ଯୁବକଙ୍କୁ ଅପହରଣ ଅଭିଯୋଗ, ଏସ୍‌ପି କାର୍ଯ୍ୟାଳୟ ଘେରିଲେ ପରିବାର-ଗ୍ରାମବାସୀ

Advertisment
ଯୁବକଙ୍କୁ ଅପହରଣ ଅଭିଯୋଗ, ଏସ୍‌ପି କାର୍ଯ୍ୟାଳୟ ଘେରିଲେ ପରିବାର-ଗ୍ରାମବାସୀ

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ଅଧୀନ କୁମ୍ଭିଲୋ ଗ୍ରାମରୁ ଜଣେ ଯୁବକ ନିଖୋଜ ହୋଇଯିବା ଘଟଣାକୁ ନେଇ ଆଜି ଯୁବକଙ୍କ ପିତା, ପରିବାର ଓ ଶତାଧିକ ଗ୍ରାମବାସୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଛନ୍ତି। ଯୁବକଙ୍କ ପିତା ତାଙ୍କ ପୁଅଙ୍କୁ ପତନିବର ଗ୍ରାମର କେତେକ ଯୁବକ ଅପହରଣ କରି ନେଇଥିବା ଅଭିଯୋଗ କରିଥିବା ବେଳେ ଏସ୍‌ପି ରାଜ କିଶୋର ଦୋରା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଯୁବକଙ୍କୁ ଖୋଜିବାକୁ ପ୍ରତିଶୃତି ଦେଇଛନ୍ତି।

ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ କୁମ୍ଭିଲୋ ଗ୍ରାମର ଶତାଧିକ ଲୋକ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ମଧ୍ୟକୁ ଆସି କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଥିଲେ। ସେମାନଙ୍କ ସହ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ ମଧ୍ୟ ଉପସ୍ଥିତ ଥିଲେ। ଦୀର୍ଘ ୩୦ ରୁ ୪୦ ମିନିଟ୍ ଧାରଣା ଦେବା ପରେ ଏସ୍‌ପି ରାଜକିଶୋର ଦୋରା ଲୋକମାନଙ୍କୁ ଭେଟି ଯୁବକଙ୍କୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋଜି ବାହାର କରିବାକୁ ପ୍ରତିଶୃତି ଦେବା ପରେ ଗ୍ରାମବାସୀମାନେ ଧାରଣାରୁ ହଟିଥିଲେ।

ଏନେଇ ନିଖୋଜ ହୋଇଥିବା ଯୁବକ ସନ୍ତୋଷ ବେହେରା (୨୫)ଙ୍କ ପିତା ଲକ୍ଷ୍ମୀଧର ବେହେରା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୨୪ ତାରିଖ ସକାଳେ ଗାଈ ନେଇ ତାଙ୍କ ପୁଅ ଚରାଇବାକୁ ଯାଇଥିଲେ। ସନ୍ଧ୍ୟାରେ ଗାଈ ଗୁଡ଼ିକ ଫେରି ଆସିଥିଲେ ମଧ୍ୟ ତାଙ୍କ ପୁଅ ଫେରିନଥିଲେ। ତେବେ ପତନିବର ଗ୍ରାମର ବାବୁଲି ବଳିଆରସିଂହ ଓ ତାଙ୍କର କେତେକ ସାଥୀ ତାଙ୍କ ଘରକୁ ଆସିଥିଲେ। ଲକ୍ଷ୍ମୀଧର କୁଆଡ଼େ ବାବୁଲିଙ୍କ ମା’ଙ୍କୁ ଫୋନ୍‌ରେ ଗାଳିଗୁଲଜ କରିଥିବାରୁ ତାକୁ ଦେଖିଲେ ବାଡ଼େଇବୁ ଓ ଥାନାରେ ଦେବୁ ବୋଲି କହିଥିଲେ। ଏହାପରେ ସେମାନେ ଗାଁର ଲୋକଙ୍କ ସହାୟତାରେ ଆଖପାଖ ଅଂଚଳରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପୁଅକୁ କେଉଁଠି ପାଇନଥିଲେ। ଶେଷରେ ୨୫ ତାରିଖରେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଟାଉନ୍ ଥାନା ଏନେଇ ଏକ ନିଖୋଜ ମାମଲା ରୁଜୁ କରି ଚୁପ୍ ହୋଇ ବସିଛି।

publive-image

ଏହା ମଧ୍ୟରେ ୪ ଦିନ ବିତିଯାଇଛି କିନ୍ତୁ ତାଙ୍କ ପୁଅଙ୍କ ପତ୍ତା ମିଳି ପାରିନାହିଁ। ଘଟଣାରେ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଯଦି କୌଣସି ପୁଲିସ ଅଧିକାରୀଙ୍କ ପୁଅ ଏଭଳି ନିଖୋଜ ହୋଇଥାନ୍ତା ତେବେ ସେମାନେ ଚୁପ୍ ହୋଇ ବସିଥାନ୍ତେ କି? ବର୍ତ୍ତମାନ ଏସ୍‌ପି ୨୪ ଘଣ୍ଟ‌ା ମଧ୍ୟରେ ନିଖୋଜ ଲକ୍ଷ୍ମୀଧରକୁ ଖୋଜି ଆଣିବାକୁ ପ୍ରତିଶୃତି ଦେଇଛନ୍ତି। ଯଦି ଲକ୍ଷ୍ମୀଧର ଏହି ସମୟରେ ନ ମିଳନ୍ତି ତେବେ ଆସନ୍ତାକାଲି ପୁଣି ଏସ୍‌ପି କାର୍ଯ୍ୟାଳୟ ଆସିବେ। ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ କହିଛନ୍ତି ଯେ, ନିଖୋଜ ଘଟଣା ଅଂଚଳର ଏକ ସମ୍ବେଦନଶୀଳ ଘଟଣା।

ପୁଲିସ ଏଥିରେ ତ୍ୱରିତ ପଦକ୍ଷେପ ଗ୍ରହଣ କରି ସୁରକ୍ଷିତ ଭାବେ ଲକ୍ଷ୍ମୀଧରକୁ ଫେରାଇ ଆଣିବାରେ ବ୍ୟବସ୍ଥା କରୁ। ସେ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି, ଏସ୍‌ପି ଓ ଅନ୍ୟ ପୁଲିସ ଅଧିକାରୀ ମଧ୍ୟ ମାମଲାର ତୁରନ୍ତ ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି। ଏନେଇ ଏସ୍‌ଡ଼ିପିଓ ସୁଶୀଲ ମିଶ୍ର କହିଛନ୍ତି ଯେ ଘଟଣାର ଅଭିଯୋଗ ହେବା ପରେ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଓ ଟାଉନ୍ ଥାନାର ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାର ସରଜମିନ ତଦନ୍ତ କରି ଫେରିଛନ୍ତି। ଲକ୍ଷ୍ମୀଧର ଯେଉଁ ଫୋନ୍‌ରେ କଥାବାର୍ତ୍ତା କରିଥିଲେ ବୋଲି ଅଭିଯୋଗ ହୋଇଛି ତା’ର ତଦନ୍ତ ମଧ୍ୟ କରାଯାଇଛି। ଯେଉଁମାନେ ଧମକ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ତାଙ୍କୁ ପଚରାଉଚୁରା କରାଯାଇଛି। ଖୁବ୍‌ଶୀଘ୍ର ମାାମଲାର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe