ଶ୍ରୀମନ୍ଦିରରେ ଲାଗିବ ୧୦ ହଜାର ଲିଟର ଆର୍‌ଓ ପ୍ଲାଣ୍ଟ: ପ୍ରକଳ୍ପ ମୂଲ୍ୟ ୮୫ ଲକ୍ଷ, ଚୁକ୍ତି ୬୬ ଲକ୍ଷ

ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ଶ୍ରୀମନ୍ଦିରରେ ୧୦ ହଜାର ଲିଟର କ୍ଷମତାବିଶିଷ୍ଟ ଆର୍‌ଓ ପ୍ଲାଣ୍ଟ ସ୍ଥାପନ କରାଯିବ। ଯଦ୍ବାରା ସେବକଙ୍କ ସହ ଭକ୍ତମାନେ ଉପକୃତ ହୋଇପାରିବେ। ଏହାର ପ୍ରକଳ୍ପ ମୂଲ୍ୟ ୮୫ ଲକ୍ଷ ଟଙ୍କା।

jagannath temple-the financial express

ପୁରୀ: ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ଶ୍ରୀମନ୍ଦିରରେ ୧୦ ହଜାର ଲିଟର କ୍ଷମତାବିଶିଷ୍ଟ ଆର୍‌ଓ ପ୍ଲାଣ୍ଟ ସ୍ଥାପନ କରାଯିବ। ଯଦ୍ବାରା ସେବକଙ୍କ ସହ ଭକ୍ତମାନେ ଉପକୃତ ହୋଇପାରିବେ। ଏହାର ପ୍ରକଳ୍ପ ମୂଲ୍ୟ ୮୫ ଲକ୍ଷ ଟଙ୍କା। ପ୍ରକଳ୍ପରେ ୨୦ଟି ଷ୍ଟାଣ୍ଡପୋଷ୍ଟ୍‌ରେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ଏହା ପର୍ଯ୍ୟାପ୍ତ ହୋଇ ନ ଥିବାରୁ ୪୯ଟି ସ୍ଥାନରେ ପାନୀୟ ଜଳଯୋଗାଣ ଷ୍ଟାଣ୍ଡପୋଷ୍ଟ୍‌ କରିବାକୁ ପ୍ରସ୍ତାବ ପାରିତ ହୋଇଛି। ରୋଷଘର, ଆନନ୍ଦବଜାର, ପ୍ରସାଦସେବନ ମଣ୍ଡପ, ମଙ୍ଗଳା ମନ୍ଦିର, ବିମଳା ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର, ନିର୍ମାଲ୍ୟ ଖଳା, କୋଇଲି ବୈକୁଣ୍ଠ, ମ୍ୟୁଜିୟମ, ଉପବନ, ଏଏସ୍‌ଆଇ କାର୍ଯ୍ୟାଳୟ, ଦକ୍ଷିଣଦ୍ବାର ବାହାର ଓ ଭିତର ଗୁମୁଟ, ବଟ ଗଣେଶ, ପ୍ରତିହାରୀ ନିଯୋଗ, ଶ୍ରୀମନ୍ଦିର ପରିସର ଶ୍ରୀମନ୍ଦିର ପ୍ରଶାସନ ଶାଖା କାର୍ଯ୍ୟାଳୟ ଆଦି ସ୍ଥାନରେ ୪୯ଟି ଷ୍ଟାଣ୍ଡପୋଷ୍ଟ୍‌ ଲଗାଇବାକୁ ପ୍ରସ୍ତାବ ଆସିଛି।  ଏ ଉପରେ ଶୀଘ୍ର ନିର୍ମାଣକାରୀ ସଂସ୍ଥାକୁ ଅବଗତ କରି ପ୍ରକଳ୍ପରେ ସାମାନ୍ୟ ପରିବର୍ତ୍ତନ କରି ପ୍ରସ୍ତାବ ଅନୁସାରେ ଷ୍ଟାଣ୍ଡପୋଷ୍ଟ୍‌ ବସାଇବାକୁ ନିଷ୍ପତ୍ତି ହୋଇଛି।

ପ୍ରକଳ୍ପ ମୂଲ୍ୟ ୮୫ ଲକ୍ଷ, ଚୁକ୍ତି ୬୬ ଲକ୍ଷ
ଖର୍ଚ୍ଚ ହେବ ନାଲ୍‌କୋ ସିଏସ୍‌ଆର୍‌ ପାଣ୍ଠି
୪୯ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ୍‌ କରିବାକୁ ପ୍ରସ୍ତାବ

ଏଭଳି ବ୍ୟବସ୍ଥାକୁ ସୁଆର ମହାସୁଆର ନିଯୋଗ ସ୍ବାଗତ ଜଣାଇଛି। ଶ୍ରୀମନ୍ଦିରରେ ପାଳି ଖଟୁଥିବା, ରୋଷଘରେ ଓ ଆନନ୍ଦବଜାରରେ ମହପ୍ରସାଦ କାମରେ ନିୟୋଜିତ ଥିବା ସେବକମାନେ ପିଇବା ପାଣି ପାଇଁ କଲବଲ ହେଉଛନ୍ତି। ଭକ୍ତମାନେ ବି ଅଧିକ ଅସୁବିଧା ଭୋଗୁଛନ୍ତି। ୧୦ ହଜାର ଲିଟର ବିଶିଷ୍ଟ ଆର୍‌ଓ ପ୍ଲାଣ୍ଟ ବ୍ୟବସ୍ଥା ଏହି ଅସୁବିଧା ଦୂର କରିପାରିବ ବୋଲି ସୁଆର-ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏହି ଆର୍‌ଓ ପ୍ଲାଣ୍ଟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ନିଯୋଗରୁ ଉପସ୍ଥିତ ସେବକଙ୍କ ମତ ଗ୍ରହଣ କରାଯାଇଥିଲା। ପ୍ରକଳ୍ପର ରୂପରେଖ ଅନୁଯାୟୀ, ଶ୍ରୀମନ୍ଦିର ଦକ୍ଷିଣଦ୍ବାର ପାର୍ଶ୍ବ ବାହାର ବେଢ଼ାରେ ନିର୍ମାଲ୍ୟ ଖଳା (ଏଏସ୍‌ଆଇ କାର୍ଯ୍ୟାଳୟ ପାଖ) ନିକଟରେ ୧୦ ହଜାର ଲିଟର ବିଶିଷ୍ଟ ଏହି ଏଲ୍‌ପିଏଚ୍‌ ଆର୍‌ଓ ପ୍ଲାଣ୍ଟ ସ୍ଥାପନ ହେବ। ଏଥିପାଇଁ ୧୦ ହଜାର ଲିଟର ଲେଖାଏଁ କ୍ଷମତା ବିଶିଷ୍ଟ ଦୁଇଟି ଷ୍ଟୋରେଜ୍‌ ଟ୍ୟାଙ୍କ ବସାଯିବ। ୩ ଫେଜ୍‌ର ଦୁଇଟି ପମ୍ପ୍‌ ସେଟ୍‌ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସରଞ୍ଜାମ ଲାଗିବ। କଳଙ୍କିବିହୀନ ଷ୍ଟାଣ୍ଡପୋଷ୍ଟ ଓ ଏଠାକୁ ପାଣି ଯୋଗାଣ ପାଇଁ ୨ ଇଞ୍ଚର ପିଭିସି ପାଇପ୍‌ ଭିତର ବେଢ଼ାରେ ବିଛାଯିବ। ନାଲ୍‌କୋ ସିଏସ୍‌ଆର୍‌ ପାଣ୍ଠିରେ ଏହି ବ୍ୟବସ୍ଥା କରାଯିବ। ପ୍ରକଳ୍ପ ମୂଲ୍ୟ ୮୫ ଲକ୍ଷ ଟଙ୍କା ହୋଇଥିବା ବେଳେ ୬୬ ଲକ୍ଷ ୨୪ ହଜାର ୮୮୫ ଟଙ୍କା (ପ୍ରାୟ ୧୦ ଲକ୍ଷ ଟଙ୍କା ଜିଏସ୍‌ପି ଅନ୍ତର୍ଭୁକ୍ତ)ରେ ଏହି ପ୍ରକଳ୍ପ କରିବାକୁ ଚୁକ୍ତି ହୋଇଛି। ଠିକା ସଂସ୍ଥା ରାଉରକେଲାର ଏମ୍‌ଏସ୍‌ ହେଲ୍‌ଥ ଆଣ୍ଡ୍‌ କେୟାର ଏଣ୍ଟରପ୍ରାଇଜର୍ସକୁ ଏହି କାମ ଦିଆଯାଇଛି। ୫ ବର୍ଷର ରକ୍ଷଣାବେକ୍ଷଣ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି। ରକ୍ଷଣାବେକ୍ଷଣ ସହ ନିୟମିତ ପରିଚାଳନା ଓ ପାଣି ମାନ ପରୀକ୍ଷା ଏହାର ଅନ୍ତର୍ଭୁକ୍ତ ରହିଛି।

ଏହି ପରିପ୍ରେକ୍ଷୀରେ ପୂର୍ବତନ ପରିଚାଳନା କମିଟି ସଦସ୍ୟ ତଥା ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ ସଂପାଦକ ମାଧବ ପୂଜାପଣ୍ଡା ସାମନ୍ତ କହିଛନ୍ତି, ୪୯ଟି ଷ୍ଟାଣ୍ଡପୋଷ୍ଟ ପାଇଁ ପ୍ରସ୍ତାବିତ ଜାଗା ଚୂଡ଼ାନ୍ତ ହୋଇନି। ଭିତର ବେଢ଼ାରେ ଯେଉଁ ସବୁ ଜାଗାରେ ଲାଗିବାକୁ ପ୍ରସ୍ତାବ ଆସିଛି, ସେଠି ଷ୍ଟାଣ୍ଡପୋଷ୍ଟ୍‌ ବସିଲେ, ଅସୁବିଧା ହେବ। ଏଣୁ କେବଳ ବାହାର ବେଢ଼ାରେ ଷ୍ଟାଣ୍ଡପୋଷ୍ଟ ଲାଗିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରଥମେ ଜାଗା ଅନୁଧ୍ୟାନ କରାଯିବ, ପରେ ଷ୍ଟାଣ୍ଡପୋଷ୍ଟ୍‌ ବସିବ। ସେପଟେ ଆଗରୁ ବି ଅନେକ ପାନୀୟ ଜଳ ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି। ଏହାର ପାଇପ୍‌ ଓ ଅନ୍ୟାନ୍ୟ ସରଞ୍ଜାମ ସବୁ କୁରୁମ ବେଢ଼ା ଉପରେ ଅକାମୀ ଅବସ୍ଥାରେ ପଡ଼ିଛି। ଏହାକୁ ପ୍ରଥମେ ହଟାଯିବାକୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe