ନାଭାଲ କେନ୍ଦ୍ର ଜମି ଅଧିଗ୍ରହଣକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Advertisment
ନାଭାଲ କେନ୍ଦ୍ର ଜମି ଅଧିଗ୍ରହଣକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଯାଁଳା ପଂଚାୟତର ଓଗାଳପଡ଼ା ନିକଟରେ ଏକ ନାଭାଲ କେନ୍ଦ୍ର ପ୍ରତିଷ୍ଠା ପାଇଁ ପଂଚାୟତର ବାଳିଆ ଉଚ୍ଚ ବିଦ୍ୟାଳୟ, ଏହାର ଖେଳପଡ଼ିଆ ଓ ନିକଟସ୍ଥ ଜମିକୁ ଅଧିଗ୍ରହଣ ପାଇଁ ରାଜସ୍ୱ ବିଭାଗ ନୋଟିସ ଜାରି କରିଛି। ଏହି ଅଧିଗ୍ରହଣ ବିରୋଧରେ ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଶତାଧିକ ଲୋକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ କହିବାନୁସାରେ, ପଂଚାୟତର ଏକମାତ୍ର ବାଳିକା ଉଚ୍ଚବିଦ୍ୟାଳୟ, ଏହାର ଖେଳପଡ଼ିଆ ଓ ଏହାର ଚତୁଃପାଶ୍ୱର୍ରେ ଥିବା ଜମିକୁ ନାଭାଲ୍ କେନ୍ଦ୍ର ସ୍ଥାପନ କରିବାକୁ ଜମି ଅଧିଗ୍ରହଣ କରିବାକୁ ରାଜସ୍ୱ ବିଭାଗ ନୋଟିସ୍ ଜାରି କରିଛି। ବାଳିକା ଉଚ୍ଚବିଦ୍ୟାଳୟର ଚତୁଃପାଶ୍ୱର୍ରେ ୨୫-୩୦ ବର୍ଷ ଧରି ୪୦ରୁ ଉର୍ଦ୍ଧ୍ଦ ପରିବାର ବସବାସ କରୁଛନ୍ତି। ଏଠାରେ ବସବାସ କରୁଥିବା ଅନେକ ପରିବାର ଗରିବ ଦିନମଜୁରିଆ ଅଟନ୍ତି। କେତେକଙ୍କୁ ଇନ୍ଦିରା ଆବାସ ମଧ୍ୟ ମିଳିଛି। ଅନ୍ୟମାନେ ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଗୋଷ୍ଠୀ ଋଣ କରି ଘର ନିର୍ମାଣ କରିଛନ୍ତି।

ସେମାନଙ୍କ ମଧ୍ୟରୁ ଅନେକ ଏହି ଋଣ ଏଯାଏଁ ଶୁଝି ପାରିନାହାନ୍ତି। ଏପରିସ୍ଥଳେ ସେମାନଙ୍କୁ ଉଚ୍ଛେଦ କରାଗଲେ ସେମାନେ ସର୍ବସ୍ୱାନ୍ତ ହୋଇଯିବେ। ଏଣୁ ଜମି ଅଧିଗ୍ରହଣ ବେଳେ ସେହି ବସ୍ତିର ୪୦ ପରିବାରଙ୍କ ଘର ଜମିକୁ ଛାଡ଼ି ଅନ୍ୟସ୍ଥାନର ଜମି ଅଧିଗ୍ରହଣ କରିବାକୁ ସେମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୨ଟାରେ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଅଗ୍ନି ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଏକ ସମୀକ୍ଷା ବୈଠକ ଚାଲିଥିବା ବେଳେ ଶତାଧିକ ଲୋକ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଥିଲେ। ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କୁ ନପାଇ ସେମାନେ ସେଠାରେ ଧାରଣାରେ ବସିଥିଲେ। ପରେ ଏକ ୮ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସମ୍ମିଳନୀକକ୍ଷ ଠାରେ ସାକ୍ଷାତ କରି ଏକ ସ୍ମାରକପତ୍ର ଦେବା ସହ ବସ୍ତି ଅଂଚଳ ବ୍ୟତୀତ ଅନ୍ୟ ଅଂଚଳରେ ଜମି ଅଧିଗ୍ରହଣ ପାଇଁ ଅନୁରୋଧ କରିଥିଲେ। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଆଲୋଚନାରେ କହିଥିଲେ ଯେ ସର୍ବେକ୍ଷଣରେ ଅନେକ ପରିବାର ଗତ ୫-୧୦ ବର୍ଷ ମଧ୍ୟରେ ଘର କରି ରହିଥିବା ତଥ୍ୟ ରହିଛି। ତେବେ ଏନେଇ ପୁଣି ପୁଂଖାନୁପୁଂଖ ଅନୁଶୀଳନ କରି ଆବଶ୍ୟକ ପଦକ୍ଷେପ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe