ପୂଜାସ୍ବିନୀ ପାଇଲେ ଫେନ୍ସିଂ କିଟ୍, ରୋଟାରି କ୍ଲବ୍ ମିଡୋସ୍ ପକ୍ଷରୁ ମିଳିଲା ସହାୟତା

ପୂଜାସ୍ବିନୀ ପାଇଲେ ଫେନ୍ସିଂ କିଟ୍, ରୋଟାରି କ୍ଲବ୍ ମିଡୋସ୍ ପକ୍ଷରୁ ମିଳିଲା ସହାୟତା

ଭୁବନେଶ୍ବର: ଗଜପତି ଜିଲ୍ଲା ଲୁଡ୍ରୁର ହ୍ବିଲ୍‌ଚେୟାର୍ ଅସିଚାଳିକା ପୂଜାସ୍ବିନୀ ନାୟକଙ୍କୁ ସହାୟତାର ହାତ ବଢ଼ାଇଛି ରୋଟାରି କ୍ଲବ୍ ମିଡୋସ୍। ଆଜି ଦିନ ୧୧ଟାରେ କ୍ୟାପିଟାଲ୍ ହସ୍‌ପିଟାଲ୍‌ସ୍ଥିତ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣର କମିସନର୍‌ଙ୍କ କାର୍ଯ୍ୟାଳୟରେ କମିସନର୍‌ ସୁଲୋଚନା ଦାସଙ୍କ ଉପସ୍ଥିତିରେ ପୂଜାସ୍ବିନୀଙ୍କୁ ୩୦ହଜାର ଟଙ୍କା ସହାୟତା ଦିଆଯାଇଛି।

ଆଗାମୀ ୨୭ ତାରିଖରେ ହରିୟାଣାର କର୍ଣ୍ଣଲ୍‌ରେ ଜାତୀୟ ହ୍ବିଲ୍‌ଚେୟାର୍ ଅସିଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏଥିରେ ଭାଗ ନେବାକୁ ଥିବା ସମସ୍ତ ପ୍ରତିଯୋଗୀଙ୍କୁ କରୋନାକୁ ନଜରରେ ରଖି ନିଜସ୍ବ ଖେଳ ସାମଗ୍ରୀ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଥିଲା। ତେବେ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ନଥିବାରୁ ତାଙ୍କ ଖେଳକୁ ନେଇ ଅନିଶ୍ଚିତତା ଥିଲା। ଏହାକୁ କେନ୍ଦ୍ର କରି ଚଳିତ ମାସ ୧୩ ତାରିଖରେ ପୂଜାସ୍ବିନୀଙ୍କ ଅର୍ଥାଭାବ ସମସ୍ୟାକୁ ‘ସମ୍ବାଦ’ ଖେଳ ପୃଷ୍ଠାରେ ସ୍ଥାନିତ କରିବା ସହ ‘ଅର୍ଥ ପାଇଁ ବନ୍ଧା ପଡ଼ିଛି ପ୍ରତିଭା’ ଶୀର୍ଷକରେ ଖବର ପ୍ରକାଶ କରିଥିଲା। ଖବର ପ୍ରକାଶିତ ହେବା ପରେ କମିସନର୍‌ ଶ୍ରୀମତି ଦାସ ଘଟଣାର ହସ୍ତକ୍ଷେପ କରି ପୂଜାସ୍ବିନୀଙ୍କ ଖେଳ ସାମଗ୍ରୀ ପାଇଁ ଅର୍ଥ ଯୋଗାଡ଼ କରିଥିଲେ। ଆଜି ପୂଜାସ୍ବିନୀଙ୍କୁ ସହାୟତା ପ୍ରଦାନ ବେଳେ କମିସନର୍‌ଙ୍କ ସମେତ କ୍ଲବ୍‌ର ପାଷ୍ଟ୍ ରୋଟାରି ଗଭର୍ଣ୍ଣର ଅଶ୍ବିନୀ କର ଓ ପାଷ୍ଟ୍ ଆସିଷ୍ଟାଣ୍ଟ୍ ଗଭର୍ଣ୍ଣର୍ ବିଜୟଲକ୍ଷ୍ମୀ କର ଉପସ୍ଥିତ ରହି ତାଙ୍କୁ ଚେକ୍ ପ୍ରଦାନ କରିଥିଲେ।

ଅପରପକ୍ଷରେ ସହାୟତା ପାଇବା ପରେ ଉଭୟ ପୂଜାସ୍ବିନୀ ଓ ତାଙ୍କ ପ୍ରଶିକ୍ଷକ ରାଖାଲ୍ ସେଠୀ ‘ସମ୍ବାଦ’କୁ ଧନ୍ୟବାଦ ଜଣାଇଥିଲେ। ଏହା ସହ ପାରା ଆଥ୍‌ଲେଟ୍‌ଙ୍କୁ ଖେଳିବା ସର୍ବନିମ୍ନ ସହାୟତା ଯୋଗାଇ ଦେବାକୁ ସେ କମିସନର୍‌ଙ୍କୁ ଅନୁରୋଧ କରିଥିଲେ। ତେବେ ଓଡ଼ିଶାରୁ ଚଳିତ ବର୍ଷ ୧୬ଜଣିଆ ପାରା ସ୍ପୋର୍ଟସ୍‌ ଦଳ ଖେଳିବା ପାଇଁ ଆଜି ଭୁବନେଶ୍ବରରୁ ବାହାରୁଛନ୍ତି। ଦଳରେ ପୂଜାସ୍ବିନୀ ଏକମାତ୍ର ବି’ ବର୍ଗର ଖେଳାଳି ଭାବେ ସ୍ଥାନ ପାଇଥିବାରୁ ଦଳରେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe