ଭୁବନେଶ୍ବର: ଶରଧାବାଲିରେ ଦଳାଚକଟା ଘଟଣା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହି ଘଟଣା ନେଇ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହାକୁ ଅନୁମୋଦନ  ଦେଇଛନ୍ତି। ଘଟଣାର ତଦନ୍ତ ସରିଛି। ଏହି ଘଟଣା ସହିତ ଯାହାର ସଂପୃକ୍ତି ଥିବ, ସେହି ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। 

Advertisment

୭ ପୁଲିସ ଅଧିକାରୀ ଦାୟୀ

ରଥଯାତ୍ରା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନକୁ ସୁପାରିସ୍ ମିଳିଛି। ଏହି ଘଟଣାରେ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପାରିସ୍ କରାଯାଇଛି। ଏହି ରିପୋର୍ଟରେ ୭  ଜଣ ପୁଲିସ ଅଧିକାରୀ କାର୍ଯ୍ୟରେ ଅବହେଳା କରାଯାଇଥିବା ଉଲ୍ଲେଖ କରାଯାଇଛି। ଏମାନେ ହେଲେ କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ଦାସ। କେକେ ନାୟକ, ଡିଏସ୍‌ପି ପ୍ରଶାନ୍ତ ସାହୁ, ସୁଶାନ୍ତ ସାହୁ, କମାଣ୍ଡାଣ୍ଟ ଶାରଦା ଦାଶ। ଗୃହ ବିଭାଗର ଅତିରିକ୍ତ ସଚିବ ଡିଜି ଓ ଆଇଜି ପୋଲିସକୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଟେଣ୍ଡର ପାଇଥିବା କମ୍ପାନିକୁ କଳାତାଲିକାଭୁକ୍ତ କରିବାକୁ ରିପୋର୍ଟରେ କୁହାଯାଇଛି। 

ଆହୁରି ପଢ଼ନ୍ତୁ: VVPAT Slips in Garbage: ଅଳିଆ ଗଦାରେ ଭିଭିପାଟ୍ ସ୍ଲିପ୍: ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ନିର୍ବାଚନ କମିସନ

ତିନି ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଦଳଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଉନ୍ନୟନ କମିଶନ ଦେଇଥିବା ରିପୋର୍ଟରେ ପୁଲିସର ଅବହେଳା ସହ ଏଆଇ କାମ କରିନଥିବା ଦର୍ଶାଯାଇଛି। ଚଳିତ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ଏଆଇ ବ୍ୟବସ୍ଥା ଅଣାଯାଇଥିଲା। ଚାରିଆଡେ ସିସିଟିଭି ଲଗାଯିବା ସହ ପ୍ରତିଟି ଗତିବିଧି ଉପରେ ନଜର ରଖିବାକୁ ମନିଟରିଂ ରୁମ ରହିଥିଲା। ଏଥିପାଇଁ ୨୭୫ଟି ସିସିଟିଭି ଲାଗିଥିଲା। ହେଲେ ଅନେକ ସିସିଟିଭି ଫିଡ୍ ମିଳିନଥିଲା। ଭିଡ଼ ନିୟନ୍ତ୍ରଣ କ୍ଷେତ୍ରରେ ଏଆଇର ସେଭଳି ଭୂମିକା ଦେଖିବାକୁ ମିଳିନଥିଲା।  

ଆହୁରି ପଢ଼ନ୍ତୁ: House Collapsed: କଟକରେ ପୁରୁଣା କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ

କ’ଣ ଥିଲା ମାମଲା?

ସୂଚନାଯୋଗ୍ୟ, ରଥଯାତ୍ରା-୨୦୨୫ ଅବସରରେ ଗତ ଜୁନ୍ ୨୯ ତାରିଖରେ ଶରଧାବାଲି ରଥ ସମ୍ମୁଖରେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ ରିପୋର୍ଟକୁ ଗତ ଜୁଲାଇ ୩୧ ତାରିଖ ଦିନ ଉନ୍ନୟନ କମିସନର ଅନୁ ଗର୍ଗ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଥିଲେ। ଏହି ଘଟଣାରେ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ତଦନ୍ତ ଚାଲିଥିଲା। ମାସକ ମଧ୍ୟରେ ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମତୀ ଗର୍ଗ ଏକ ମାସ ଦୁଇ ଦିନରେ ରିପୋର୍ଟ ଦେଇଥିଲେ। ଏହି ଘଟଣା ପାଇଁ କିଏ ଦାୟୀ, ବ୍ୟବସ୍ଥାଗତ ବିଫଳତା, ଏହାକୁ କିପରି ଏଡ଼ାଯାଇପାରିଥାନ୍ତା, ଆଗାମୀ ଦିନରେ କିପରି ଏଭଳି ଅଘଟଣ ନ ଘଟିବ, ସେ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ରିପୋର୍ଟରେ ଦର୍ଶାଯାଇଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀମତୀ ଗର୍ଗ ପ୍ରାୟ ୨ ହଜାର ପୃଷ୍ଠାର ତଦନ୍ତ ରିପୋର୍ଟ ସହ ଏକ ସଂକ୍ଷିପ୍ତ ବିବରଣୀ ପୁସ୍ତିକା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ।