ଶ୍ରୀଜଗନ୍ନାଥଙ୍କ ଜମି ସରକାରଙ୍କ ଅଧୀନକୁ ନେବା ପ୍ରସଙ୍ଗ: ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

Advertisment
ଶ୍ରୀଜଗନ୍ନାଥଙ୍କ ଜମି ସରକାରଙ୍କ ଅଧୀନକୁ ନେବା ପ୍ରସଙ୍ଗ: ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

Sambad

ଖୋର୍ଦ୍ଧା: ନରଣଗଡ଼, ନିଜିଗଡ଼ ତାପଙ୍ଗ ଆଦି ପଞ୍ଚାୟତରେ ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ଥିବା ଜମି ଗୁଡ଼ିକୁ ଓଡ଼ିଶା ସରକାରଙ୍କ ଅଧୀନକୁ ନେବା ଦାବିରେ ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ଗତ ୧୦ ଦିନ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଧାରଣା ଦେଇଥଲେ। ଆଜି ଜିଲ୍ଲା ପ୍ରଶାସନ ଠାରୁ ଖୁବଶୀଘ୍ର ସମାଧାନର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ଗତ ୧୦ ଦିନ ଧରି ସଂଗ୍ରାମ ସମିତି ପକ୍ଷରୁ ଜିଲ୍ଳାପାଳ କାର୍ଯ୍ୟାଳୟ ନିକଟରେ ଧାରଣା ଦିଆଯାଇଥିଲା। ଧାରଣାକୁ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ ପ୍ରମୁଖ ସମର୍ଥନ ଜଣାଇଥିଲେ।

ମଙ୍ଗଳବାର ସଂଗ୍ରାମ ସମିତିର ପ୍ରତିନିଧି ଦଳ ସହ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଲୋଚନା ହୋଇଥିଲା। ଆଲୋଚନା ୧ ଘଣ୍ଟା ଧରି ଚାଲିଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ, ଖୋର୍ଦ୍ଧା ତହସିଲଦାର, ଏସଡ଼ିପିଓ ଦିଲ୍ଲୀପ କୁମାର ଦାସ, ଖୋର୍ଦ୍ଧା ଟାଉନ ଥାନା ଅଧିକାରୀ ତାରିକ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସଂଗ୍ରାମ ସମିତି ପକ୍ଷରୁ ଦାବି ରଖାଯାଇଥିଲା ଯେ ୧୯୯୨ରୁ ୨୦୦୨ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ଜମିଦାରିରେ ଥିବା ଅଞ୍ଚଳର ୧୫୬ଟି ମୌଜାର ୧୨୦ଟି ମୌଜାର ଜମିକୁ ସେଠାର ସ୍ଥିତିବାନ ପ୍ରଜାଙ୍କ ନାମରେ ନାମିତ କରାଯିବା ସହ ଜମିର ମାଲିକାନା ରାଜ୍ୟ ସରକାରଙ୍କ ଅଧୀନକୁ ଚାଲି ଯାଇଥିଲା। ବଳକା ୩୬ଟି ମୌଜାର ପ୍ରଜା ସେମାନଙ୍କ ଜମି ପାଇଁ ୨୦୧୩-୧୪ ଯାଏଁ ସରକାରଙ୍କୁ ଖଜଣା ଦେଉଥିଲେ ଓ ଜମିର ବିକ୍ରି ଆଦି କରି ପାରୁଥିଲେ। କିନ୍ତୁ ଏହାପରେ ସିଦ୍ଧମଠ ବନାମ ଶ୍ରୀଜଗନ୍ନାଥ ପରିଚାଳନା କମିଟି ମାମଲାର ଚୂଡ଼ାନ୍ତ ରାୟ ପରେ ଏହି ସୁବିଧାରୁ ସେମାନେ ବଞ୍ଚିତ ହେଲେ। ଏଣୁ ବଳକା ଥିବା ୩୬ଟି ମୌଜାରୁ ୧୫ଟି ମୌଜାର ସ୍ଥିତିବାନ ପ୍ରଜାଙ୍କ ଜମିକୁ ପୂର୍ବ ୧୨୦ଟି ମୌଜା ଭଳି ରାଜ୍ୟ ସରକାରଙ୍କ ଅଧୀନକୁ ନିଆଯାଉ।

ଏହାସହ ସେମାନଙ୍କୁ ଜାତିପ୍ରମାଣପତ୍ର, ଅନ୍ୟ ସରକାରୀ ସୁବିଧା, ବାତ୍ୟା ଆଦିର କ୍ଷତିପୂରଣ, ଆବାସ ଯୋଜନା ଆଦିରେ ସମ୍ପୃକ୍ତ କରାଯାଉ। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଏନେଇ ସେ ନିଷ୍ପତ୍ତି ନେଇ ପାରିବେ ନାହିଁ। ତଥାପି ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ ପାଇଁ ତତ୍ପର ଅଛନ୍ତି। ନିକଟରେ ଏନେଇ ସଚିବ ସ୍ତରରେ ଦୁଇ ଦୁଇଥର ଆଲୋଚନା ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ଆଇନ ବିଭାଗ ଓ ରାଜସ୍ୱ ବିଭାଗ ମଧ୍ୟରେ ଆଲୋଚନା ହୋଇ ଏକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପ୍ରଚେଷ୍ଟା ଚାଲିଛି।

ତେବେ ଯେଉଁମାନେ ଚାହିଁବେ ସେମାନେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରସ୍ତାବ ଅନୁସାରେ ୟୁନିଫର୍ମ ସେଟେଲମେଣ୍ଟର ଜମିର ନିର୍ଦ୍ଧାରିତ ମୂଲ୍ୟ ଦେଇ ଏହାକୁ ନିଜ ନାମରେ କରିପାରିବେ। କିନ୍ତୁ ଏହି ପ୍ରସ୍ତାବକୁ ସଂଗ୍ରାମ ସମିତି ପ୍ରତ୍ୟାଖ୍ୟାନ କରିବା ସହ ପୂର୍ବର ୧୨୦ଟି ମୌଜାର ଯେଭଳି ଜମି ବନ୍ଦୋବସ୍ତ ହୋଇଛି ସେଭଳି କରିବାକୁ ଦାବି କରିଥିଲେ। ଏହାର ଉତ୍ତରରେ ଜିଲ୍ଲାପାଳ କହିଥିଲେ ଯେ ସେମାନେ ନିଜର ସମସ୍ୟା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ତାଙ୍କୁ ପ୍ରଦାନ କଲେ ସେ ନିଜର ମନ୍ତବ୍ୟ ସହ ଏହାକୁ ପଠାଇବେ। ଏହାପରେ ଧାରଣାସ୍ଥଳରେ ସଂଗ୍ରାମ ସମିତିର ପ୍ରତିନିଧିମାନେ ଆଲୋଚନା କରି ଧାରଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଆଗାମୀ ୧୫ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ସକାରାତ୍ମକ ପଦକ୍ଷେପ ନିଆ ନଗଲେ ପୁଣିଥରେ ଆନ୍ଦୋଳନ କରିବାକୁ ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe