ଏମାର ମଠ ରୁପା ଇଟା ପ୍ରସଙ୍ଗ : ରହସ୍ୟ ଘେରରେ ପୁଲିସର ତଦନ୍ତ, ୯ ବର୍ଷ ହେଲା ପରେ ବି ହୋଇନି ଚୂଡ଼ାନ୍ତ ଚାର୍ଜସିଟ୍‌

Advertisment
ଏମାର ମଠ ରୁପା ଇଟା ପ୍ରସଙ୍ଗ : ରହସ୍ୟ ଘେରରେ ପୁଲିସର ତଦନ୍ତ, ୯ ବର୍ଷ ହେଲା ପରେ ବି ହୋଇନି ଚୂଡ଼ାନ୍ତ ଚାର୍ଜସିଟ୍‌

ପୁରୀ : ଏମାର ମଠରୁ ମିଳିଥିବା ରୁପା ଇଟା ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଶହେ କୋଟିର ଏହି ଗୁପ୍ତ ଧନକୁ ନେଇ ଉତ୍ସୁକତା ବି ବଢ଼ିଛି। ତେବେ ଦୀର୍ଘ ୯ ବର୍ଷ ପରେ ମାମଲା ଆଗକୁ ବଢ଼ିନଥିବା ଜଣାପଡ଼ିବା ପ‌ରେ ଏହାକୁ ନେଇ ଚାରିଆଡ଼ୁ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ଓ ମଠ ସହିତ ଜଡ଼ିତ ମାମଲାକୁ ପୁଲିସ ଯଦି ଏମିତି ନ୍ୟାୟ ଦେଉଛି, ତେବେ ରାଜ୍ୟରେ ସାଧାରଣ ଜନତା ପୁଲିସ ଠାରୁ କି ନ୍ୟାୟ ଆଶା କରିବେ ବୋଲି ମତ ପ୍ରକାଶ ପାଇଛି। ତଦନ୍ତ ପ୍ରକ୍ରିୟାରେ ପୁଲିସର ନିରବତା ମାମଲାକୁ ନେଇ ରହସ୍ୟ ବଢ଼ାଇଛି। ପୁଲିସ ଏହି ସ୍ପର୍ଶକାତର ଘଟଣାରେ ୯ ବର୍ଷ ପରେ କାହିଁକି ଚାର୍ଜସିଟି ଦେଇନାହିଁ, କାହା ଚାପରେ ପୁଲିସ ମାମଲାକୁ ଅହେତୁକ ବିଳମ୍ବ କରିବାକୁ ବାଧ୍ୟ ହୋଇଛି, ପୁଲିସ ରୁପା ଇଟା ଚୋରି ପ୍ରସଙ୍ଗରେ ଚେର ପର୍ଯ୍ୟନ୍ତ ନ ଯାଇ ଅଧାରେ ଛାଡ଼ିଦେଇ କାହିଁକି ପଳାୟନ କରିଛି ଆଦି ପ୍ରସଙ୍ଗ ଏବେ ବିତର୍କର ବିଷୟ ହୋଇଛି।

ଗତ ୯ ବର୍ଷ ଭିତରେ ୧୦ ଜଣ ତଦନ୍ତକାରୀ ଅଧିକାରୀ ଓ ୬ ଜଣ ଏସପି ଏଠାରୁ ଅନ୍ୟତ୍ର ବଦଳି ହୋଇସାରିଛନ୍ତି। ସେ ଦିନର ଏସ୍‌ପି ଏବେ ଡିଆଇଜି ହେଲେଣି। ମାତ୍ର କେଉଁ ଅଦୃଶ୍ୟ ବାଧ୍ୟବାଧକତାରେ ରୁପା ଇଟା ଫାଇଲ ଡୋରିକୁ ବାନ୍ଧି ଦିଆଯାଇଛି ତାହା ଏବେ ରହସ୍ୟମୟ ହୋଇପଡ଼ିଛି। ଏହି ଘଟଣାରେ ପୁଲିସ କେବଳ ଢେଙ୍କାନାଳର ଦୁଇ ଶ୍ରମିକ, ମଠ ମହନ୍ତ, ଚେଲା, ଜୁଏଲାରି ମାଲିକ ଓ କିଛି ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ ଏମାର ମଠର ଗୁପ୍ତଧନ ପ୍ରସଙ୍ଗରେ ଆଗକୁ ବଢ଼ିନାହିଁ। ମାମଲାକୁ ବିଳମ୍ବିତ କରି ପ୍ରମାଣ ନଷ୍ଟ କରିବା ଓ ଜବତ ଅଳଙ୍କାରକୁ ବୈଧ କରିବାକୁ ପ୍ରୟାସ କରାଯାଉନାହିଁ ତ ବୋଲି ଏବେ ପ୍ରଶ୍ନ ଉଠିଛି।

publive-image

ଏହି ମାମଲାରେ କିଛି ପ୍ରଭାବଶାଳୀଙ୍କ ସଂପର୍କ କଥା ମଧ୍ୟ ଚର୍ଚ୍ଚାକୁ ଆସୁଛି। ଆଜି ଏହି ଘଟଣାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏସ୍‌ପି ଅଖିଳେଶ୍ବର ସିଂହଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମାମଲାର ସିବିଆଇ ତଦନ୍ତ କରିବା ସହିତ ପୁଲିସ ଅସ୍ତ୍ରାଗାରରେ ରହିଥିବା ରୁପା ଇଟାର ସ୍ଥିତି ସଂପର୍କରେ ଜଣାଇବାକୁ ଦାବି ମଧ୍ୟ କରାଯାଇଛି। ଏ ସଂପର୍କରେ ଏଡିଜି କ୍ରାଇମବ୍ରାଞ୍ଚ ତଥା ପୂର୍ବତନ କେନ୍ଦ୍ରାଞ୍ଚଳ ଆଇଜି ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, କାହାକୁ ନେଇ ପ୍ରାଥମିକ ଚାର୍ଜସିଟ୍ ହୋଇଛି, ଚୂଡ଼ାନ୍ତ ଚାର୍ଜସିଟ୍ କାହିଁକି ହୋଇନାହିଁ, ତାହା ଅନୁଧ୍ୟାନ କରିବା ପରେ କହିବେ। ମାମଲାଟି ଏବେ କେଉଁଠି ଅଟକିଛି ତା’ର ମଧ୍ୟ ଅନୁଧ୍ୟାନ କରିବେ ବୋଲି ସେ ସୂଚନା ଦେଇଛନ୍ତି।

ଏ ପଟେ ମଠ ରୁପା ଇଟା ପ୍ରସଙ୍ଗରେ ‌ପୁଲିସ ଓ ସରକାର ନିରବ ରହିଛନ୍ତି। ଏଭଳି ମାମଲାରେ କାହିଁକି ଚାର୍ଜସିଟ୍ କରାଯାଇ ନାହିଁ ତାକୁ ନେଇ ଆଜି ପୁରୀରେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଦେବୋତ୍ତର ବିଭାଗ ଅଧୀନରେ ଥିବା ମଠରୁ ବାହାରିଥିବା ସଂପତ୍ତିର ଅଧିକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର। ସେହି ଦୃଷ୍ଟିରୁ ଜବତ ଇଟା ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ପଠାଇବାକୁ ଶ୍ରୀଜଗନ୍ନାଥ ସେନା ଦାବି କରିଛି। ଅନ୍ୟପଟେ ମହନ୍ତ ରାଜଗୋପାଳ ରାମାନୁଜଙ୍କ ଟ୍ରଷ୍ଟି ପଦ ରଦ୍ଦ ହେବା ପରେ ଏହାକୁ ନେଇ ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ତେବେ ପୁଲିସର ତଦନ୍ତ ପ୍ରକ୍ରିୟାରେ ନିରବତା ପୁଣିଥରେ ରୁପା ଇଟାକୁ ମଠ ମହନ୍ତଙ୍କୁ ଟେକି ଦେବାକୁ ଉଦ୍ୟମ କରାଯାଉଥିବା ସନ୍ଦେହ ପ୍ରକାଶପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe