ଛାତ୍ରଙ୍କୁ ପିଟିଲେ କ୍ରୀଡ଼ା ଶିକ୍ଷକ; ଜଣେ ଗୁରୁତର, ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଲେ ଅଭିଭାବକ

ଛାତ୍ରଙ୍କୁ ପିଟିଲେ କ୍ରୀଡ଼ା ଶିକ୍ଷକ; ଜଣେ ଗୁରୁତର, ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଲେ ଅଭିଭାବକ

Sambad

ଗୋଷାଣୀ: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଲିଙ୍ଗିପୁର ଆଦର୍ଶ ବିଦ୍ୟାଳୟର ଖେଳ ଶିକ୍ଷକ ନାଗାର୍ଜୁନ ସାହୁ ୧୬ ଜଣ ଛାତ୍ରଙ୍କୁ ମାଡ଼ ମାରିବା ଓ ଜଣେ ଛାତ୍ର ଗୁରୁତର ହୋଇ ଚିକିତ୍ସିତ ହୋଇଥିବା ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ଏହାର ପ୍ରତିବାଦରେ ଆଜି ଶନିବାର ଅଭିଭାବକ ମାନେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିବା ଜଣାପଡ଼ିଛି। ବିଡିଓ ଓ ଥାନା ଅଧିକାରୀ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଅଭିଯୋଗ ମୁତାବକ, ଗତକାଲି କ୍ରୀଡ଼ା ଶିକ୍ଷକ ଶ୍ରୀ ସାହୁ ଯୁକ୍ତଦୁଇ ଶ୍ରେଣୀର ୧୬ ଜଣ ଛାତ୍ରଙ୍କୁ ମାଡ଼ମାରି ଲହୁଲୁହାଣ କରିଥିଲେ। ଶିକ୍ଷକଙ୍କ ମାଡ଼ରେ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ହୋଇଥିଲା। ତୁରନ୍ତ ସମ୍ପୃକ୍ତ ଛାତ୍ରଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ଏହି ଘଟଣାରେ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆଜି ଶନିବାର ସମ୍ପୃକ୍ତ କ୍ରୀଡ଼ା ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ।
ଖବର ପାଇ ଗାରାବନ୍ଧ ଏସ୍ଆଇ ଏନ୍‌.ସି.ଦାସ ପହଞ୍ଚି ଅଭିଭାବକଙ୍କୁ ବୁଝାସୁଝା କରି ତାଲା ଖୋଲି ଥିଲେ। ପରେ ବିଡିଓ ନୀଳମାଧବ ମାଝୀ, ଗାରାବନ୍ଧ ଥାନାଧିକାରୀ ଗୋବିନ୍ଦ ଗୌଡ଼, ଏବିଇଓ ଶିବାଜୀ କହଁର ପ୍ରମୁଖ ପହଞ୍ଚି ସ୍ଥାନୀୟ ଜନସାଧାରଣ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। କ୍ରୀଡ଼ାଶିକ୍ଷକ ଏନେଇ ଲିଖିତ ଭାବେ ଘଟଣାର ଆଉ ପୁନରାବୃତ୍ତି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାସହ କ୍ରୀଡ଼ାଶିକ୍ଷକଙ୍କୁ ବଦଳି କରିବା ପାଇଁ ଅଧ୍ୟକ୍ଷ ସୁପାରିସ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe