ଶିକ୍ଷକ ବଦଳିର ପ୍ରତିବାଦ :ସ୍କୁଲ ଆସିଲେନି ଛାତ୍ରଛାତ୍ରୀ

ଶିକ୍ଷକ ବଦଳିର ପ୍ରତିବାଦ :ସ୍କୁଲ ଆସିଲେନି ଛାତ୍ରଛାତ୍ରୀ

ଯାଜପୁରସଦର: ଶିକ୍ଷକ ବଦଳିକୁ ନେଇ ଯାଜପୁର‌ ବ୍ଲକ୍‌ ସିମିଳିଆ ପଞ୍ଚାୟତ ମିର୍ଜାପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ଭିନ୍ନ ପ୍ରତିବାଦ ଦେଖିବାକୁ ମିଳିଛି। ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ କେହି ଛାତ୍ରଛାତ୍ରୀ ଆଜି ବିଦ୍ୟାଳୟକୁ ଆସିନାହାନ୍ତି। ଶିକ୍ଷକମାନେ ଅପେକ୍ଷା କରି ବସିରହିଥିଲେ। ସମୟ ଗଡ଼ିଚାଲିଥିଲା କିନ୍ତୁ କୌଣସି ପିଲା ଆସିନଥିଲେ। ଉପସ୍ଥାପନ ‘ଶୂନ’ ହୋଇଯାଇଥିଲା।
ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ମୋଟ ୧୭୯ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।

ସେମାନଙ୍କ ପାଇଁ ଶିକ୍ଷକ- ଛାତ୍ର ଅନୁପାତ ଅନୁସାରେ ୬ ଜଣ ଶିକ୍ଷକ ରହିଛନ୍ତି। ଏଠାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ‌ଶିକ୍ଷକ ଭୀମସେନ ଜେନାଙ୍କୁ ଅନ୍ୟତ୍ର ବଦଳି କରାଯାଇ ତାଙ୍କ ସ୍ଥାନରେ ଶିକ୍ଷୟତ୍ରୀ ତନୁଜା ଚାର୍ଟାଜୀଙ୍କୁ ନିଯୁକ୍ତି ଦିଆଯାଇଛି। ଶ୍ରୀ ଜେନାଙ୍କ ବଦଳିକୁ ବିରୋଧ କରି ଗତକାଲି ଛାତ୍ରଛାତ୍ରୀ ରାସ୍ତାରୋକ କରିବା ସହ ସ୍କୁଲ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଆଜି ଶନିବାର ଥିବାବେଳେ ସମସ୍ତ ୬ ଜଣ ଶିକ୍ଷକ ସ୍କୁଲ ଦୁଆରେ ଛାତ୍ରଛାତ୍ରୀଙ୍କୁ ଚାହିଁ ବସିଥିଲେ। ହେଲେ ୧୭୯ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ବି କେହି ଆସି ନଥିଲେ। ଫଳରେ ଶ୍ରେଣୀଗୃହ‌ ତାଲା ଫିଟିନଥିଲା। ଶେଷରେ ଶିକ୍ଷକମାନେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ଅପେକ୍ଷା କରିକରି ଘରକୁ ଫେରିଥିଲେ। ଅନ୍ୟପଟେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଆସିବେ ନାହିଁ ବୋଲି ପରିଚାଳନା କମିଟିର ସଦସ୍ୟ ପ୍ରଭାତ କୁମାର ସାମଲ କହିଛନ୍ତି।

ପିଲା ସ୍କୁଲ ନଆସିବା ସଂପର୍କରେ ଜିଲ୍ଲା ଭାରପ୍ରାପ୍ତ ଶିକ୍ଷାଧିକାରୀ ରଜେଶ କୁମାର ସ୍ବାଇଁ କହିଛନ୍ତି, ଆଜି ଘଟଣା ତାଙ୍କ ଦୃଷ୍ଟିକୁ ଆସିନି। ସେ ଏନେଇ ବ୍ଲକ ଶିକ୍ଷାଧିକାରୀଙ୍କ ସହ ଆଲୋଚନା ପରେ କହିପାରିବେ ବୋଲି ମତ ଦେଇଛନ୍ତି। ଏନେଇ ବ୍ଲକ୍‌ ଶିକ୍ଷାଧିକାରୀ ସ୍ମୃତିରେଖା ନାୟକଙ୍କୁ ଯୋଗାଯୋଗ ସମ୍ଭବ ହୋଇନାହିଁ।

ଯାଜପୁର ଜିଲ୍ଲାରେ ୧୭୦୦ରୁ ଊର୍ଦ୍ଧ୍ବ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ୧୦ ଟି ଶିକ୍ଷା ମଣ୍ଡଳରେ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଶେଷ ହୋଇଛି। ଏହି ବଦଳି ପ୍ରସଙ୍ଗରେ ଗତ ୩/୪ ଦିନ ହେବ ଯାଜପୁର ବ୍ଲକ୍‌ର ଜାହାନପୁର ପଞ୍ଚାୟତର ବଖାଣପୁର ହାଇସ୍କୁଲରେ ଧାରଣା ଓ ରାସ୍ତାରୋକ, ଭୂଇଁପୁର ପଞ୍ଚାୟତର ଗୋପାଳପୁର ନୋଡାଲ ଉଚ୍ଚବିଦ୍ୟାଳୟ, କୋରେଇ  ସାଦକପୁର ପଞ୍ଚାୟତର ମକ୍ତବ ପ୍ରାଥମିକ ବିଦ୍ୟାଳୟ, ଅମୃତିଆ ପଞ୍ଚାୟତର ରଙ୍ଗରଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଂଝାରପୁର ବ୍ଲକର ବାଛୋଳ ପଞ୍ଚାୟତ  ଦାଣ୍ଡିସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ବଡ଼ଚଣା ବ୍ଲକର ସୁଙ୍ଗୁଡ଼ା ପଞ୍ଚାୟତ ନିଶିମଳା ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe