ମରୁଡ଼ିଠୁ ବଳିଯିବ ଲଗାଣ ବର୍ଷା ମାଡ଼ : ଚାଷୀଙ୍କୁ ଫିମ୍ପି, ଗଜା ବିପଦ!

Advertisment
ମରୁଡ଼ିଠୁ ବଳିଯିବ ଲଗାଣ ବର୍ଷା ମାଡ଼ : ଚାଷୀଙ୍କୁ ଫିମ୍ପି, ଗଜା ବିପଦ!

ଅନୁଗୁଳ : ପ୍ରଥମେ ମରୁଡ଼ି ମାଡ଼; ପରେ ଚକଡ଼ା ପୋକ ଦାଉ ଆଉ ଏବେ ଲଘୁଚାପ ବର୍ଷା। ପ୍ରକୃତିର ଏଭଳି ପ୍ରକୋପ ଏବେ ଚାଷୀର ଶସ୍ୟଶ୍ୟାମଳା ସୁନା ଫସଲକୁ ନଷ୍ଟ କରିବାକୁ ବସିଛି। ମରୁଡ଼ି ଓ ଚକଡ଼ା ବିପତ୍ତିରେ ଅନୁଗୁଳ ଜିଲ୍ଲାରେ ଯେତିକି କ୍ଷତି ଘଟିନଥିଲା; ତା’ଠୁ ବଳିଗଲା ବର୍ଷା ମାଡ଼। ଗତକାଲି ରାତିରୁ ଅନୁଗୁଳରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଆଜି ଦିନରେ ବି ଏହି ଧାରା ଦେଖିବାକୁ ମିଳିଛି। ଯଦିଓ ଜୋର୍‌ରେ ବର୍ଷିନି କିନ୍ତୁ ଏହାର ପ୍ରଭାବରେ କେଉଁଠି ପାଚିଲା ଧାନ ଗଛ କ୍ଷେତରେ ଶୋଇ ପଡ଼ିଛି ତ କେଉଁଠି ଗଛ ଉପରେ ପାଦେ ପାଦେ ପାଣି ଜମିଛି।

ଶତକଡ଼ା ୯୦ପ୍ରତିଶତ ଚାଷ ଜମିରୁ ଧାନ ଆଦୌ କଟା ହୋଇନାହିଁ। ଏଭଳିସ୍ଥିତିରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୪୮ଘଣ୍ଟା ଯାଏଁ ବର୍ଷା ଲାଗି ରହିବ। ଯଦି ଏହି ପୂର୍ବାନୁମାନ ସତ ହୁଏ ଏବଂ ଆଉ ଦୁଇ ଦିନ ଲଗାଣ ବର୍ଷା ଲାଗି ରହେ, ତେବେ ବିଲରେ ଧାନ ଗଜା ହୋଇଯିବ ବୋଲି ଜିଲ୍ଲା ଉପ କୃଷି ନିର୍ଦେଶାଳୟର ଉପ ନିର୍ଦେଶକ ସୁବାସ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଜିଲ୍ଲାରେ ମୋଟ୍‌ ୮୫ହଜାର ୮୯୦ହେକ୍ଟର ଜମିରେ ଧାନ ଫସଲ କରାଯାଇଥିଲା। ସ୍ୱଳ୍ପ ବୃଷ୍ଟି ଯୋଗୁ ଜିଲ୍ଲାର କିଶୋରନଗର ବାଦ୍‌ ଅନ୍ୟ ସମସ୍ତ ୭ଟି ବ୍ଲକ୍‌ର ୮୧ଟି ପଞ୍ଚାୟତର ୩୪୩ଟି ଗାଁରେ ମରୁଡ଼ି ଦେଖାଦେଇଥିଲା। କୃଷି ଅଧିକାରୀଙ୍କ ଆଖିଦେଖା ଆକଳନ ଅନୁଯାୟୀ ଏ ସବୁ ଅଂଚଳରେ ମୋଟ୍‌ ୧୧ହଜାର ୭୪୧ହେକ୍ଟର୍‌ ଜମିରେ ୩୩ପ୍ରତିଶତରୁ ଅଧିକ ଫସଲହାନି ଘଟିଥିବା ରିପୋର୍ଟ ଦିଆଯାଇଥିଲା। ଅନୁରୂପ ଭାବେ ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, କିଶୋରନଗର ବ୍ଲକ୍‌ର କିଛି ପଞ୍ଚାୟତରେ ବି ଚକଡ଼ା ପୋକଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଥିଲା। ମୋଟ୍‌ ୧୧୪୭ହେକ୍ଟର୍‌ ଫସଲ ମାଟିଆ ଗୁଣ୍ଡି ପୋକ ଦ୍ୱାରା ସଂକ୍ରମିତ ହୋଇଥିବା କୃଷି ବିଭାଗ ଦର୍ଶାଇଥିଲା। ତେବେ ସମୁଦାୟ ଧାନ ଫସଲ ଅଂଚଳ ମଧ୍ୟରୁ ମରୁଡ଼ି ପ୍ରଭାବିତ ୧୧ହଜାର ୭୪୧ହେକ୍ଟର୍‌ ଓ ଚକଡ଼ା ପୋକ ପ୍ରଭାବ ଛାଡ଼ି ଦେଲେ ବାକି ୭୩ହଜାର ୨ହେକ୍ଟର ଜମିରେ ଭଲ ଧାନ ଫସଲ ହୋଇଥିଲା।

କୃଷି ବିଶେଷଜ୍ଞଙ୍କ କହିବା ଅନୁସାରେ, ବର୍ଷା ଯୋଗୁ ଧାନ ଗଛ ତଳେ ଶୋଇ ପଡ଼ିଥିବାରୁ ଏବେ କାଟିବାରେ ଚାଷୀକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। କେବଳ ସେତିକି ନୁହେଁ, ବିଲରେ ପାଣି ଜମି ରହିଲେ ଧାନ ଗଛ ଆଉ ଶୁଖିବ ନାହିଁ। ଫଳରେ ଧାନ ଗଜା କିମ୍ବା ଫିମ୍ଫି ମାରି ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଗଜାରୁ ରକ୍ଷା ପାଇବା ପାଇଁ ଚାଷୀମାନେ ଫସଲରେ ଲୁଣ ପାଣି ଛିଞ୍ଚିବା ପାଇଁ କୁହାଯାଇଛି।

ଧାନଜମିରେ ଏବେ ପାଣି ଜମି ରହିଥିବାରୁ ଚାଷୀମାନେ ଚିନ୍ତାରେ ଥିବା ବେଳେ ବିଭାଗୀୟ ଉପ ନିର୍ଦେଶକ ଶ୍ରୀ ବିଶ୍ୱାଳ କହିଛନ୍ତି, ଧାନ ଫସଲ ସେଭଳି କିଛି ପ୍ରଭାବିତ ହେବ ନାହିଁ। ଅଳ୍ପ ବର୍ଷା ହୋଇଥିବାରୁ ଓଦା ହୋଇଥିବା ଧାନ ଗଛ ପବନରେ ଶୁଖିଯିବ। କିନ୍ତୁ ଦୁଇ ତିନି ଦିନ ବର୍ଷା ଲାଗି ରହିଲେ ଧାନ ଫସଲ ନଷ୍ଟ ହୋଇଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ପୁରୀରେ ଚକଡ଼ା ପରେ ବର୍ଷା ଚଡ଼କ

ପୁରୀ : ଧାନ ଚାଷୀଙ୍କ ମୁଣ୍ଡରେ ପୁଣି ଚଡ଼କ ପଡ଼ିଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବିଲରେ ଅମଳ ପାଇଁ ପ୍ରସ୍ତୁତ ଥିବା ପାକଳ ଧାନ ଆଣ୍ଠୁଏ ପାଣିରେ ଶୋଇଯାଇଛି। ଫଳରେ କେବଳ ପରିଶ୍ରମ ବୃଥା ଯାଇନି ବରଂ ହଜାର ହଜାର ଟଙ୍କା ଖର୍ଚ୍ଚ କରି ବଢେଇଥିବା ଫସଲ ଅମଳ ପୂର୍ବରୁ ଉଜୁଡ଼ି ଯାଇଛି। ନିକଟ ଅତୀତରେ ରୋଗ ପୋକ ଯୋଗୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଥିବା ବେଳେ ବର୍ଷା ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। କେତେକ ଚାଷୀ ବର୍ଷାରେ ଓଦା ହୋଇ ଧାନ କାଟି ସବୁକୁ କାଟି ଆଣୁଥିବା ବେଳେ କେତେକ ଧାନ ପାକଳ ହୋଇନଥିବାରୁ ଚାଷୀ ଆଖି ସାମ୍ନାରେ ଫସଲ ଆଣ୍ଠୁଏ ପାଣିରେ ଉବୁଟୁବୁ ହେଉଛି। ଜିଲ୍ଲାର ୧୧ଟି ବ୍ଲକରେ ଚାଷ ପାଇଁ କାଳ ହୋଇଛି। ଋଣ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛିି।

ଗତକାଲି ଠାରୁ ଲଘୁଚାପଜନିତ ଲଗାଣ ବର୍ଷା ଆରମ୍ଭ ହୋଇଛି। ଆଜି ପୁରୀରେ ୧୨ ମିଲିମିଟର ବର୍ଷା ହୋଇଛି। ପ୍ରବଳ ବର୍ଷା ଫଳରେ ଧାନବିଲରେ ପାଣି ଜମି ରହିଛି। ଲଗାଣ ବର୍ଷା ଜାରି ରହିଥିବାରୁ ପାଣିର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ବ୍ରହ୍ମଗିରି, ଅସ୍ତରଙ୍ଗ, କାକଟପୁର, ସତ୍ୟବାଦୀ, କଣାସ ପ୍ରଭୃତି ଅଞ୍ଚଳର ସର୍ବାଧିକ ଧାନ ବିଲ ଖାଲୁଆ ହୋଇଥିବାରୁ ବିଲରୁ ଧାନ ଉଦ୍ଧାର ପାଇବା ଅସମ୍ଭବ ହୋଇଛି। ବର୍ଷା ଜାରି ରହିଥିବାରୁ ସରକାରୀ ଭାବେ କ୍ଷୟକ୍ଷତିର ଆକଳନ କରାଯାଇପାରୁନାହିଁ। ଏ ନେଇ ବ୍ରହ୍ମଗିରି ମଠକଙ୍କୁଡ଼ା ଗ୍ରାମର ଚାଷୀ ପ୍ରଦୀପ ପ୍ରଧାନ କହିଛନ୍ତି, ୬୦ ହଜାର ଟଙ୍କା ଋଣ ଓ ୪୦ ହଜାର ହାତରୁ ଖର୍ଚ୍ଚ କରି ୨ ହେକ୍ଟର ଜାଗାରେ ଧାନ ଚାଷ କରିଥିଲେ। ସବୁ ଧାନ ଆଉ ୪ରୁ ୫ ଦିନରେ ଅମଳ ହୋଇଥାନ୍ତା। ହେଲେ ଗୋଟାଏ ଦିନର ବର୍ଷା ବିଲରେ ଆଣ୍ଠୁଏ ପାଣି ଜମାଇ ଦେଇଥିବା ବେଳେ ସବୁ ଗଛ ଶୋଇ ପଡ଼ିଛି। ଏଣୁ ଏଠାରୁ ଧାନକୁ ଉଠାଇବା ସମ୍ଭବ ହେବ ନାହିଁ। ଖାଲି ଗଛଗୁଡ଼ାକ ଛିଡ଼ା ହୋଇ ରହିଥିଲେ ୬୦ ପ୍ରତିଶତରୁ ଊଦ୍ଧ୍ଵର୍ ଅମଳ ହୋଇ ପାରିଥାନ୍ତା। କିନ୍ତୁ ଏବେ ସବୁ ଉଜୁଡ଼ିଗଲା ବୋଲି ସେ କହିଛନ୍ତି। କେବଳ ପ୍ରଦୀପ ନୁହନ୍ତି, ଶତାଧିକ ଚାଷୀ ଏଭଳି ମୁଣ୍ଡରେ ହାତ ଦେଇ ବସିଛନ୍ତି।

ତେବେ ବର୍ଷା ପୂର୍ବରୁ ଜିଲ୍ଲାର ଚାଷୀଙ୍କୁ ସଚେତନ କରାଯାଇଥିବା କୃଷି ଉପନିର୍ଦ୍ଦେଶକ ଚନ୍ଦ୍ରଶେଖର ରାଓ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜିଲ୍ଲାର ୧୧ ବ୍ଲକର ୨୪୦ ପଞ୍ଚାୟତ ୧୦୪୨ ଗାଁର ୧୧ ହଜାର ଚାଷୀଙ୍କୁ ବର୍ଷା ପୂର୍ବରୁ ସଚେତନ କରାଯାଇଛି। ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯିବା ସହ ବିଭିନ୍ନ ଜାଗାରେ ସଚେତନତା ସଭା ମଧ୍ୟ କରାଯାଇଛି। ତିନିଦିନ ଧରି ସମଗ୍ର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆତ୍ମା ପକ୍ଷରୁ ଏହି ସଚେତନତା କରାଯିବା ସହ ଗଜା ନ ହେବା ଲାଗି ଲୁଣିପାଣି ସିଞ୍ଚନ କରିବାକୁ ମଧ୍ୟ କୁହାଯାଇଛି। ବର୍ଷା ଛାଡ଼ିବା ପରେ ରୋଗପୋକ କ୍ଷୟକ୍ଷତି ଆକଳନ ଭଳି ଏହି ବର୍ଷାଜନିତ କ୍ଷୟକ୍ଷତି ଆକଳନ ପାଇଁ ଯୋଜନା ରହିଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe