Jay Jagannath Photograph: (sambad.in)
ଭୁବନେଶ୍ବର: ସମୁଦ୍ରରେ ଭାସି ଆସିଲେ କଳା ସାଆନ୍ତ । ମହୋଦଧିରେ ଢେଉ ମାଡ଼ ଖାଇ ଖାଇ କୂଳକୁ ଭାସିଆସିଲେ ମହାବାହୁ । ଜଗନ୍ନାଥ ସମୁଦ୍ରରେ ଭାସି ଆସିଲେ… ଏ ଖବର ସବୁଠି ଖେଳିଗଲା । ହେଲେ ଥରେ ଭାବିଲେ ! ଜଗନ୍ନାଥଙ୍କୁ କେହି କଣ ଭସାଇ ନେଇପାରେ ? ସମୁଦ୍ରର ଏତେ ସାହସ ନାହିଁ ଯିଏ ବିଶ୍ବ ନିଅନ୍ତାଙ୍କୁ ପାଣିରେ ଭସେଇ ଆଣିବ… ସାଆନ୍ତେ ନିଜ ଇଚ୍ଛାରେ ଭାସି ଆସିଛନ୍ତି । କେଉଁ ଏକ ଦିଗରୁ ଭକ୍ତଟିଏ ବୋଧେ ଭଗବାନଙ୍କ ମୂର୍ତ୍ତି କ୍ଷୂର୍ଣ୍ଣ ହେବାର ଦେଖି କ୍ଷମାମାଗି ତାଙ୍କୁ ଭସାଇ ଦେଇଛି ଆଉ ମହାବାହୁ ଭାସି ଭାସି ଆସି କୂଳରେ ଲାଗିଛନ୍ତି… ଯାହାକୁ ଦେଖି ଭାବଭାବ ହେଇଛନ୍ତି ଭକ୍ତ । ଯେଉଁ ମହାପ୍ରଭୁଙ୍କୁ ମନ୍ଦିରରେ ମୁଣ୍ଡିଆ ମାରି ଦୁଃଖ ଜଣାଇ ଭକ୍ତଟି ସମୁଦ୍ରରେ ସ୍ନାନ କରିବାରେ ମସଗୁଲ ସେଠାରେ ହଠାତ୍ ଶ୍ରୀଜଗନ୍ନାଥଙ୍କୁ ଦେଖି ଚକିତ ହୋଇଛନ୍ତି କିଛି ଭକ୍ତ ଆଉ ମହାପ୍ରଭୁଙ୍କୁ ସମୁଦ୍ରରୁ ଉଦ୍ଧାର କରି କୂଳକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଯଦିଓ ଦୃଶ୍ୟରୁ ଏହା ପୁରୀ ବେଳାଭୂମିର ବୋଲି ଲାଗୁଛି ମାତ୍ର ଏହି ଭିଡିଓ ସମସ୍ତଙ୍କୁ ଭାବଭାବ କରେଇଛି ।
ଜଗନ୍ନାଥଙ୍କୁ ଅପମାନ
ଇଏ ତ ଥିଲା ଭଗବାନଙ୍କ ପ୍ରତି କିଛି ଭକ୍ତି ଓ ଭାବର କଥାଚିତ୍ର । ମାତ୍ର ମହାପ୍ରଭୁଙ୍କୁ କୂଳକୁ ଆଣିଲା ବେଳେ କିଛି ଲୋକଙ୍କ ବ୍ୟବହାର ଏବଂ ଆଚରଣ ଏମିତି ଥିଲା ଯାହା ଆମ ଆରାଧ୍ଯ ଦେବତାଙ୍କ ପ୍ରତି ଅପମାନ ସଦୃଶ । ଶ୍ରୀଜଗନ୍ନାଥ ଅଚଳ ମେରୁ ତାଙ୍କ ବିନା ଇଚ୍ଛାରେ ତାଙ୍କୁ କିଏ ବା ଅଛି ଉଠାଇବ । ଭକ୍ତମାନେ ବି ସମୁଦ୍ରରୁ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ଟେକି ଟେକି ଆଣି ପାରିନଥିଲେ । ତାଙ୍କୁ ଗଡ଼େଇ ଗଡ଼େଇ ଆଣିଥିଲେ । ଯାହା ଠାକୁରଙ୍କ ପ୍ରତି ଅପମାନ ଏବଂ ଜଗନ୍ନାଥପ୍ରେମୀଙ୍କ ମନକୁ ଆଘାତ ଦେଇଛି । ଚାହିଁଥିଲେ ସମସ୍ତେ ମିଶି ଏକା ସାଙ୍ଗରେ ଉଠାଇ ପାରିଥାନ୍ତେ ହେଲେ ତାହା ନକରି ଏମିତି ଗଡ଼େଇ ଗଡ଼େଇ ଆଣିବା କିନ୍ତୁ ଉଚିତ ନଥିଲା… ବୋଲି ଜଗନ୍ନାଥପ୍ରେମୀ ମନ୍ତବ୍ୟ ଦେଇଛନ୍ତି ।
ଶ୍ରଦ୍ଧା ବଦଳରେ ସେଲ୍ଫି..
ପୁଣିଥରେ ଆହତ ହେଲା କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟ । ମହାପ୍ରଭୁ ଶ୍ରୀଜଗନ୍ନାଥ ! ଯିଏ କେବଳ ଏକ ମୂର୍ତ୍ତି ନୁହେଁ, ଓଡ଼ିଆଙ୍କ ଆତ୍ମା, ଅସ୍ତିତ୍ୱ ଓ ଭାବନା । ସେହି ମହାପ୍ରଭୁଙ୍କ ମୂର୍ତ୍ତି ସମୁଦ୍ର ବେଳାଭୂମିରେ ଭାସୁଥିବା ଦୃଶ୍ୟ ସମାଜକୁ ଲଜ୍ଜିତ କରିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଜୁଆଲ କେବଳ ଏକ ଘଟଣା ନୁହେଁ, ଏହା ଆମ ଆସ୍ଥା ଓ ବିଶ୍ବାସ ଉପରେ ଗଭୀର ଆଘାତ ଦେଇଛି ।
ଆହୁରି ପଢନ୍ତୁ- Delhi Pollution: ସାବଧାନ ଦିଲ୍ଲୀବାସୀ ! ଆହୁରି କଲବଲ କରିବ ବାୟୁ ପ୍ରଦୂଷଣ... ଏମିତି କହିଲେ ପରିବେଶ ମନ୍ତ୍ରୀ
ଏ ଭିଡିଓ ଆଉ କେଉଁଠୁ ନୂହେଁ ଖୋଦ ଜଗନ୍ନାଥ ଧାମ ପୁରୀ ବେଳାଭୂମିରୁ ଆସିଛି ବୋଲି କୁହାଯାଉଛି । ସବୁଠାରୁ ଛାତି ଫାଟିଗଲା ଭଳି କଥା ହେଉଛି, ଯେତେବେଳେ କିଛି ପର୍ଯ୍ୟଟକ ପାଣି ଭିତରୁ ମହାପ୍ରଭୁଙ୍କ ମୂର୍ତ୍ତିକୁ ଉଦ୍ଧାର କରୁଥିଲେ, ସେତେବେଳେ ଆଉ କିଛି ଲୋକ ସେଲ୍ଫି ନେବାରେ ବ୍ୟସ୍ତ ଥିଲେ । ଆସ୍ଥାର ଏପରି ଅପମାନ କେବଳ ଧାର୍ମିକ ଭାବନାକୁ ଆଘାତ କରିନି ବରଂ ଆମ ସଂସ୍କାର ଓ ସଭ୍ୟତାକୁ ନେଇ ପ୍ରଶ୍ନର ପାହାଡ଼ ଛିଡ଼ଶ କରିଛି । ଯାହାଙ୍କୁ ଦେଖିବା ମାତ୍ରେ ମନରେ ଶ୍ରଦ୍ଧାର ସମୁଦ୍ର ଲହଡ଼ି ଖେଳେ ସେ ମହାବାହୁଙ୍କ ମୂର୍ତ୍ତିକୁ ନେଇ ମନୋରଞ୍ଜନ ଓ ସୋସିଆଲ ମିଡିଆ ପାଇଁ ଭିଡିଓ-ଫଟୋ କରିବା କେଉଁ ପରି ସଂସ୍କାର?
ଆହୁରି ପଢନ୍ତୁ- Killer Tusker: ନରହନ୍ତା ଦନ୍ତାର ଆତଙ୍କ: ହଇରାଣ କରୁଛି ହାତୀ, ଉପଦ୍ରବରେ ଅଣନିଃଶ୍ବାସୀ ମଣିଷ, ୩ ଦିନ ଧରି ନାକେଦମ୍ ବନ ବିଭାଗ...
ମହାପ୍ରଭୁ ଜଗନ୍ନାଥ କେବଳ ଧର୍ମର ପ୍ରତୀକ ନୁହେଁ, ସେ ଶିକ୍ଷା ଦିଅନ୍ତି ସମାନତା, ସମ୍ମାନ ଓ ସମବେଦନାର । ଆଉ ଜଗାକୁ ହେଇଥିବା ଏଭଳି ଅସମ୍ମାନ ଦେଖି ନିରବ ରହିବା ମାନେ ନିଜେ ନିଜ ଆସ୍ଥାକୁ ଅପମାନିତ କରିବା । ପ୍ରଶାସନ ଓ ସମାଜ ଦୁହେଁ ଏହାକୁ ଗୁରୁତର ଭାବେ ନେଇ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଆବଶ୍ୟକ ।
Follow Us