ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ କଲ୍ୟାଣମଣ୍ଡପ ନିର୍ମାଣକୁ ବିରୋଧ

ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ କଲ୍ୟାଣମଣ୍ଡପ ନିର୍ମାଣକୁ ବିରୋଧ

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ​ପୌର ପରିଷଦ ଅନ୍ତର୍ଗତ ଜେମାଦେଈ ଠାରେ ପୌର ପ୍ରଶାସନ ପକ୍ଷରୁ ଏକ କଲ୍ୟାଣମଣ୍ଡପ ନିର୍ମାଣ କରାଯିବ। ଏନେଇ ଜମି ଚିହ୍ନଟ ଓ ଟେଣ୍ଡର ଆଦି ପ୍ରାୟତଃ ଚୂଡ଼ାନ୍ତ ହୋଇ ଯାଇଛି। ତେବେ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟଦ୍ବାର ସମ୍ମୁଖରେ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ନିର୍ମାଣ ହେବାକୁ ଥିବା ଜାଣି ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆଜି ମଙ୍ଗଳବାର ଅଞ୍ଚଳର ଦଶରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏନେଇ ଏକ ସ୍ମାରକପତ୍ର ଦେଇଛନ୍ତି। ରତ୍ନାକର ପ୍ରଧାନ, ଅକ୍ଷୟ କୁମାର ସେନାପତି, ବିଭୂତି ଭୂଷଣ ମହାପାତ୍ର, ଆପାନ୍ନା ପ୍ରଧାନ, ହାଡ଼ିବନ୍ଧୁ ଦଳାଇ ପ୍ରମୁଖ ୧୦୦ରୁ ଉର୍ଦ୍ଧ୍ବ ବାସିନ୍ଦାଙ୍କ ସ୍ବାକ୍ଷରିତ ସ୍ମାରକପତ୍ରରେ ଦର୍ଶାଯାଇଛି ଯେ ପ୍ରସ୍ତାବିତ କଲ୍ୟାଣମଣ୍ଡପଟି ଖାତା ନଂ୨୮୯ ପ୍ଲଟ ନଂ ୧୫୫ର ଅନାବାଦୀ ଜମି ଅଟେ। ଏହି ଜମିଟି ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ବ ମୁଖଶାଳା ଓ ମୁଖ୍ୟ ଦ୍ବାର ସମ୍ମୁଖରେ ରହିଛି। ରଥଯାତ୍ରା, ଦୋଳପୂର୍ଣ୍ଣିମା ଓ ଅନ୍ୟ ପୂଜାପର୍ବାଣୀ ସମୟରେ ଏହି ଜମିଟି ଦୀର୍ଘ ଦଶନ୍ଧି ଧରି ମନ୍ଦିର କାର୍ଯ୍ୟରେ ବ୍ୟବହୃତ ହେଉଥିଲା।

ବର୍ତ୍ତମାନ ମନ୍ଦିରର ମୁଖ୍ୟଦ୍ବାର ଅତି ନିକଟରେ ଏକ କଲ୍ୟାଣମଣ୍ଡପ ନିର୍ମାଣ କରାଯାଉଛି। ଏହି କଲ୍ୟାଣମଣ୍ଡପଟି ସର୍ବସାଧାଣ ପାଇଁ ବ୍ୟବହୃତ ହେବାକୁ ଥିବାବେଳେ ଏଠାରେ ବାହାଘର ଆଦିରେ ଭୋଜିରେ ଆମିଷ ଆଦି ରନ୍ଧାଯିବ। ଏହାଦ୍ବାରା ମନ୍ଦିରର ପବିତ୍ରତା ନଷ୍ଟ ହେବ। ଏନେଇ ପୂର୍ବରୁ ସ୍ଥାନୀୟ କାଉନସିଲର ଓ ପୌର ପ୍ରଶାସନକୁ ଅନୁରୋଧ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି, ଏଣୁ ଜିଲ୍ଳାପାଳଙ୍କୁ ଅନୁରୋଧ କରାଯାଇଛି ବୋଲି ବାସିନ୍ଦା ବାସୁଦେବ ପ୍ରଧାନ, ଭାଗିରଥୀ ମଙ୍ଗରାଜ, ତ୍ରିଲୋଚନ ପ୍ରଧାନ ପ୍ରମୁଖ କହିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ହେଲା ଆଖପାଖରେ ଅନେକ ସରକାରୀ ଓ ଅନାବାଦୀ ଜମି ରହିଥିବା ବେଳେ ସେହି ଜମିରେ କଲ୍ୟାଣମଣ୍ଡପ ନିର୍ମାଣ ନକରି ମନ୍ଦିର ସମ୍ମୁଖରେ ନିର୍ମାଣ କରାଯିବା ଏକ ଅଭିସନ୍ଧିମୂଳକ ଯୋଜନା ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe