ସତ୍ତା ହରାଇଲାଣି ଚନ୍ଦ୍ରଭାଗା ଜୟଦେବ ଉଦ୍ୟାନ

ହାତ ଟେକିଦେଇଛି ପର୍ଯ୍ୟଟନ ବିଭାଗ

ସତ୍ତା ହରାଇଲାଣି ଚନ୍ଦ୍ରଭାଗା ଜୟଦେବ ଉଦ୍ୟାନ

ପୁରୀ/କୋଣାର୍କ: ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କ ସ୍ମୃତିରେ ୧୦ ବର୍ଷ ତଳେ ଚନ୍ଦ୍ରଭାଗାରେ ପ୍ରତିଷ୍ଠା କରାଯାଇଥିଲା ଜୟଦେବ ଉଦ୍ୟାନ। ଲକ୍ଷ୍ୟଥିଲା ବିଶ୍ବପ୍ରସିଦ୍ଧ କୋଣାର୍କକୁ ଦେଶ ବିଦେଶରୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ଜୟଦେବଙ୍କ ସଂପର୍କରେ ଅବଗତ କରାଇବା। ଏହାସହ ଫୁଲ, ଫଳ ଭରା ଉଦ୍ୟାନ ଭିତରେ ପର୍ଯ୍ୟଟକଙ୍କୁ ଅବସର ବିନୋଦନର ଖୋରାକ ଯୋଗାଇଦେବା। କିନ୍ତୁ ଏହି ଉଦ୍ୟାନ ଏବେ ଶ୍ରୀହୀନ ଅବସ୍ଥାରେ ପଡ଼ିଛି। ଗୋଟିଏ ବି ଗଛ ଏଠାରେ ନ ଥିବାବେଳେ ଜୟଦେବଙ୍କ ରଙ୍ଗଛଡ଼ା ବିକୃତ ପ୍ରତିମୂର୍ତି କେବଳ ଏଠାରେ ସ୍ମୃତି ହିସାବରେ ଠିଆ ହୋଇଛି। ଯାହାକୁ ନେଇ ଜୟଦେବପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ପୁନରୁଦ୍ଧାର ଦାବି କରିଛନ୍ତି।

୨୦୦୮ ମସିହାରେ କୋଣାର୍କର ଜୟଦେବ ଟ୍ରଷ୍ଟ ପକ୍ଷରୁ ଏହି ଉଦ୍ୟାନର ଚୂଡ଼ାନ୍ତ ରୂପ ପାଇଲା। ସେତେବେଳେ ଜିଲ୍ଲା ପ୍ରଶାସନ ଏ ବାବଦକୁ ୫୦ ଡେସିମିଲ୍ ଜାଗା ‌ବି ଦେଇଥିଲା। ସେହିବର୍ଷ ଏହାର ଉନ୍ନୟନ ପାଇଁ ପର୍ଯ୍ୟଟନ ବିଭାଗ ୨୫ ଲକ୍ଷ ଟଙ୍କାର ଅନୁଦାନ ବି ଦେଲା। ଯେଉଁଥିରେ ଉଦ୍ୟାନର ପାଚେରି ସାଙ୍ଗକୁ ନାନାଦି ଫୁଲ, ଫଳ ଓ ଔଷଧୀୟ ବୃକ୍ଷ ଲଗାଗଲା। ଉଦ୍‌ଘାଟନ ନହୋଇ ବି ଏହା ବହୁ ପର୍ଯ୍ୟଟକଙ୍କୁ ଟାଣି ଆଣିବାରେ ସକ୍ଷମ ହୋଇଥିଲା। ପରବର୍ତୀ ସମୟରେ କ'ଣ ହେଲା କେଜାଣି ନା ଜିଲ୍ଲା ପ୍ରଶାସନ ନା ପର୍ଯ୍ୟଟନ ବିଭାଗ କେହି ବି ଏହାକୁ ଆଡ଼ ଆଖିରେ ଚାହିଁଲେନି। ଆଜି ପର୍ଯ୍ୟନ୍ତ ବି ଏହି ଉଦ୍ୟାନ ଉଦଘାଟନ ନହୋଇ ପଡ଼ିରହିଛି। publive-image
ଏ ଭିତରେ ଉଦ୍ୟାନର ପ୍ରାଣ ପ୍ରତିଷ୍ଠାତା କୋଣାର୍କର ଅବସରପ୍ରାପ୍ତ ନଗରପାଳ ପ୍ରଫୁଲ୍ଲ କୁମାର ରାଉତରାୟ, ସାମାଜିକ କର୍ମୀ ଭୀମସେନ ନାୟକ, ଅବସରପ୍ରାପ୍ତ ଅଧ୍ୟାପକ ସୁରେନ୍ଦ୍ରନାଥ ମିଶ୍ର ପ୍ରମୁଖଙ୍କ ଦେହାନ୍ତ ହୋଇ ସାରିଲାଣି। ସବୁଜିମା ଭରା ପରିବେଶ ଆଜି ମରୁଭୂମି ପାଲଟିଛି। କାହିଁ କେଉଁ କାଳରୁ ଏହାର ଗେଟ୍ ଖୋଲାଯାଇନି। ପାଣି ଦେବା ପାଇ ଥିବା ମୋଟର ଚୋରି ହୋଇଗଲାଣି। ଉଦ୍ୟାନରେ ରାତି ଗଡ଼ିଲେ ଅସାମାଜିକ କାର୍ଯ୍ୟ ବି ବଢ଼ିଚାଲିଛି। ସେପଟେ ଏହା ଆମ ଅଧୀନରେ ନାହିଁ କହି ପର୍ଯ୍ୟଟନ ବିଭାଗ ହାତ ଟେକି ଦେଇଛି। ଆଗାମୀ ଦିନରେ ଏହାର ବିକାଶ କାର୍ଯ୍ୟ ହେବ କି ନାହିଁ ତାହା ବି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି। ଏ ସଂପର୍କରେ ସହକାରୀ ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା କହିଛନ୍ତି, ଏହି ଉଦ୍ୟାନ ପର୍ଯ୍ୟଟନ ବିଭାଗ ଅଧୀନରେ ନାହିଁ। ଏଣୁ ପର୍ଯ୍ୟଟନ ବିଭାଗର ବିକାଶମୂଳକ କାର୍ଯ୍ୟ ଭିତରେ ଏହାକୁ ନିଆଯାଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe