଶି ଯାଉଛି। ନିୟୁକ୍ଲିୟର ବୋମା ଓ ଫସଫରସ ବୋମା ମାଡ଼ରେ ଗାଜାଷ୍ଟ୍ରିପରେ ସାଧାରଣ ଲୋକଙ୍କ ମୃତ୍ୟୁ ଭୟାନକ ଭାବେ ବଢି ଚାଲିଛି। ବିଶ୍ବର ଅଳ୍ପ କିଛି ରାଷ୍ଟ୍ର ଯଥା ଚୀନ, ଉତ୍ତର କୋରିଆ, ଭିଏତନାମ, ଭେନିଜୁଏଲା, ପାକିସ୍ତାନ, ବାଂଲାଦେଶ ପ୍ରମୁଖ ନିଜ ନିଜର ନିରପେକ୍ଷତା ଅବଲମ୍ବନ କରି ଯୁଦ୍ଧ ବନ୍ଦ କରି ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଜାତିସଂଘର ହସ୍ତକ୍ଷେପ ଚାହିଁ ଥିବା ବେଳେ, ମାର୍କିନ୍ ସାମ୍ରାଜ୍ୟବାଦର ନେତୃତ୍ବ ନେଉଥିବା ଯୁକ୍ତ ରାଷ୍ଟ୍ର ଆମେରିକା ତା'ର ସାମରିକ ମେଣ୍ଟ ନାଟୋ ମାଧ୍ୟମରେ ଇସ୍ରାଏଲକୁ ସମର୍ଥନ କରି ପାଲେଷ୍ଟାଇନ ଓ ଗାଜା ବିରୁଦ୍ଧରେ ଯୁଦ୍ଧ  କରିବାକୁ ଏକ ଲକ୍ଷ ସୈନ୍ୟ ପଠାଇବା ବିଶ୍ବ ପାଇଁ ଏକ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କରିଛି।
ଦ୍ୱିତୀୟ ବିଶ୍ବଯୁଦ୍ଧ ପରେ ୧୯୪୫ ମସିହାରେ ଜାତିସଂଘ ପ୍ରତିଷ୍ଠା ସମୟରେ ପୃଥିବୀର ବିଭିନ୍ନ ଦେଶକୁ ଆକ୍ରମଣ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଥିଲା। ସାମରିକ ମେଣ୍ଟ ଗୁଡିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିନେବାକୁ ଜାତିସଂଘ ସୁପାରିଶ କରିଥିଲା। କିନ୍ତୁ ଜାତିସଂଘର ସୁପାରିଶକୁ ବେଖାତିର କରି ଯୁକ୍ତ ରାଷ୍ଟ୍ର ଆମେରିକା ଏବେ ସୁଦ୍ଧା ତା’ର ୩ ଟି ସାମରିକ ମେଣ୍ଟ ଯଥା ନାଟୋ, ସେଣ୍ଟ୍ରୋ, ସିଆଟୋ ମାଧ୍ୟମରେ ପୃଥିବୀର ବିଭିନ୍ନ ଦେଶ ଉପରେ ଆକ୍ରମଣ ଜାରି ରଖିଛି। ଦ୍ୱିତୀୟ ବିଶ୍ବଯୁଦ୍ଧ ପର ଠାରୁ ଯୁକ୍ତ ରାଷ୍ଟ୍ର ଆମେରିକା ପ୍ରାୟ ୨୭ ଟି ଦେଶ ଯଥା ଇରାକ, ଇରାନ୍, ଆଫଗାନିସ୍ଥାନ, ଆର୍ଜେଣ୍ଟିନା, କ୍ୟୁବା, ବଲିଭିଆ, ପେରୁ, ଚିଲି, ଉରୁଗୁଏ, ସିରିଆ, ଭେନିଜୁଏଲା, ଭିଏତନାମ, ପାଲେଷ୍ଟାଇନ, ଉତ୍ତର କୋରିଆ ଆଦି ଦେଶ ଗୁଡିକ ଉପରେ ସାମ୍ରାଜ୍ୟବାଦୀ ଆକ୍ରମଣ, ଅର୍ଥନୈତିକ କଟକଣା, ଅର୍ଥନୈତିକ ବାସନ୍ଦ ଆଦି କରି ଚାଲିଛି। ଯାହା ବିଶ୍ବସୁରକ୍ଷା ଦିଗରେ ଏକ ଭୟଙ୍କର ସଙ୍କଟ ସୃଷ୍ଟି କରିଛି। ଯୁକ୍ତ ରାଷ୍ଟ୍ର ଆମେରିକାର ଯୁଦ୍ଧାସ୍ତ୍ର ବିକ୍ରି ପାଇଁ ଅତୀତରେ ମଧ୍ୟ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭିଆଇଥିଲା ଯୁକ୍ତ ରାଷ୍ଟ୍ର ଆମେରିକା।

publive-image Sambad

ଋଷ-ୟୁକ୍ରେନ ଯୁଦ୍ଧକୁ ଆଜି ପର୍ଯ୍ୟନ୍ତ ଆମେରିକାର ନାଟୋ ସେନା ଚଳାଇ ରଖିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର କନିଷ୍ଠ ସହଯୋଗୀ ଭାବେ ବର୍ତ୍ତମାନ ଇସ୍ରାଏଲକୁ ଆମେରିକା ସମ୍ପୂର୍ଣ୍ଣ ଉସୁକାଉଛି ଓ ଯୁଦ୍ଧରେ ପ୍ରତ୍ୟକ୍ଷ ସାମିଲ ହୋଇଛି। ଯୁକ୍ତ ରାଷ୍ଟ୍ର ଆମେରିକା ସହଯୋଗରେ ପାଲେଷ୍ଟାଇନର ଗାଜାଷ୍ଟ୍ରିପ ଉପରେ ଏହି  ଆକ୍ରମଣକୁ ବିରୋଧ କରି ଭଦ୍ରକ ବନ୍ତ ଛକ ଠାରେ ଏସ୍ ଏଫ୍ ଆଇ ଓ ଡିୱାଇଏଫ୍ଆଇ ପକ୍ଷରୁ ମିଳିତ ଭାବେ ପ୍ରତିବାଦ ଆନ୍ଦୋଳନ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିବାଦ ଆନ୍ଦୋଳନରେ ଏସ୍ଏଫ୍ଆଇ ରାଜ୍ୟ ସମ୍ପାଦକ ଷ୍ଟାଲିନ ଟିଟନ ଲେଙ୍କା, ରାଜ୍ୟ ସାଙ୍ଗଠନିକ କମିଟି ସଭ୍ୟ ବିକାଶ ନାଥ, ଜିଲ୍ଲା ଆବାହକ ଦାଶୀନାଥ ଭୋଈ, ଛାତ୍ର ନେତା ଦେବାଶିଷ ବେହେରା, ଡିୱାଇଏଫ୍ଆଇ ଜିଲ୍ଲା ସଭାପତି ବିନୋଦ ସାହୁ, ଡିୱାଇଏଫ୍ଆଇର ପୂର୍ବତନ ଜିଲ୍ଲା ସମ୍ପାଦକ ଆଇନଜୀବୀ ଗିରିଧାରୀ ନାଥ, ଭଦ୍ରକ ମହାବିଦ୍ୟାଳୟ ଛାତ୍ର ନେତା ରାମହରି ପଣ୍ଡା, ସାଗର ମିଶ୍ର, ମାନସ ପଲାଇ, ଆଶିଷ ପଣ୍ଡା, ପଙ୍କୋଜ ମାଝି, ସରୋଜ ବେହେରା   ପ୍ରମୁଖ ଏହି ପ୍ରତିବାଦ ଆନ୍ଦୋଳନରେ ବକ୍ତବ୍ୟ ରଖି ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ, ତୁରନ୍ତ ଯୁଦ୍ଧ ବନ୍ଦ କରି ଶାନ୍ତି ପ୍ରତିଷ୍ଠା ପାଇଁ ଏହି ପ୍ରତିବାଦ ସଭା ମାଧ୍ୟମରେ ଉଭୟ ଇସ୍ରାଏଲ ଓ ପାଲେଷ୍ଟାଇନକୁ ନିବେଦନ କରିଛନ୍ତି। ଏହି ଭୟଙ୍କର ଯୁଦ୍ଧରେ ଆମ ଭାରତ ସରକାର କୌଣସି ଦେଶର ପକ୍ଷ ନନେଇ ଯୁଦ୍ଧ ବନ୍ଦ ପାଇଁ ସରକାରୀ ଭାବେ ଲିଖିତ ନିବେଦନ କରିବାକୁ ଉଭୟ ସଙ୍ଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରତିବାଦ ସଭା ମାଧ୍ୟମରେ  ନିବେଦନ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe