ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣା: ପୁଣି ୮ ଅଭିଯୁକ୍ତ ଗିରଫ, ସଂଖ୍ୟା ପହଞ୍ଚିଲା ୭୯

Advertisment
ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣା: ପୁଣି ୮ ଅଭିଯୁକ୍ତ ଗିରଫ, ସଂଖ୍ୟା ପହଞ୍ଚିଲା ୭୯

ପୁରୀ: ଗତ ୩ ତାରିଖ ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣାରେ ସିଂହଦ୍ୱାର ପୁଲିସ ଓ ଟାଉନ୍‌ ପୁଲିସ ରବିବାର ପୁଣି ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଫଳରେ ଗିରଫ ସଂଖ୍ୟା ୭୯ରେ ପହଞ୍ଚିଛି। ଏଏସ୍‌ଆଇ ଦୁଃଶାସନ ବିଶ୍ୱାଳ କହିଛନ୍ତି, ଟାଉନ୍‌ ଥାନା ପୁଲିସ ଚୁଡଙ୍ଗ ସାହି ନିବାସୀ ଉମାକାନ୍ତ ବେହେରା(୫୦), କାଳିକାଦେବୀ ସାହିର ଜଗନ୍ନାଥ ନନ୍ଦ(୪୨), ବଳଭଦ୍ର ନନ୍ଦ (୪୨), ତଳୁଚ୍ଛ ସାହି ନିବାସୀ ଅଜୟ ମିଶ୍ର(୩୬), ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ମାଣିକପାଟଣା ନିବାସୀ ସନ୍ତୋଷ ପାଢ଼ୀ(୩୭), ବାସେଳି ସାହି ଥାନା ଅର୍ନ୍ତଗତ ହାତିଶାଳ ନିବାସୀ କାଳୁ ଷଡଙ୍ଗୀ(୨୦)କୁ ଗିରଫ କରିଛି। ସେହିଭଳି ସିଂହଦ୍ୱାର ପୁଲିସ ମାର୍କଣ୍ଡେଶ୍ୱର ସାହି ଢ଼ିପ ଉପର ନିବାସୀ ଜମ୍ବେଶ୍ୱର ପାତ୍ର (୨୮) ଏବଂ ମରିଚିକୋଟ ଲେନ୍‌ ପାତ୍ର ଗଳି ନିବାସୀ ରାଧାନାଥ ଦାସ (୨୪)କୁ ଗିରଫ କରିଛି। ଏହି ଘଟଣାରେ ଆହୁରି ଶତାଧିକ ଲୋକ ଗିରଫ ହେବେ ବୋଲି ପୁଲିସ କହିଛି। ଗିରଫ ହେବା ଭୟରେ ହିଂସାକାଣ୍ଡ କରିଥିବା ବ୍ୟକ୍ତିମାନେ ଫେରାର ଅଛନ୍ତି।

ପୁଲିସ ୨ ଦିନ ତଳେ ଶୁକ୍ରବାର ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଟାଉନ୍‌ ଥାନା ଅନ୍ତର୍ଗତ ଦୋଳମଣ୍ଡପ ସାହିର ରଘୁନାଥ ଦାସ, ଧାନକୋଟିସାହି ନିବାସୀ ସୁରେନ୍ଦ୍ର ପରିଡ଼ା, ଜାଗିଣିଆ ଗାଁର ଗଙ୍ଗାଧର ପାଲଟାସିଂହ, ବାସେଲିସାହି ଥାନା ପୁଲିସ ଅନ୍ତର୍ଗତ ପାଣିକେତାଲେନ ନିବାସୀ ଦୁଃଶାସନ ଖାଟୋଇ, ବଳଙ୍ଗା ଥାନା ଅନ୍ତର୍ଗତ ବୀରବରପୁର ଗାଁର ଚିତ୍ତରଞ୍ଜନ ଦୀକ୍ଷିତ ଓ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ଥାନା ଅନ୍ତର୍ଗତ ଗଡ଼ମାଣିତ୍ରୀ ଗାଁର ବାପି ମୁଦୁଲିଙ୍କୁ ପୁଲିସ ଗିରଫ କରଥିଲା। ବାପି ପୁରୀର କୁମ୍ଭାରପଡ଼ା ଅଞ୍ଚଳରେ ରହୁଛି।

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ବେଳେ ପ୍ରବଳ ହିଂସା ଦେଖାଯାଇଥିଲା। ଆନ୍ଦୋଳନକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଆନ୍ଦୋଳନକାରୀମାନେ ବଡ଼ଦାଣ୍ଡରେ ଲଙ୍କାକାଣ୍ଡ କରିଥିଲେ। ବ୍ୟାପକ ଭଙ୍ଗାରୁଜା କରିବା ସହିତ ସେମାନେ ପୁଲିସ ଉପରକୁ ପଥରମାଡ କରିଥିଲେ। ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏପରିକି ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଲୋକମାନେ ଲୁଟ ମଧ୍ୟ କରିଥିଲେ। ଏଥିରେ କିଛି ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣରେ ଆଣିବା ପାଇଁ ପୁଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe