କୃଷ୍ଣପ୍ରସାଦରେ ସଂଘର୍ଷ, ୭ ଗୁରୁତର

Advertisment
କୃଷ୍ଣପ୍ରସାଦରେ ସଂଘର୍ଷ, ୭ ଗୁରୁତର

ବ୍ରହ୍ମଗିରି/କୃଷ୍ଣପ୍ରସାଦ : କୃଷ୍ଣପ୍ରସାଦ ବ୍ଲକ୍‌ ଯମୁନା ଗ୍ରାମରେ ସାମାନ୍ୟ କଥାକୁ ନେଇ ଲଙ୍କାକାଣ୍ଡ ଘଟିଛି। ଆଜି ପୂର୍ବାହ୍ଣରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍‌ପିଟାଲରେ ଭର୍ତି କରାଯାଇଛିି। ଗାଁରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିିବାରୁ ପ୍ରଶାସନ ପକ୍ଷରୁ ସଶସ୍ତ୍ର ବାହିନୀ ମୁତୟନ କରି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି।

ଖବର ନେବାରେ ଜଣାପଡ଼ିଛି, କୃଷ୍ଣପ୍ରସାଦ ଥାନା ଯମୁନା ଗାଁରେ ଆଜି ସକାଳୁ ଯମୁନା(ସାନସାହି)ର ଗୋଲେଖ ସାହୁ ପୋଖରୀରେ ଗାଧୋଉଥିଲେ। ଗାଧୋଇବା ସମୟରେ ସେହି ସାହିର ୩ଜଣ ଯୁବକ ଗୋଲେଖଙ୍କୁ କମେଣ୍ଟ ମାରିଥିଲେ। ଏହି ଘଟଣାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା। ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟ୍ୟରେ ଥିବା ରାଜନୈତିକ ବିବାଦ ଓ ଅସନ୍ତୋଷ ଯୋଗୁଁ ସଂଘର୍ଷ ତୀବ୍ର ହୋଇଥିଲା। ପୋଖରୀ ତୁଠଠାରୁ ଗାଁ ଦାଣ୍ଡ ପୂରା ରଣକ୍ଷେତ୍ର ପାଲଟିଥିଲା। ଏଥିରେ ଉଭୟପକ୍ଷର ୭ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥିତି ଏଭଳି ହୋଇଥିଲା ଯେ ଗୁରୁତର ଆହତଙ୍କୁ ନେବାକୁ ଆସିଥିବା ଆମ୍ବୁଲାନ୍ସ ଭିତରକୁ ଆସି ନ ପାରି ଗାଁ ମୁଣ୍ଡରେ ଅଟକି ରହିଥିଲା।

ଖବର ପାଇ କୃଷ୍ଣପ୍ରସାଦ ପୁଲିସ ଆମ୍ବୁଲାନ୍ସ ସହିତ ଗାଁ ଭିତରକୁ ଯାଇ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ସହିତ ଗାଁ ଭିତରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ତେବେ ଗୁରୁତରମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରୁ ବ୍ରହ୍ମପୁର ଏମ୍‌କେସିଜି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଗାଁରେ ଚାପା ଉତ୍ତେଜନା ଲାଗିଥିବା ବେଳେ ପୁଲିସ ଗାଁରେ ପଇଁତରା ମାରୁଛି। ଏ ନେଇ କୃଷ୍ଣପ୍ରସାଦ ଆଇଆଇସି ପ୍ରଭାତ କୁମାର ମଲ୍ଲିକ କହିଛନ୍ତି ଯେ ଦୁଇ ଗୋଷ୍ଠୀ ମଧ୍ୟ୍ୟରେ ପୂର୍ବରୁ ଲାଗି ରହିଥିବା ରାଜନୈତିକ ବିବାଦ ଏହି ଗୋଷ୍ଠୀ ସଂଘର୍ଷର ପ୍ରମୁଖ କାରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe