ନିଜିଗଡ଼ ତାପଙ୍ଗରେ ପ୍ରଶାସନର ମାଙ୍କଡ଼ାପଥର ଖଣିକୁ ବିରୋଧ

ନିଜିଗଡ଼ ତାପଙ୍ଗରେ ପ୍ରଶାସନର ମାଙ୍କଡ଼ାପଥର ଖଣିକୁ ବିରୋଧ

Sambad

ଖୋର୍ଦ୍ଧା: ଐତିହାସିକ ନିଜିଗଡ଼ ତାପଙ୍ଗ ବର୍ତମାନ ଉଭୟ ବେଆଇନ ଓ ଅନୁମତିପ୍ରାପ୍ତ ଖଣିରେ ଧ୍ୱସ୍ତ ହେବାକୁ ବସିଛି। ଗାଈଗୋରୁଙ୍କ ଚରିବା ପାଇଁ ଜମି ନାହିଁ, ମୃତଦେହ ପୋଡ଼ିବାକୁ ଶ୍ମଶାନ ନାହିଁ, ପ୍ରାକୃତିକ ଜଳସ୍ରୋତ ଜମିକୁ ଆସୁନାହିଁ, ଗାଁରେ ଅନେକଙ୍କୁ ଫୁସଫୁସ ଜନିତ ସମସ୍ୟା ଦେଖା ଦେଲାଣି, ରାସ୍ତାରେ ଯିବାକୁ ଭୟ ଲାଗିଲାଣି, ଆଉ ଏଠାରେ ଖଣି କରାଇଦେବୁ ନାହିଁ। ଖଣି ଖୋଳିବା ପୂର୍ବରୁ ସେମାନଙ୍କ ଛାତି ଉପରେ ଏକ୍ସାଭେଟର ଚଢ଼ାଇ ନିଅ, ଆଜି ଗାଁ ନିକଟରେ ଥିବା ଶ୍ରୀମନ୍ଦିର ପ୍ରଶାସନର ଜମି ଉପରେ ମାଙ୍କଡ଼ା ପଥର ଖଣି ଖନନକୁ ବିରୋଧ କରି ଏକ୍ସାଭେଟର ସମ୍ମୁଖରେ ଧାରଣାରେ ବସିରହିଥିବା ଶତାଧିକ ମହିଳା ଓ ପୁରୁଷ ଏହା କହିଛନ୍ତି।

ଶୁକ୍ରବାର ସକାଳେ ନିଜିଗଡ଼ ତାପଙ୍ଗ ନିକଟ ନିଲାମ ପାଇଥିବା ଜମିରେ ନିଲାମଧାରୀ ନିଜର କର୍ମଚାରୀ ଓ ଏକ୍ସାଭେଟର ଆଦି ନେଇ ଯାଇଥିଲେ। ଏହା ଦେଖି ଗାଁର ଶତାଧିକ ପୁରୁଷ ଓ ମହିଳା ଏକଯୁଟ ହୋଇ ଏକ୍ସାଭେଟର ସମ୍ମୁଖରେ ବସି ରହିଥିଲେ। ନିଲାମଧାରୀ କର୍ମଚାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ପରିସ୍ଥିତି ମୁହାଁମୁହିଁ ହେବା ବେଳେ କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ଆଇଆଇସି ବିଦିତା ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ପହଂଚିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଗାଁ ଲୋକ ନିଜ ଜିଦରେ ଅଡ଼ି ରହିବାରୁ ନିଲାମଧାରୀଙ୍କୁ କାମ ବନ୍ଦ କରିବାକୁ କହିଥିଲେ।

publive-image Sambad

ଏନେଇ ସଦର ଥାନା ଅଧିକାରୀ ବିଦିତା ନାୟକ କହିଛନ୍ତି ଯେ ବର୍ତମାନ କାମ ବନ୍ଦ ରହିଛି। ପରବର୍ତୀ ପଦକ୍ଷେପ ଉପଜିଲ୍ଲାପାଳଙ୍କ ନିଷ୍ପତ୍ତି ପରେ ନିଆଯିବ। ନିଜିଗଡ଼ ତାପଙ୍ଗ ମୌଜାର ଖାତା ନଂ ୮୩୨ ଓ ଜମି ନଂ ୨୦୫୪ର ୬.୧୩ ଏକର ଜମିରେ ମାଙ୍କଡ଼ା ପଥର ଓ ମୋରମ ଖନନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭୁବନେଶ୍ୱରର ନରେନ୍ଦ୍ର ଭାଉଲ ନାମକ ବ୍ୟକ୍ତି  ନିଲାମ ପାଇଥିଲେ। ତେବେ ନିଲାମ ନେଇ ବିଜ୍ଞପ୍ତି ପାଇବା ଦିନ ଠାରୁ ଗାଁ ଲୋକ ଏହାକୁ ବିରୋଧ କରି ଆସୁଥିଲେ।

ନିଜିଗଡ଼ ତାପଙ୍ଗ ଓ ଧଉଳିମୁହଁ ଗ୍ରାମବାସୀଙ୍କ କହିବା କଥା ଏହି ଜମିଟି କେବଳ ଖଣି ଖନନରୁ ବଂଚି ରହିଛି, ଏହି ଜମିକୁ ସେମାନେ ପୁରୁଷ ପୁରୁଷ ଧରି ଗୋଚର ଜମି ଭାବେ ବ୍ୟବହାର କରିଆସୁଛନ୍ତି। ଏନେଇ ସେମାନେ ୨୦୨୨ ନଭେମ୍ବରରେ ଖୋର୍ଦ୍ଧା ତହସିଲଦାର, ୨୦୨୩ରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ଗାଁ ଲୋକ ଓ ଜୀବଜନ୍ତୁଙ୍କ ଜୀବନ ବିପନ୍ନ କରି ବେଆଇନ ଭାବେ ଖଣି ଖନନକୁ ଅନୁମତି ଦିଆଯାଇଛି। ଖଣି ଖନନ ପୂର୍ବରୁ ଗ୍ରାମସଭାରେ ଗୃହୀତ ହେବା ନିୟମ ରହିଥିଲେ ମଧ୍ୟ ପ୍ରଶାସନ, ଖଣି ମାଲିକ ହାତ ଗଣତି କିଛି ଲୋକଙ୍କ ଦ୍ୱାରା ମିଛ ସ୍ୱାକ୍ଷର ନେଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ସେମାନଙ୍କ ଅଭିଯୋଗ ସମ୍ପର୍କରେ ପଦକ୍ଷେପ ନେବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe